ନିଷ୍ଠୁର ହେଲେ ସିଡିପିଓ; ଗର୍ଭବତୀ ମହିଳାଙ୍କୁ ଛାଡ଼ିଲେ ମେଡିକାଲ, ଚାଲିଗଲା ନିଷ୍ପାପ ଶିଶୁର ଜୀବନ
ନିଷ୍ଠୁର ହୋଇଗଲେ ସିଡିପିଓ। ମହିଳା ହୋଇ ବି ଜାଣି ପାରିଲେନି ଅନ୍ୟ ଜଣେ ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା। ଗର୍ଭ ଯନ୍ତ୍ରଣାରେ ଛଟପଟ ମହିଳାଙ୍କ କଷ୍ଟ ଦେଖି ତାଙ୍କ ହୃଦୟ ତରଳିଲା ନାହିଁ। ଆଉ ନିଜ ପଦ ତଥା କ୍ଷମତାର ଅପବ୍ୟବହାର କରି ନିଜର ଜଣେ ଅଧୀନସ୍ଥ ଗର୍ଭବତୀ ମହିଳା କର୍ମଚାରୀଙ୍କୁ ମେଡିକାଲ ଯିବାକୁ ଅନୁମତି ଦେଲେନି।

ଫଳରେ ଅଫିସରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଲେ ମହିଳା କର୍ମଚାରୀ ଜଣକ ଓ ଶେଷରେ ଗର୍ଭରେ ହିଁ ଚାଲିଗଲା ନିଷ୍ପାପ ଶିଶୁର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗରେ।
ଏଠାରେ କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ୭ ମାସର ଗର୍ଭବତୀ ଥିଲେ। ମାତ୍ର ସେ ନିୟମିତ କାର୍ଯ୍ୟାଳୟ ଆସି କାମ କରୁଥିଲେ। ଗତ ୨୫ ତାରିଖରେ ସେ କାର୍ଯ୍ୟାଳୟରେ ଥିବାବେଳେ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ବର୍ଷା ବିଭାଗୀୟ ଅଧିକାରୀ ତଥା CDPO ସ୍ନେହଲତା ସାହୁଙ୍କୁ ନିବେଦନ କରିଥିଲେ। କିନ୍ତୁ ସିଡିପିଓ ତାଙ୍କୁ ମେଡିକାଲ ନ ଛାଡ଼ି ବରଂ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଓ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି ବର୍ଷା।
ଅତ୍ୟଧିକ ଗର୍ଭଯନ୍ତ୍ରଣା ଯୋଗୁଁ ବର୍ଷା ଅସୁସ୍ଥ ହୋଇ ପଡ଼ିବାରୁ ଖବର ପାଇ ତାଙ୍କ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା ଓ ତାଙ୍କ ଗର୍ଭରେ ଥିବା ଶିଶୁର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ। ଏହାପରେ ବର୍ଷା ଜିଲ୍ଲାପାଳ ଓ ଏସପିଙ୍କୁ ଲିଖିତ ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।












Click it and Unblock the Notifications