ଖଡଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ; ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳର ୨୦ ହଜାର ଲୋକ ହେବେ ଉପକୃତ
ଭୁବନେଶ୍ୱର: ଖଡଗ ନଦୀରେ ହେବ ନଦୀଗର୍ଭ ଜଳାଶୟ। ଉପକୃତ ହେବେ ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳର ୨୦ ହଜାର ଲୋକ । ଏଥି ନିମନ୍ତେ ଖର୍ଚ୍ଚ ହେବ ୧୨୬ କୋଟି । ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ।।
ଖଡଗ ନଦୀ ଅବବାହିକା ପ୍ରକଳ୍ପ କାହାକୁ ନିଜ ଘର ଭିତରୁ ବିସ୍ଥାପିତ ନକରି ନିର୍ମାଣ କରାଯିବ ଏବଂ ନଦୀ ଜଳ ସଂରକ୍ଷଣରେ ସାହାଯ୍ୟ କରିବ। ଏହା ନଦୀଗର୍ଭ ଜଳ ସଂରକ୍ଷଣ କରିବା ସହିତ ଖରାଦିନେ ଏହି ଅଞ୍ଚଳର ପାନୀୟ ଜଳର ଆବଶ୍ୟକତା ପୂରଣ, ମାଛ ଚାଷ ଓ ଭୂତଳ ଜଳସ୍ତର ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହେବ।

ଏହି ପ୍ରକଳ୍ପ ଦ୍ବାରା ତିନୋଟି ଜିଲ୍ଲା - ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକ, କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକ ଓ ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଳକର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଉପକୃତ ହେବେ ।
ସୂଚନାଯୋଗ୍ୟ ଯେ, ଯେତେବେଳେ ୫ଟି ସଚିବ ଭି.କେ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜୁଲାଇ ୨୦ରେ ବୌଦ୍ଧ ଜିଲ୍ଲା ପରିଦର୍ଶନ କରିଥିଲେ, ସେତେବେଳେ ସ୍ଥାନୀୟ ଲୋକମାନେ ଖଡଗ ନଦୀ ଉପରେ ଏକ ବ୍ୟାରେଜ୍ ନିର୍ମାଣ ପାଇଁ ଏକ ଦାବିପତ୍ର ଦେଇଥିଲେ।
5T ସଚିବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଜନସାଧାରଣଙ୍କ ଦାବି ସମ୍ପର୍କରେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଲୋକଙ୍କ ଅନୁରୋଧକୁ ଗ୍ରହଣ କରି ଗୁରୁବାର ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।












Click it and Unblock the Notifications