ବନ୍ୟା କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ,ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ମରାମତି ପାଇଁ ମିଳିବ ୧.୨୦ ଲକ୍ଷ ଟଙ୍କା
ଭୁବନେଶ୍ୱର: ବାଲେଶ୍ବର ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା । ସମୀକ୍ଷା ପରେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ଘର ମରାମତି ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା । ଆଂଶିକ ଭାବେ କ୍ଷତିଗ୍ରସ୍ତ ପକ୍କା ବାସଗୃହର ମରାମତି ନିମନ୍ତେ ୬,୫୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଗୃହ ପାଇଁ ୪୦୦୦ ଟଙ୍କା, ଭାଙ୍ଗିଯାଇଥିବା କୁଡିଆ ଘର ପିଛା ୮୦୦୦ ଟଙ୍କା ଓ ଭାଙ୍ଗିଯାଇଥିବା ଗୁହାଳ ଘର ପାଇଁ ୩୦୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ।ସେହିପରି ଘର ୨ଦିନ ଧରି ବନ୍ୟାଜଳରେ ବୁଡ଼ି ରହିଥିଲେ ଲୁଗାପଟା ପାଇଁ ୨୫୦୦ଟଙ୍କା, ବାସନକୁସନ ପାଇଁ ୨୫୦୦ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।
କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଫସଲ କ୍ଷତି ପାଇଁ ଅଣସେଚିତ ଜମିରେ ହେକ୍ଟର ପିଛା ୮୫୦୦ଟଙ୍କା, ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ହଜାର ଟଙ୍କା ଓ ସମସ୍ତ ପ୍ରକାରର ବାରମାସୀ ଫସଲ ଜମି ପାଇଁ ହେକ୍ଟର ପିଛା ୨୨୫୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହି ସହାୟତା ସର୍ବାଧିକ ୨ହେକ୍ଟର ଜମି ପାଇଁ ଦିଆଯିବ ।

ସେହିଭଳି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାଲିଚର ସହାୟତା ( ଯଦି ୩ ଇଞ୍ଚରୁ ଉର୍ଦ୍ଧ ବାଲିଚର ହୋଇଥାଏ) ହେକ୍ଟର ପିଛା ୧୮,୦୦୦ ଟଙ୍କା, ସର୍ବନିମ୍ନ ୨୨୦୦ ଟଙ୍କା, ମାଛଚାଷ ପୋଖରୀର ମରାମତି ଓ ପଙ୍କ ଉଦ୍ଧାର ପାଇଁ ହେକ୍ଟର ପିଛା ୧୮,୦୦୦ ଟଙ୍କା, ସର୍ବନିମ୍ନ ୨୨୦୦ ଟଙ୍କା, ଯଦି ଚାଷ ଜମିର ଅନେକାଂଶ ଭୂସ୍ଖଳନ ଯୋଗୁଁ, ନଦୀର ଗତିପଥ ପରିବର୍ତ୍ତନ ଯୋଗୁଁ କ୍ଷୟ ହୋଇଥାଏ ତେବେ ହେକ୍ଟର ପିଛା ୪୭,୦୦୦ ଟଙ୍କା। ଏଥିପାଇଁ ଚାଷୀ ପିଛା ସର୍ବନିମ୍ନ ୫୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତ ୧୮ ତାରିଖ ଦିନ ବାଲେଶ୍ବର ଜିଲ୍ଲାର ଭୋଗରାଇ, ବାଲିଆପାଳ, ଜଳେଶ୍ଵର ଓ ବସ୍ତା ବ୍ଲକର ବନ୍ୟା ସ୍ଥିତି ଆକାଶ ମାର୍ଗରୁ ନିରୀକ୍ଷଣ କରିଥିଲେ। ପରେ ବାଲେଶ୍ଵର ପାଛୋଡ଼ିଆସ୍ଥିତ ପଦ୍ମାବତୀ ପାର୍କ ପରିସରରେ ବାଲେଶ୍ଵର ବନ୍ୟା ସ୍ଥିତିର ସମୀକ୍ଷା କରିଥିଲେ।
ବନ୍ୟା ନେଇ ବାଲେଶ୍ବର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର କହିଥିଲେ ସୁବର୍ଣ୍ଣରେଖା ନଦୀରେ ଭୟଙ୍କର ବନ୍ୟା ପ୍ରଭାବରେ ୩୫ ପଞ୍ଚାୟତ କ୍ଷତିଗ୍ରସ୍ତ ହେବା ସହ ୧୫ ପଞ୍ଚାୟତରୁ ୨ ହଜାର ଲୋକଙ୍କୁ ଅସ୍ଥାୟୀ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ ପକ୍ଷରୁ ଜଳ ଘେରରେ ଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ୮ଫାୟାର ଟିମ, ୩ ଓଡ୍ରାଫ ସାଙ୍ଗକୁ ଗୋଟିଏ ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି ବୋଲି କହିଥିଲେ।












Click it and Unblock the Notifications