ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଆଜି କଟକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ସି.ପି ରାଧାକ୍ରିଷ୍ଣନ୍
ଭାରତ ଇତିହାସର ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଜନନେତା ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୯ ତମ ଜୟନ୍ତୀ ଅବସରରେ ଆଜି ଦେଶବ୍ୟାପୀ ପରାକ୍ରମ ଦିବସ ପାଳନ କରାଯାଉଛି । ଏହି ଅବସରରେ ଆଜି ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ ଓଡ଼ିଶା ଓ ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ । ଶ୍ରୀ ରାଧାକୃଷ୍ଣନ୍ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କଟକ ଓଡ଼ିଆବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମପୀଠ ତଥା ସଂଗ୍ରହାଳୟରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନ, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ।
ଉପରାଷ୍ଟ୍ରପତି ଆଜି ନେତାଜୀଙ୍କ ସଂଗ୍ରହାଳୟରେ ପହଞ୍ଚି ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପୋଷ୍ଟାଲ ଗ୍ୟାଲେରୀକୁ ଉଦ୍ଘାଟନ କରିବେ । ଏହାସହ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନବନିର୍ମିତ ସଂସ୍କୃତି ଭବନକୁ ଲୋକାର୍ପଣ କରିବେ । ଏହାପରେ ଶ୍ରୀ ରାଧାକୃଷ୍ଣନ ପରାକ୍ରମ ଦିବସ ସଭା କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏହାପରେ ଉପରାଷ୍ଟ୍ରପତି କୋଲକାତା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟସୂଚୀ ରହିଛି । ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜିଠାରୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପରାକ୍ରମ ଦିବସ ୨୦୨୬ ଆୟୋଜନ କରାଯାଇଛି । ସ୍ୱାଧୀନତା ସଂଗ୍ରାମୀ ସୁବାସ ଚନ୍ଦ୍ର ବୋଷଙ୍କ ଜୀବନ ଏବଂ ଐତିହ୍ୟ ସହ ଜଡ଼ିତ ଦେଶର ଅନ୍ୟ ୧୩ଟି ସ୍ଥାନରେ ମଧ୍ୟ ଏହି ଉତ୍ସବ ଅନୁଷ୍ଠିତ ହେଉଛି । ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ସହିତ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ଦ୍ୱାରା ନାଟକ ପ୍ରଦର୍ଶନ କରାଯିବ । ଏହି ଉତ୍ସବ ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।












Click it and Unblock the Notifications