ଚଳଚଞ୍ଚଳ ରଥ ଖଳା, ତିନିରଥର ୫ଟି ତୁମ୍ବ ର ଗୋଲେଇ ସହ ମଠା କାର୍ଯ୍ୟ ହେଲା ଶେଷ
ଭୁବନେଶ୍ୱର: ଚଳଚଞ୍ଚଳ ହୋଇ ଉଠିଛି ପୁରୀର ରଥ ଖଳା । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲିଛି ରଥ କାମ । ଆରମ୍ଭ ହୋଇ ଯାଇଛି ପୁରୀରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । କରତିଆ ସେବକଙ୍କ ଦ୍ୱାରା ତୁମ୍ବ କଟା କାର୍ଯ୍ୟ ଚାଲିଛି । ଆଜି ରଥ ନିର୍ମାଣର ଦ୍ୱିତୀୟ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ହୋଇ ତୁମ୍ବ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ତିନିରଥ ମୋଟ ୫ ଗୋଟି ତୁମ୍ବ ର ଗୋଲେଇ ସହ ମଠା କାର୍ଯ୍ୟ ଶେଷ ହୋଇଛି ।
ପ୍ରଥମ ଦିନରେ କରତି ସେବକ ମାନେ ତିନି ଚାଳିକୁ ଗୋଟିଏ ଗୋଟିଏ ତୁମ୍ୱ କାଠ ଗଡ କରି ଯୋଗାଇଥିଲେ, ଆଜି ଦ୍ୱିତୀୟ ଦିନରେ କରତି ସେବକ ମାନେ ଆଉ ଦୁଇଟି ଲେଖାଏ ତୁମ୍ବ ଗଡକରି ତିନି ରଥ ଚାଳିକୁ ଭୋଇ ସେବକ ଙ୍କ ଦ୍ୱାରା ଯୋଗାଇଛନ୍ତି । ତାଳଧ୍ୱଜ ରଥ ର ମହାରଣା ସେବକ ମାନେ ଦୁଇଟି ତୁମ୍ବ ର ଗୋଲେଇ କାର୍ଯ୍ୟ ପରେ ମଠା କାର୍ଯ୍ୟ ସମ୍ପୂର୍ଣ କରି ତୃତୀୟ ତୁମ୍ବ ର ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି ।

ସେହିପରି ଦେବୀ ରଥ ମହାରଣା ସେବକ ମାନେ ଗୋଟିଏ ତୁମ୍ବ ର ଗୋଲେଇ କାର୍ଯ୍ୟ ସହ ମଠା କାର୍ଯ୍ୟ ଶେଷ କରି ଆଉ ଦୁଇଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି , ଅନ୍ୟପଟେ ନନ୍ଦିଘୋଷ ରଥ ମହାରଣା ସେବକ ମାନେ ଦୁଇଟି ତୁମ୍ବର ଗୋଲେଇ କାର୍ଯ୍ୟ ପରେ ମଠା କାର୍ଯ୍ୟ ଶେଷ କରି ଆଉ ଦୁଇଟି ତୁମ୍ବର ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି ।












Click it and Unblock the Notifications