CBSE ଦଶମ ପରୀକ୍ଷାରେ ଓଡିଆ ଝିଅଙ୍କ କମାଲ, ଶତ ପ୍ରତିଶତ ମାର୍କ ଆଣିଲେ ଶ୍ରେୟା
ମଦର୍ସ ପବ୍ଲିକ ସ୍କୁଲର ଛାତ୍ରୀ ଶ୍ରେୟା ପଟ୍ଟନାୟକ 100% ମାର୍କ ରଖି ଟପ୍ପର ହୋଇଛନ୍ତି । ଅର୍ଥାତ୍ ସେ 500 ରୁ 500 ମାର୍କ ହାସଲ କରିଛନ୍ତି ।
ଭୁବନେଶ୍ବର: ପ୍ରକାଶ ପାଇଛି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଭୁବନେଶ୍ବର ଜୋନରେ ପାସ୍ ହାର 96 ପ୍ରତିଶତ ରହିଛି । ମଦର୍ସ ପବ୍ଲିକ ସ୍କୁଲର ଛାତ୍ରୀ ଶ୍ରେୟା ପଟ୍ଟନାୟକ 100% ମାର୍କ ରଖି ଟପ୍ପର ହୋଇଛନ୍ତି । ଅର୍ଥାତ୍ ସେ 500 ରୁ 500 ମାର୍କ ହାସଲ କରିଛନ୍ତି । ଶ୍ରେୟା ଆଗକୁ ମେଡିକାଲ ପଢିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଜଣେ ଡାକ୍ତର ହୋଇ ଜନସେବା କରିବାରେ ନିଜକୁ ନିୟୋଜିତ କରିବା ପାଇଁ ଆହୁରି ପରିଶ୍ରମ କରିବେ ଶ୍ରେୟା । ଏନେଇ ନିଜକୁ ଆହୁରି ପ୍ରସ୍ତୁତ କରିବେ କହିଛନ୍ତି ଶ୍ରେୟା ।

ଝିଅ ପରିଶ୍ରମର ଫଳ ପାଇଛି । ଏଇତ ଆରମ୍ଭ ମାତ୍ର, ଆଗକୁ ଏଭଳି ସେ ତା'ର ପରିଶ୍ରମର ଫଳ ପାଉ ବୋଲି କହିଛନ୍ତି ପରିବାର ଲୋକେ । କେବଳ ପରିବାର ନୁହେଁ ଶ୍ରେୟାଙ୍କୁ ନେଇ ସ୍କୁଲରେ ଖୁସିର ଲହରୀ ଦେଖିବାକୁ ମିଳୁଛି । ''ଆଜି ପର୍ଯ୍ୟନ୍ତ କେହି 100% ନମ୍ବର ରଖିନାହାନ୍ତି । ଶ୍ରେୟା ନିଶ୍ଚିତ ଭାବେ ସ୍କୁଲ ପାଇଁ ଗର୍ବ ଆଣିଛି'' ବୋଲି ମଦର୍ସ ପବ୍ଲିକ ସ୍କୁଲର ଅଧ୍ୟକ୍ଷା କହିଛନ୍ତି ।
ଏହାପରେ ଶ୍ରେୟାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ସାଂସଦ ତଥା କିଟ୍ ଏବଂ କିସ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦଶମ ପରୀକ୍ଷାରେ କୃତି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ବିଦ୍ୟାଳୟରେ ଆଧୁନିକ ଶିକ୍ଷାଦାନ ପଦ୍ଧତି ହେତୁ ଏହା ସମ୍ଭବ ହୋଇଛି। ଉଭୟ ସାଇ ଆନ୍ତର୍ଜାତୀୟ ବିଦ୍ୟାଳୟ ଏବଂ ସାଇ ଆନ୍ତର୍ଜାତୀୟ ଆବାସିକ ବିଦ୍ୟାଳୟ ମଧ୍ୟ ଦଶମ ଶ୍ରେଣୀ ତଥା ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ଫଳ ପ୍ରକାଶ ପାଇଛି ।












Click it and Unblock the Notifications