ଯାଜପୁର ହଇଜା ସ୍ଥିତି ସମୀକ୍ଷା ଲାଗି ଓଡ଼ିଶାରେ କେନ୍ଦ୍ରୀୟ ଟିମ୍, ଆଜି କରିବେ ଅନୁଧ୍ୟାନ
ଯାଜପୁରରେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଚେଷ୍ଟା ଜାରି ରହିଛି। ତେବେ ହଇଜା ଚିହ୍ନଟ ପରେ ଚିନ୍ତାରେ ରହିଛି ପ୍ରଶାସନ। ଏବେବି ବିଭିନ୍ନ ହସ୍ପିଟାଲରେ ପାଖାପାଖି ୨୦୦ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏହାର ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଏପର୍ଯ୍ୟନ୍ତ ପ୍ରକୃତ କାରଣ ଜଣାପଡ଼ିନାହିଁ। ଏହି ପରିପ୍ରେକ୍ଷୀରେ କେନ୍ଦ୍ରରୁ ୧୪ ଜଣିଆ ଟିମ ଆସୁଛନ୍ତି। ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଏହି ଟିମରେ ଆଇସିଏମ୍ଆର, ଏନସିଡିସି, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ, ଖାଦ୍ୟ ନିରାପତ୍ତା ବିଭାଗର ସଦସ୍ୟ ଅଛନ୍ତି। ସେହିପରି ଜନସ୍ବାସ୍ଥ୍ୟ ନିର୍ଦେଶକ ଓ ସ୍ବାସ୍ଥ୍ୟ ନିର୍ଦେଶକ ଘଟଣାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରୀୟ ବିଶେଷଜ୍ଞ ଦଳ ଯାଜପୁର ଯାଇ ସ୍ଥିତି ତଦାରଖ କରିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବରୁ ଯାଜପୁର, ଭଦ୍ରକ ଓ କେନ୍ଦୁଝର ଜିଲାରେ ଝାଡ଼ାବାନ୍ତି ବ୍ୟାପିଥିବାବେଳେ ଏବେ ଦ୍ବୈତନଗରୀର କିଛି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ନେଇ ପ୍ରଶାସନ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି।

ଯାଜପୁରଠାରେ ପ୍ରଦୂଷିତ ପାଣି ନିମନ୍ତେ ଝାଡ଼ାବାନ୍ତି ଆରମ୍ଭ ହୋଇଥିବା ବିଭାଗୀୟ ଅଧିକାରୀ ଆଶଙ୍କା କରୁଥିବାବେଳେ ବାସି ଖାଦ୍ୟକୁ ନେଇ ଆଜି ସମ୍ପୃକ୍ତ ଅଞ୍ଚଳରେ ଯାଞ୍ଚ କରାଯାଇଛି। ଏବେ ପ୍ରତି ପଞ୍ଚାୟତରେ ଜଳ ବିଶୋଧନ କରାଯାଉଛି। ଆଶା ଓ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ସଚେତନ କରୁଛନ୍ତି। ଖୁବଶୀଘ୍ର ସ୍ଥିତି ଜାଣିବା ପାଇଁ ଆଜି ଯାଜପୁର ଗସ୍ତ କରିଥିଲେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶକ ବୃନ୍ଦା ଡି। ବିଭିନ୍ନ ସ୍ଥାନ ଯାଞ୍ଚ କରିବା ପରେ ସେ କହିଛନ୍ତି ଯେ, ଏଠାରେ ଆଜି କିଛି ନୂଆ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସ୍ଥାନୀୟ ପ୍ରଶାସନ ଘଟଣା ଉପରେ ନଜର ରଖିଛି। ସ୍ଥିତି କିଭଳି ନିୟନ୍ତ୍ରଣକୁ ଆସିବ ଏବଂ ହସ୍ପିଟାଲରେ ଥିବା ରୋଗୀ କିଭଳି ଶୀଘ୍ର ସୁସ୍ଥ ହେବେ ସେ ଦିଗରେ ଚେଷ୍ଟା ଜାରି ରହିଛି। ସ୍ବାସ୍ଥ୍ୟ ଟିମ ଏ ଦିଗରେ କାର୍ଯ୍ୟ କରୁଛି। ସେ ଜନସାଧାରଣଙ୍କୁ ପାଣି ଫୁଟାଇ ପିଇବା ସହିତ ବାହାର ଖାଦ୍ୟ ନ ଖାଇବାକୁ ପରାମର୍ଶ ଦେଇଛନ୍ତି। ଝାଡ଼ାବାନ୍ତିରେ ଯେଉଁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ସେମାନଙ୍କ ବ୍ୟବଚ୍ଛେଦ ବିବରଣୀକୁ ଅପେକ୍ଷା କରାଯାଇଛି। ବିବରଣୀ ଆସିବା ପରେ କାରଣ ଜଣାପଡ଼ିବ। ସ୍ଥିତି ନିୟନ୍ତ୍ରଣରେ ରହିଥିବା ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି।
ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ରବିବାର ଯାଜପୁର ଗସ୍ତ କରିବେ। ପ୍ରଥମେ ବଡ଼ଚଣା, ଧର୍ମଶାଳା, ମଧୁବନ ହସ୍ପିଟାଲରେ ସ୍ଥିତି ତଦାରଖ ପରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥିତି ସମୀକ୍ଷା କରିବେ। କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପିଛି, ଏହାର କାରଣ କ'ଣ ଏବେ ସ୍ଥିତି କ'ଣ ରହିଛି ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହାପରେ ସେଠାରୁ ସେ ଆନନ୍ଦପୁର ହସ୍ପିଟାଲ ଯିବେ ବୋଲି ଜଣାପଡ଼ିଛି।












Click it and Unblock the Notifications