ଓଡ଼ିଶାରେ ସାମୁଦ୍ରିକ ବନ୍ଦର ସହ ଜଳପଥକୁ ବଜେଟ୍ରେ ଗୁରୁତ୍ଵ,ପୁରୀରେ ହେବ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ
ଓଡ଼ିଶାରେ ସାମୁଦ୍ରିକ ବନ୍ଦର ସହ ଜଳପଥକୁ ବଜେଟ୍ରେ ଗୁରୁତ୍ଵ ମିଳିଛି । କେନ୍ଦ୍ରାପଡ଼ାରେ ଏକ ଜାତୀୟ ବୃହତ୍ ଜାହାଜ ନିର୍ମାଣ କ୍ଲଷ୍ଟର ପ୍ରତିଷ୍ଠା କରାଯିବ । ଏଥିପାଇଁ ୨୨ ହଜାର ୭ ଶହ କୋଟି ଟଙ୍କା ବିନିଯୋଗ ହେବ । ଯେଉଁଥିରେ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏବଂ ପାରାଦୀପ ବନ୍ଦର ପ୍ରାଧିକରଣର ସହଭାଗିତା ରହିବ । ସେହିଭଳି ସାଗରମାଳା ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ର ୨୧ ହଜାର ୫ ଶହ କୋଟି ଟଙ୍କା ସହାୟତାରେ ଗଞ୍ଜାମର ବାହୁଡ଼ା ମୁହାଣରେ ଏକ ସବୁଦିନିଆ ସାଟେଲାଇଟ୍ ବନ୍ଦର ନିର୍ମାଣ କରାଯାଉଛି ।
ଆଭ୍ୟନ୍ତରୀଣ କାର୍ଗୋ ପରିବହନରେ ଉନ୍ନତି ଆଣିବା ପାଇଁ ୧୨ ହଜାର ୨ ଶହ କୋଟି ଟଙ୍କା ବିନିଯୋଗରେ ଜାତୀୟ ଜଳପଥ-୫ କାର୍ଯ୍ୟକ୍ଷମ କରାଯିବ । ଏଥିସହ ପୁରୀରେ ୫ ଶହ କୋଟି ଟଙ୍କା ବ୍ୟୟରେ ଏକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ହେବ । ଯାହାକି ପର୍ଯ୍ୟଟନ ଓ ବିଶ୍ଵ ସଂଯୋଗକୁ ବୃଦ୍ଧି କରିବ ।

ଏହାଦ୍ଵାରା ପର୍ଯ୍ୟଟକ ସୌଖିନ ଜାହାଜରେ ଜଳ ଯାତ୍ରାର ମଜା ନେଇ ପାରିବେ । ପୁରୀରୁ ଯାତ୍ରୀବାହୀ ଜାହାଜରେ ପାରାଦୀପ, ଦୀଘା, ଭିସାଖାପାଟଣା, ଆଣ୍ଡାମାନ୍ ନିକୋବରକୁ ଯାତାୟତ କରିପାରିବେ ପର୍ଯ୍ୟଟକ । ବ୍ରହ୍ମଗିରିରୁ ସାତପଡ଼ା ମଧ୍ୟରେ ଶ୍ରୀଜଗନ୍ନାଥ ବିମାନବନ୍ଦର ନିକଟରେ ଯାତ୍ରୀବାହୀ ଜାହାଜ ଚଳାଚଳ କେନ୍ଦ୍ର କରାଯାଇ ପର୍ଯ୍ୟଟନ ସ୍ଥଳକୁ ଆହୁରି ବଳ ଦିଆଯିବା ପାଇଁ ଯୋଜନା ହୋଇଛି । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଇପିକଲ ମିଳିତ ଭାବେ ଏହି ପ୍ରକଳ୍ପ ତିଆରି କରୁଛନ୍ତି ।












Click it and Unblock the Notifications