ଶ୍ରୀମନ୍ଦିର ବାହାରେ ସରିଲା ଲୀଳାଖେଳା; ଆଜି ନୀଳାଦ୍ରିବିଜେରେ ନିଳକନ୍ଦରକୁ ବାହୁଡ଼ି ଯିବେ ଚତୁର୍ଦ୍ଧା ମୁରତୀ
ଦେଉଳ ବାହାରେ ସରିଲା ତିନି ଠାକରୁଙ୍କ ଲୀଳାଖେଳା। ଆଜି ନୀଳାଦ୍ରିବିଜେରେ ନିଳକନ୍ଦରକୁ ବାହୁଡ଼ି ଯିବେ ଚତୁର୍ଦ୍ଧା ମୁରତୀ। ପବିତ୍ର ଘୋଷଯାତ୍ରାର ଆଜି ଅନ୍ତିମ ପର୍ବ ନୀଳାଦ୍ରି ବିଜେ।
ଶ୍ରୀବିଗ୍ରହମାନେ ରଥ ଉପରୁ ଓହ୍ଲାଇ ଗୋଟି ପହଣ୍ଡିରେ ରତ୍ନ ସିଂହାସନରେ ବିଜେ କରିବେ। ପବିତ୍ର ନିଳାଦ୍ରି ବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି।ଗତକାଲି ରଥାରୁଢ ଶ୍ରୀଜିଉଙ୍କଠାରେ ଲାଗି ହୋଇଥିଲା ଅଧରପଣା। ଶ୍ରୀଜିଉଙ୍କୁ ଅଧରପଣା ଲାଗି ହେବା ପରେ ରଥଗୁଡ଼ିକରେ ଥିବା ପାର୍ଶ୍ୱ ଦେବଦେବୀ, ଚଣ୍ଡିଚାମୁଣ୍ଡା ଓ ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ଅଧର ପଣା ହାଣ୍ଡି ଭାଙ୍ଗି ଅର୍ପଣ କରାଯାଇଛି। ଅଧରପଣା ନୀତି ତଥା ଶ୍ରୀଜିଉଙ୍କ ଦର୍ଶନ ଲାଗି ଗତକାଲି ବି ପୁରୀରେ ଭକ୍ତଙ୍କ ଅସମ୍ଭବ ଗହଳି ଦେଖିବାକୁ ମିଳିଥିଲା। ପାଗ ଅନୁକୂଳ ଥିବାରୁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା।

ମହାପ୍ରଭୁ ରଥରୁ ଓହ୍ଲାଇ ରତ୍ନ ସିଂହାସନକୁ ଯିବା ନୀତି ପରମ୍ପରାକୁ ନୀଳାଦ୍ରି ବିଜେ କୁହାଯାଏ। ଠାକୁରଙ୍କ ନଅ ଦିନ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ହେଉଛି ନୀଳାଦ୍ରି ବିଜେ। ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି। ଏହି ନୀଳାଦ୍ରିବିଜେ ନୀତିରେ ସରେ ମହାପ୍ରଭୁଙ୍କ ଜନ୍ମବେଦି ଲୀଳା।ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ତ୍ରୟୋଦଶୀ ତିଥିରେ ନୀଳାଦ୍ରିବିଜେ ହୋଇଥାଏ। ଏହି ପରମ୍ପରା ଅନେକ ବର୍ଷ ଧରି ହୋଇଆସୁଛି।
ନୀଳାଦ୍ରି ବିଜେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଦଇତାପତି ନିଯୋଗ ସହ ଏ ସମ୍ବନ୍ଧରେ ଆଲୋଚନା କରାଯାଇ ପହଣ୍ଡି ହୋଇଥାଏ।ନୀତିନୀଳାଦ୍ରିବିଜେ ଦିନ ରଥ ଉପରେ ଠାକୁରମାନଙ୍କର ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧାଯାଏ। ଏହାପରେ ଦର୍ଶନ ପାଇଁ କିଛି ସମୟ ଭକ୍ତମାନଙ୍କୁ ରଥ ଉପରକୁ ଛଡା ଯାଇଥାଏ। ଏହା ପରେ ବିଜେ କାହାଳି ବାଜେ ଓ ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହୋଇଥାଏ।
ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଧରି ଦକ୍ଷିଣି ଘରକୁ ବିଜେ କରାନ୍ତି। ଏହା ପରେ ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର ଓ ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରାଯାଏ। ପହଣ୍ଡି ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଏ ଓ ଅଖଣ୍ଡ ବଇଠା ବସେ। ଠାକୁରମାନେ ପହଣ୍ଡିରେ ଆସିବାବେଳେ ମନ୍ଦିର ପରିସରସ୍ଥ ଶୁଆଶାରୀ ଦେଉଳଠାରେ ପ୍ରସାଦ ଲାଗି, ଘସା, ବିଡିଆ ମଣୋହି ଓ ବନ୍ଦାପନା ନୀତି ହୋଇଥାଏ। ଜଗମୋହନଠାରେ ମଧ୍ୟ ଏହି ନୀତି ହୋଇଥାଏ।ଲକ୍ଷ୍ମୀ-ନାରାୟଣ କଳିଠାକୁରଙ୍କ ମାନବୀୟ ଲୀଳାର ବିଶେଷ ପର୍ବ ଲକ୍ଷ୍ମୀ-ନାରାୟଣ କଳି। ଶେଷରେ ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥାନ୍ତି। ଉଭୟ ଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟ ହୋଇଥାନ୍ତି। ଏହାପରେ ଲକ୍ଷ୍ମୀଙ୍କ ତରଫରୁ ଭିତରଚ୍ଛ ବନ୍ଦାପନା ନୀତି ହୁଏ। ଏହି ସମୟରେ ପରମ୍ପର ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ନିକଟରେ ପହଞ୍ଚିବା ବେଳେ ସାମୟିକ ଭାବେ ଦ୍ୱାର ବନ୍ଦ ରୁହେ ଏବଂ କିଛି କ୍ଷଣ ପରେ ଖୋଲାଯାଏ।












Click it and Unblock the Notifications