ଇନ୍ଦିରା ଗାନ୍ଧୀ ଜୟନ୍ତୀ ଅବସରରେ ଜାତୀୟ ସଂହତି ଦିବସ ପାଳିତ
ଭୁବନେଶ୍ବର: ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ଜାତୀୟ ସଂହତି ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ବୁଦ୍ଧିଜୀବି ଡକ୍ଟର ଗିରୀଶ ପ୍ରସାଦ ସ୍ଵାଇଁ ସ୍ଵର୍ଗତ ଗାନ୍ଧୀଙ୍କ ରାଜନୈତିକ ଏବଂ ବ୍ୟକ୍ତିଗତ ଜୀବନର ବହୁ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ଡକ୍ଟର ସ୍ଵାଇଁ କହିଥିଲେ ଯେ, ଇନ୍ଦିରା ଜଣେ ଦକ୍ଷ, ଦୃଢମମନା ତଥା ଦୁରଦୃଷ୍ଟି ସମ୍ପନ୍ନ ନେତା ଥିଲେ । ଭାରତର ବୈଦେଶିକ ନୀତି ଠାରୁ ଆରମ୍ଭ କରି ବୈଷୟିକ ପରିବର୍ତନ ପାଇଁ ସେ ଯଥେଷ୍ଟ ଚେଷ୍ଟା କରିଥିଲେ। ଶ୍ରୀମତୀ ଗାନ୍ଧୀ ଯଥାର୍ଥରେ ଆଇରନ ଲେଡି ଥିଲେ ବୋଲି ମୁଖ୍ୟବକ୍ତା ଡକ୍ଟର ସ୍ଵାଇଁ କହିଥିଲେ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଶ୍ରୀମତୀ ଗାନ୍ଧୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରି ସେ ଜଣେ ଦକ୍ଷ ରାଜନେତା ତଥା ପ୍ରଧାନମନ୍ତ୍ରୀ ଥିଲେ ବୋଲି ଅବିହିତ କରିଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ପ୍ରସଙ୍ଗ ସମ୍ପାଦକ ଡକ୍ଟର ଲେଲିନ ମହାନ୍ତି ଏବଂ ଅନ୍ଯାନ୍ଯ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। କୋବିଡ ନିର୍ଦେଶବଳୀ ଅନୁପାଳନ ସହିତ ଏହି କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା।












Click it and Unblock the Notifications