ସାବଧାନ୍ ! ପୂଜା ମଣ୍ଡପରେ ମାତିଛନ୍ତି ଲେଡି ଲୁଟେରା
ଚାଲିଛି ଶାରଦୀୟ ଦୁର୍ଗା ପୂଜା । ଟ୍ୱିନସିଟି ମଣ୍ଡପ ମାନଙ୍କରେ ଲାଗୁଛି ଖାଚଖଚ୍ ଭିଡ଼ । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଢି କରାଯାଇଛି । ପୂଜା ମଣ୍ଡପ ପକ୍ଷରୁ ଲାଗିଥି ଗଣ୍ଡା ଗଣ୍ଡା ସିସିଟିଭି । ସୁରକ୍ଷା ପାଇଁ ଜଗିଛନ୍ତି ମାଳମାଳ ପୋଲିସ୍ । ତଥାପି ହେଉଛି ଚୋରୀ ।
ଭୁବନେଶ୍ୱର: ଚାଲିଛି ଶାରଦୀୟ ଦୁର୍ଗା ପୂଜା । ଟ୍ୱିନସିଟି ମଣ୍ଡପ ମାନଙ୍କରେ ଲାଗୁଛି ଖାଚଖଚ୍ ଭିଡ଼ । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଢି କରାଯାଇଛି । ପୂଜା ମଣ୍ଡପ ପକ୍ଷରୁ ଲାଗିଥି ଗଣ୍ଡା ଗଣ୍ଡା ସିସିଟିଭି । ସୁରକ୍ଷା ପାଇଁ ଜଗିଛନ୍ତି ମାଳମାଳ ପୋଲିସ୍ । ତଥାପି ହେଉଛି ଚୋରୀ । ପୁରୁଷଙ୍କ ଅପେକ୍ଷା ମହିଳା ଲୁଟେରାଙ୍କ ସଂଖ୍ୟା ବେଶି ରହିଛି । ଗହଳିର ସୁଯୋଗ ନେଇ ପର୍ସ ଓ ମୋବାଇଲ ଲୁଟୁ ନେଉଛନ୍ତି । ବେକରୁ ସୁନା ଚେନ୍ ଲୁଟି ନେଇଉଛନ୍ତି ।

ତେବେ ଭୁବନେଶ୍ୱର ରସୁଲଗଡ଼ ପୂଜା ମଣ୍ଡପର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଠି ଜଣେ ମହିଳା ଗହଳି ଭିତରେ ପର୍ସ ଓ ମୋବାଇଲ୍ ଚୋରି କରୁଛନ୍ତି । ସିସିଟିଭିରେ ଚୋରିର ଭିଡିଓ କଏଦ ହୋଇଛି । ରସୁଲଗଡ ପୂଜା ମଣ୍ଡପ ଟିମ୍ ସଂପୃକ୍ତ ମହିଳାଙ୍କୁ ଧରି ପୋଲିସକୁ ଜିମା ଦେଇଛନ୍ତି।
ସେପଟେ ନୟାପଲ୍ଲୀ ପୋଲିସ କବଜାରେ ପଡ଼ିଛି ୬ଜଣିଆ ଆନ୍ତରାଜ୍ୟ ଲୁଟେରା ଦଳ। ଆଜି ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ତିନିଜଣ ପଶ୍ଚିମବଙ୍ଗର ହୋଇଥିବା ବେଳେ, ଅନ୍ୟ ତିନିଜଣ ବିହାରର। ପୂଜା ମଣ୍ଡପରେ ସନ୍ଦିଗ୍ଧ ଭାବେ ବୁଳିଥିବାବେଳେ ପୋଲିସ ଏମାନଙ୍କୁ ଧରିଛି । ସେମାନଙ୍କ ନିକଟରୁ ବ୍ଲେଡ ଓ ଛୁରୀ ଜବତ ହୋଇଛି।
ପୋଲିସ ପକ୍ଷରୁ ମାର୍ଗଦର୍ଶିକା ଜାରି
ପୂଜା ସମୟରେ ଲୁଟେରାଙ୍କଠାରୁ ବର୍ତ୍ତିବା ପାଇଁ ପୂର୍ବରୁ ସତର୍କ କରାଇଛି କମିଶନରେଟ୍ ପୋଲିସ । ବିଭିନ୍ନ ପୂଜା ମଣ୍ଡପରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରି ଲୋକଙ୍କୁ ସଚେତନ କରାଯାଇଛି । ଏହା ସହ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଘରୁ ବାହାରକୁ ଯାଉଥିଲେ କାହାକୁ ଦାୟିତ୍ୱରେ ଘରେ ଛାଡି ଯାଆନ୍ତୁ ।
ଅଧିକ ଦିନ ପାଇଁ ବାହାରକୁ ଯାଉଥିଲେ ସ୍ଥାନୀୟ ଥାନାକୁ ଜଣାଇବାକୁ କୁହାଯାଇଛି । ଘରଠୁ ଅଳ୍ପ ଦୂରକୁ ଯାଉଥିଲେ ଦୁଇ ଚକିଆ ବ୍ୟବହାର କରନ୍ତୁ । ଗାଡି ପାର୍କିଂ ବେଳେ ଡବଲ ଲକ୍ କରନ୍ତୁ । ଗାଡି ଡିକିରେ କୌଣସି ମୂଲ୍ୟବାନ ଜିନିଷ ରଖିବା ପାଇଁ ମନା କରାଯାଇଛି । ପୂଜା ମଣ୍ଡପକୁ ଗଲାବେଳେ ମୂଲ୍ୟବାନ ଜିନିଷକୁ ଧ୍ୟାନରେ ରଖନ୍ତୁ । ଏହା ସହ ଯଦି କୌଣସି ସନ୍ଦିଗ୍ଧ ଲୋକଙ୍କୁ ଦେଖୁଛନ୍ତି ତେବେ ୧୧୨କୁ କଲ୍ କରି ଜଣାଇବାକୁ ପୋଲିସ ପକ୍ଷରୁ କୁହାଯାଇଛି ।












Click it and Unblock the Notifications