ଓଡ଼ିଶା ପାଳୁଛି ଛାଡ଼ଖାଇ: ଆମିଷ ବଜାରରେ ଭିଡ଼, ଦର ଆକାଶଛୁଆଁ
ପବିତ୍ର କାର୍ତ୍ତିକ ମାସର ମାସବ୍ୟାପୀ ନିରାମିଷ ଭୋଜନ ପରେ ମାର୍ଗଶିର ମାସର ପ୍ରଥମ ଗୁରୁବାର ଯିବା ପରେ ଶୁକ୍ରବାର ଛାଡ଼ଖାଇ ପାଳନ କରୁଥିବା ଓଡ଼ିଶାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର ମାଂସ ଓ ମାଛ ବଜାରରେ ଭୋର୍ ସକାଳୁ ହିଁ ନାହିଁ ନଥିବା ଗହଳି ଜମିଛି। ଲୋକମାନେ ନିଜ ପସନ୍ଦର ଆମିଷ କିଣିବା ପାଇଁ ବଜାରରେ ଭିଡ଼ ଜମାଇବାରୁ ବିଭିନ୍ନ ପ୍ରକାରର ମାଂସ ଓ ମାଛର ଦରରେ ବୃଦ୍ଧି ପରିଲକ୍ଷିତ ହୋଇଛି।
ଶୁକ୍ରବାର ଛାଡ଼ଖାଇ ପାଳନ ହେଉଥିବାରୁ ଜମୁଛି ବେପାର
ଆମିଷ ବଜାରର ସୂଚନା ମୁତାବକ, ଏଥର ଛାଡ଼ଖାଇରେ ମାଛର ଚାହିଦା ବେଶି ରହିବ। ପାଖାପାଖି ଅଢ଼େଇ କୋଟିରୁ ଅଧିକ ଟଙ୍କାର କେବଳ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ବିକ୍ରି ହେବ ବୋଲି ମାଛ ବେପାରୀ ଆଶାବାଦୀ ରହିଛନ୍ତି। ସେହିଭଳି ରାଜଧାନୀରେ ୨ ହଜାର କେଜି ଛେଳି ମାଂସ ଓ ୫୦ କୁଇଣ୍ଟାଲ କୁକୁଡ଼ା ମାଂସ ବିକ୍ରି ହେବ ବୋଲି ଆକଳନ କରାଯାଇଛି। ଅଲ୍ ଓଡ଼ିଶା ନନ୍ଭେଜ୍ ଟ୍ରେଡସ୍ ଫେଡେରେସନ୍ର ରାଜ୍ୟ ସଭାପତି ଶେଖ୍ ମୁନ୍ତାକିମ୍ ବକ୍ସ କହିଛନ୍ତି, ଛାଡ଼ଖାଇ ହେଉଛି ଆମିଷ ବେପାରୀଙ୍କ ବେପାରର ମହାପର୍ବ। ଶୁକ୍ରବାର ଛାଡ଼ଖାଇ ପାଳନ ହେଉଥିବାରୁ ମଟନ ବିକ୍ରି ଖୁବ୍ ଜମିବ। ପ୍ରତିବର୍ଷ ଛାଡ଼ଖାଇରେ ୪ କୋଟି ଟଙ୍କାର ମଟନ ବିକ୍ରି ହେଉଥିବା ବେଳେ ଏ ବର୍ଷ ଏହା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ତେବେ ମାଛ, ମାଂସ, କଙ୍କଡ଼ା ଆଦିରୁ ଏଥର ୫ରୁ ୭ କୋଟି ଟଙ୍କାର ବେପାର ହେବା ନେଇ ଆମେ ଆଶା ରଖିଥିବା ବେଳେ ସେ ନେଇ ଆମିଷ ବରାଦ ବି କରିସାରିଛୁ।

ଭୁବନେଶ୍ୱର ଓ କଟକ ସମେତ ଅନ୍ୟ ସ୍ଥାନରେ ଆମିଷର ଦର ଏପରି ରହିଛି:
- ରୋହି ମାଛ: କିଲୋ ପ୍ରତି ୨୦୦ରୁ ୨୫୦ ଟଙ୍କା, ଇଲିଶ ମାଛ: କିଲୋ ପ୍ରତି ୧,୮୦୦ ଟଙ୍କାରେ ପହଞ୍ଚିଛି।
- କଙ୍କଡ଼ା: କିଲୋ ପ୍ରତି ୧,୨୦୦ ଟଙ୍କାରେ ବିକ୍ରି ହେଉଛି।
- ମଟନ୍: ଅଞ୍ଚଳ ଭେଦରେ କିଲୋ ପ୍ରତି ୭୫୦ରୁ ୯୦୦ ଟଙ୍କା ରହିଛି।
- ଚିକେନ୍: ବ୍ରଏଲର: ୨୪୦ ଟଙ୍କା, ବନରାଜ: ୩୦୦ ଟଙ୍କା, ଦେଶୀ କୁକୁଡ଼ା: ୫୦୦ ଟଙ୍କା
ଅଲ୍ ଓଡ଼ିଶା ନନ୍-ଭେଜ୍ ଟ୍ରେଡର୍ସ ଫେଡେରେସନ୍ ଅନୁଯାୟୀ, ଏହି ଛାଡ଼ଖାଇରେ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଏବଂ ମାଂସର ମୋଟ ବ୍ୟବସାୟ ୫ କୋଟିରୁ ୭ କୋଟି ଟଙ୍କା ମଧ୍ୟରେ ପହଞ୍ଚିବ ବୋଲି ଆଶା କରାଯାଉଛି।
ଫେଡେରେସନ୍ର ସଭାପତି ଶେଖ୍ ମୁନ୍ତାକିମ୍ ବକ୍ସ କହିଛନ୍ତି ଯେ ଛାଡ଼ଖାଇ ଆମିଷ ବ୍ୟବସାୟୀଙ୍କ ପାଇଁ ଏକ ପର୍ବ ଭଳି। ପ୍ରତିବର୍ଷ ପ୍ରାୟ ୪ କୋଟି ଟଙ୍କାର ମଟନ୍ ବିକ୍ରି ହେଉଥିବା ବେଳେ ଏ ବର୍ଷ ଏହା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଗୁରୁବାର ଦିନକରେ ୨.୫ କୋଟି ଟଙ୍କାରୁ ଅଧିକ ମାଛ, ଚିଙ୍ଗୁଡ଼ି ଏବଂ କଙ୍କଡ଼ା ବିକ୍ରି ହେବାର ଆକଳନ କରାଯାଇଛି।
ବ୍ୟବସାୟୀଙ୍କ ଅନୁମାନ ଅନୁସାରେ, ରାଜଧାନୀ ଭୁବନେଶ୍ୱରରେ ୨,୦୦୦ କେଜିରୁ ଅଧିକ ଛେଳି ମାଂସ ଓ ୫୦ କୁଇଣ୍ଟାଲ୍ କୁକୁଡ଼ା ମାଂସ ବିକ୍ରି ହେବ। ଚାହିଦା ମେଣ୍ଟାଇବା ପାଇଁ ପଶ୍ଚିମବଙ୍ଗରୁ ୭୦ ପ୍ରତିଶତ ଛେଳି ଅଣାଯାଇଥିବା ବେଳେ ବଳକା ୩୦ ପ୍ରତିଶତ ବଲାଙ୍ଗୀର, ନୟାଗଡ଼, ଦଶପଲ୍ଲା ଆଦି ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅଣାଯାଇଛି।
ଚିକେନ୍ ଓ ମଟନ୍ର ଚାହିଦା ଅଧିକ ଥିଲେ ମଧ୍ୟ ଓଡ଼ିଆମାନଙ୍କ ପାଇଁ ମାଛ ହିଁ ଛାଡ଼ଖାଇରେ ସର୍ବୋତ୍ତମ ପସନ୍ଦ ରହିଆସିଛି ବୋଲି ବ୍ୟବସାୟୀମାନେ କହିଛନ୍ତି।












Click it and Unblock the Notifications