କ୍ୟାନସର ମହୌଷଧି ! ଚିଲିକା ମଇଁଷି ଦହି ପରେ ଚିଲିକା ଦଳ; ଲୋସନ ପ୍ରସ୍ତୁତ ପାଇଁ ମିଳିଛି ଅନୁମତି
କ୍ୟାନସର ମହୌଷଧି ! ଚିଲିକା ମଇଁଷି ଦହି ପରେ ଚିଲିକା ଦଳ ! ଚର୍ମ କର୍କଟ ଚିକିତ୍ସାରେ ମହୌଷଧି ପାଲଟିବ ଚିଲିକା ଦଳ । ଏନେଇ ବଡ଼ ଖୁଲାସା ।
ଚର୍ମ କର୍କଟ (ସ୍କନ୍ କ୍ୟାନ୍ସର) ରୋଗର ନିୟନ୍ତ୍ରଣ ଓ ସଫଳ ଚିକିତ୍ସା ଦିଗରେ ଗବେଷଣା କରି ରେଭେନ୍ସା ବିଶ୍ବବିଦ୍ୟାଳୟ ଜୁଲୋଜି ବିଭାଗ ଏକ ନୂଆ ତଥ୍ୟ ଉଦ୍ଭାବନ କରିଛି। ଚିଲିକା ଦଳରେ ଯେଉଁ ଶକ୍ତି ରହିଛି ତାହା ଅଲ୍ଟ୍ରା ଭାଓଲେଟ୍ (ୟୁଭି)କୁ ପ୍ରତିହତ କରିପାରୁଛି । ସେଥିରେ ଆଣ୍ଟି ଅକ୍ସିଜେନ୍ ଏବଂ ଆଣ୍ଟି କ୍ୟାନ୍ସର୍ କ୍ଷମତା ରହିଥିବାରୁ ତାହା କ୍ୟାନ୍ସରକୁ ସହଜରେ ପ୍ରତିହତ କରିପାରୁଛି। ଏହାକୁ ନେଇ ଦୀର୍ଘ ୭ ବର୍ଷ ହେଲା ଲମ୍ବା ଗବେଷଣା ପରେ ଏହାର ଔଷଧୀୟ ଗୁଣ ସ୍ପଷ୍ଟ ହୋଇଛି । ଏଣୁ ଏହାକୁ ଚର୍ମ କର୍କଟର ମହୌଷଧି ରୂପେ ବ୍ୟବହାର କରାଯାଇ ପାରିବ ବୋଲି ରେଭେନ୍ସା ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ସୌମ୍ୟରଞ୍ଜନ ଜେନା ସୂଚନା ଦେଇଛନ୍ତି ।
ଡ. ଜେନାଙ୍କ ସୂଚନା ମୁତାବକ, ଚିଲିକାରୁ ମିଳୁଥିବା ଦଳ ଚର୍ମରୋଗ ଦୂରେଇବା ଦିଗରେ ଭଲ କାମ କରୁଛି । ଏହା ଦ୍ଵାରା ଚର୍ମ ରୋଗରୁ ରୋଗୀ ଆଶ୍ୱସ୍ତ ହୋଇପାରିବେ । ଏଥୁରେ ମାଇକ୍ରୋସୋରିନ୍ ଓ ଆମିନୋ ଏସିଡ୍ କମ୍ପାଉଣ୍ଡ ରହିଛି । ଯାହା ଚର୍ମ ରୋଗକୁ ନିୟନ୍ତ୍ରଣ କରିପାରିବ । ଚିଲିକା ଦଳରୁ ଏହି କମ୍ପାଉଣ୍ଡ ଆମେ ଖୋଜି ପାଇଛୁ ବୋଲି ସେ କହିଛନ୍ତି। ଚର୍ମ କର୍କଟ ରୋଗର ସଫଳ ଚିକିତ୍ସା ନିମନ୍ତେ ୨୦୧୪ ମସିହାରୁ ରେଭେନ୍ସା ବିଶ୍ଵବିଦ୍ୟାଳୟର ଜୁଲୋଜି ବିଭାଗରେ ଏହି ଗବେଷଣା ଆରମ୍ଭ ହୋଇଥିଲା। ବିଭାଗର ଡ. ସୌମ୍ୟରଞ୍ଜନ ଜେନା ଓ ପ୍ରଫେସର ଲୁନା ସାମନ୍ତ୍ର, ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସର ଶିବ ପ୍ରସାଦ ଅଧିକାରୀ ଏବଂ ଡ. ଜ୍ୟୋସ୍ନାରାଣୀ ପ୍ରଧାନ ଗବେଷଣା ଚଳାଇଥିଲେ ।

ଗବେଷଣା ପରେ ଅନୁଧ୍ୟାନ ଲାଗି ୨୦୨୧ରେ ବିଶ୍ଵବିଦ୍ୟାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ପେଟେଣ୍ଟ କାର୍ଯ୍ୟାଳୟକୁ ସାଇଣ୍ଟିଫିକ୍ ତଥ୍ୟ ପଠାଯାଇଥିଲା। ଗବେଷଣା ଠିକ୍ ଥିବାରୁ ଔଷଧ ସାମଗ୍ରୀ ପ୍ରସ୍ତୁତି ଲାଗି ଗବେଷକମାନେ ପେଟେଣ୍ଟ ପାଇଁ ଆବେଦନ କରିଥିଲେ। ୨୦୨୫ ଫେବ୍ରୁଆରୀରେ ପେଟେଣ୍ଟ କାର୍ଯ୍ୟାଳୟ ଏହି ଆବେଦନ ଉପରେ ମୋହର ମାରିଥିବାରୁ ଔଷଧ ପ୍ରସ୍ତୁତି ଲାଗି ବାଟ ଫିଟିଛି। ଗବେଷକମାନେ ଚର୍ମ କର୍କଟ ଚିକିତ୍ସା ନିମନ୍ତେ ଲୋସନ୍ ପ୍ରସ୍ତୁତି କରିବା ଲାଗି ଔଷଧ ନିର୍ମାଣକାରୀ କମ୍ପାନି ସହ ଚୁକ୍ତିନାମା
କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି ଡ. ଜେନା କହିଛନ୍ତି।
ଗବେଷକ ଡ. ଜେନାଙ୍କ କହିବାନୁସାରେ, ଚର୍ମ କର୍କଟ ସାଧାରଣତଃ ଚର୍ମର ତନ୍ତୁ ମଧ୍ୟରେ ମାଲିଗ୍ଲାଣ୍ଟ କୋଷ ଗୁଡ଼ିକର ସ୍ବାଭାବିକ ବୃଦ୍ଧି ଯୋଗୁଁ ହୋଇଥାଏ। ଏହା ମୁଖ୍ୟତଃ ସୂର୍ଯ୍ୟ କିରଣ ସହ ଜଡ଼ିତ । ଦିନକୁ ଦିନ ବୈଶ୍ବକ ଉତ୍ତାପ ବଢି ଚାଲିଛି। ଫଳରେ ଏହାର ପ୍ରଭାବ ମନୁଷ୍ୟ ଶରୀର ଉପରେ ଅଧିକ ମାତ୍ରାରେ ପଡୁଛି । ସେହିପରି ଏବେ ଯୁବପିଢ଼ିଙ୍କ ସମେତ ସମାଜର ବିଭିନ୍ନ ବର୍ଗରେ କସମେଟିକ୍ ସାମଗ୍ରୀ ବ୍ୟବହାର ବଢ଼ିଛି । ମୁହଁରେ ବିଭିନ୍ନ ପ୍ରକାର ପାଉଡର୍ ଓ ଲୋସନ୍ ପ୍ରାୟ ଅଧିକାଂଶ ଲୋକ ବ୍ୟବହାର କରୁଛନ୍ତି । ମନଇଚ୍ଛା ଲୋସନ୍ ବ୍ୟବହାର ଦ୍ଵାରା ଏହା ଚର୍ମ ଉପରେ କୁପ୍ରଭାବ ପକାଉଛି । ସୂର୍ଯ୍ୟଙ୍କ ବିକିରଣ ଆଉ କେମିକାଲ୍ ମିଶ୍ରିତ କସ୍ମେଟିକ ସାମଗ୍ରୀରୁ ଆମେ ଅନେକ ମାତ୍ରାରେ ପ୍ରଭାବିତ ହେଉଛୁ । ଏହି କାରଣରୁ ଚର୍ମ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଲୋକେ ଶିକାର ହେବାର ଆଶଙ୍କା ରହିଛି ।
ଚିଲିକା ମଇଁଷି ଦହିରେ ମହୌଷଧି । ରହିଛି ଅନେକ ମାରାତ୍ମକ ରୋଗରୁ ରକ୍ଷା କରିବାର ଔଷଧ ଉପାଦାନ । ରିପୋର୍ଟ ଅନୁସାରେ ଚିଲିକା ଅଞ୍ଚଳରେ ଦେଖାଯାଉଥିବା ମଇଁଷି ସ୍ୱତନ୍ତ୍ର ଓ ବିରଳ । ଏମାନଙ୍କ କ୍ଷୀରରେ ରହିଛି ବହୁ ରୋଗ ପ୍ରତିରୋଧୀ ବ୍ୟାକ୍ଟେରିଆ । କ୍ୟାନସର ସହ ସଂକ୍ରମଣ ବିରୋଧୀ ବହୁ ଉପାଦେୟ ଉପାଦନ ବି ଭରି ରହିଛି । ଏହି ତଥ୍ୟ ଦେଇଛନ୍ତି, ହରିୟାଣାସ୍ଥିତ ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ ଜେନେଟିକ୍ସ ରିସୋର୍ସ ସଂସ୍ଥାର ଗବେଷକ । ସେପଟେ ଏହି ସୂଚନା ମିଳିବା ପରେ ଏବେ ଚିଲିକା ମଇଁଷିକୁ ନେଇ ଚର୍ଚ୍ଚା । ଏହାସହ ମଇଁଷି ପାଳକଙ୍କ ମନରେ ଜାଗ୍ରତ ହୋଇଛି ନୂଆ ଆଶା । ଖାଲି ଏତିକି ନୁହେଁ ଏହି ନିର୍ଦ୍ଦିଷ୍ଟ ପ୍ରଜାତିର ମଇଁଷୀ ବଂଶ ବୃଦ୍ଧି ପାଇଁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ମଇଁଷି ପାଳକ । ବୈଜ୍ଞାନିକ ଚିଲିକା ମଇଁଷୀଙ୍କ ଉପରେ ୭ ବର୍ଷ ଧରି ନିରବଚ୍ଛିନ୍ନ ଗବେଷଣା କରି ଆସୁଛନ୍ତି । ତାଙ୍କ କହିବା ଅନୁସାରେ, ଦେଶରେ ମୋଟ ୧୯ ପ୍ରଜାତିର ମଇଁଷି ରହିଛନ୍ତି । ହେଲେ ଚିଲିକା ଅଞ୍ଚଳରେ ଦେଖାଯାଉଥିବା ମଇଁଷି ସ୍ୱତନ୍ତ୍ର । ଏମାନଙ୍କ କ୍ଷୀରରେ ମେଟାବୋଲାଇଟ୍ସ ଏବଂ ଅନ୍ୟାନ୍ୟ ଉପକାରୀ ବ୍ୟାକ୍ଟେରିଆ ଭରି ରହିଛି । ଯାହାକି ମାନବ ଶରୀର ପାଇଁ ଅତ୍ୟନ୍ତ ଉପାଦେୟ । ଚିଲିକା ଭିତରେ ଥିବା ଦଳ ଓ ଘାସ ଖାଉଥିବାରୁ ସେମାନଙ୍କ କ୍ଷୀରରେ ଏଭଳି ଅଦ୍ଭୁତ ଉପାଦାନ ମିଳିଥାଏ ।












Click it and Unblock the Notifications