ଓଡ଼ିଶା ଟ୍ରେନ ଟ୍ରାଜେଡି ଘଟଣାରେ ମାମଲା ରୁଜୁ କଲା CBI
ଭୁବନେଶ୍ୱର: ଓଡ଼ିଶା ଟ୍ରେନ ଟ୍ରାଜେଡି ଘଟଣାରେ ମାମଲା ରୁଜୁ କଲା CBI । ଆଜି ସିବିଆଇ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଥିଲା ବେଳେ ଶେଷରେ ମାମଲା ରୁଜୁ କରିଛି । ଦୁର୍ଘଟଣାସ୍ଥଳର ବାହାନଗାକୁ ଯାଇଥିଲେ ୧୦ରୁ ୧୨ଜଣ ସିବିଆଇର ଏକ ଟିମ୍ । କେଉଁ କାରଣରୁ ଏତେ ବଡ ଦୁର୍ଘଟଣା ହେଲା ତାର କାରଣ ଖୋଜୁଛି ସିବିଆଇ ।
ତେବେ ଜଣେ ଆଇଜି ରାଙ୍କର ଅଫିସର ପୁରା ମାମଲାର ତଦନ୍ତ କରୁଛନ୍ତି । ସିବିଆଇ ଟିମ୍ ସହ ସେଣ୍ଟ୍ରାଲ ଫରେନସିକର ବି କିଛି ସଦସ୍ୟ ରହିଛନ୍ତି । ଦୁର୍ଘଟଣାସ୍ଥଳ ବିଶେଷ ଭାବେ ଲୁପ୍ ଲାଇନ ଓ ମେନ୍ ଲାଇନକୁ ଯାଇ ତଦନ୍ତ କରିଛି । ଆଜି ଅଢ଼େଇ ଘଣ୍ଟାର ଛାନଭିନ ପରେ ଷ୍ଟେସନରୁ ବାହାରିଥିଲା ସିବିଆଇ ଟିମ୍ । ଦୁର୍ଘଟଣା ସ୍ଥାନ, ଉତ୍ତର କେବିନ୍ ସହ ବାହାନଗା ଷ୍ଟେସନରେ ତଦନ୍ତ କରିଛି ଟିମ୍ । ସିଗନାଲ ରୁମ୍ ଓ ଇଣ୍ଟରଲକ୍ ସିଷ୍ଟମ୍ ଯାଞ୍ଚ ହୋଇଛି ।

ସେଦିନ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ବି ପଚରାଉଚରା କରିଛି ସିବିଆଇ। ଦୁର୍ଘଟଣା ସମୟରେ ଦାୟିତ୍ୱରେ କିଏ ଥିଲେ, କେଉଁ ଟ୍ରେନକୁ କେଉଁ ଟ୍ରାକରେ କଣ ସିଗନାଲ ଦିଆ ଯାଇଥିଲା ତାହାର ରେକର୍ଡ ଥିବା ଲଗ୍ ବୁକ୍ ବି ଯାଞ୍ଚ ହୋଇଛି ।
କହିରଖୁ କି, ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ୪ ଦିନ ପୁରିଥିବା ବେଳେ ଏଯାଏଁ ଦୁର୍ଘଟଣା ପଛର କାରଣ ସ୍ପଷ୍ଟ ହୋଇପାରନି । ସମସ୍ତଙ୍କ ମନରେ ପ୍ରଶ୍ନ, କାହିଁକି ଘଟିଲା ଏତେ ବଡ ଦୁର୍ଘଟଣା ? କେଉଁଠି ରହିଲା ତ୍ରୁଟି ? ଏହି ଦୁର୍ଘଟଣା କାରଣ ଖୋଜିବାକୁ ରେଲୱେ ସିବିଆଇ ତଦନ୍ତ ସୁପାରିଶ୍ କରିଥିଲା । ତେବେ ପ୍ରାଥମିକ ଅନୁସନ୍ଧାନ ପରେ ସିବିଆଇ ମାମଲା ରୁଜୁ କରିବ ବୋଲି ଜଣାପଡ଼ିଛି ।












Click it and Unblock the Notifications