ଓଡିଶାବାସୀଙ୍କ ଲାଇଫ ଲାଇନ୍ ସାଜିଛି ବିଏସକେୱାଇ, ଗୋଟିଏ ମାସରେ ଉପକୃତ ହେଲେଣି ୪୪ ହଜାର ହିତାଧିକାରୀ
ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶାବାସୀଙ୍କ ଲାଇଫଲାଇନ୍ ସାଜିଛି ବିଏସକେୱାଇ ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ଼ । ଗୋଟିଏ ମାସରେ ଉପକୃତ ହେଲେଣି ୪୪ ହଜାର ହିତାଧିକାରୀ ।
ଭୁବନେଶ୍ୱର: ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶାବାସୀଙ୍କ ଲାଇଫଲାଇନ୍ ସାଜିଛି ବିଏସକେୱାଇ ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ଼ । ଗୋଟିଏ ମାସରେ ଉପକୃତ ହେଲେଣି ୪୪ ହଜାର ହିତାଧିକାରୀ । ସାଧାରଣ ଲୋକଙ୍କୁ ବିଭିନ୍ନ ସରକାରୀ ଓ ଘରୋଇ ଡ଼ାକ୍ତରଖାନାରେ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୃଷ୍ଟି କରିଛି ରୂପାନ୍ତରଣ ।

ତେବେ ମିଳିଥିବା ତଥ୍ୟ ଅନୁସାରେ, ଗତ ମେ ମାସରେ ରାଜ୍ୟ ସରକାର ଏ ବାବଦରେ ୧୧୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଯେଉଁଥିରେ ୪୪ ହଜାର ହିତାଧିକାରୀ ଏଥିରେ ଉପକୃତ ହୋଇଛନ୍ତି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ଏହି ଯୋଜନାରେ ଅନେକ ମୂଲ୍ୟବାନ ଜୀବନ ରକ୍ଷା ହୋଇ ପାରୁଥିବାରୁ ମୁଁ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏବେ ୧୫ଟି ରାଜ୍ୟର ୬୫ଟି ସୁପର ସ୍ପେଶିଆଲିଟି ହସ୍ପିଟାଲରେ ବିଏସକେୱାଇ କାର୍ଡରେ ଚିକିତ୍ସା ସୁବିଧା ମିଳୁଛି । ୯୬ ଲକ୍ଷ ଯୋଗ୍ୟ ପରିବାର ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ୯୮ ପ୍ରତିଶତ ଲୋକଙ୍କୁ ମିଳିଛି ସ୍ମାର୍ଟ ହେଲଥ କାର୍ଡ । ଯେଉଁଥିରେ ରାଜ୍ୟର ୩୨୮ଘରୋଇ ହସ୍ପିଟାଲରେ ମିଳୁଛି କ୍ୟାସଲେସ ଚିକିତ୍ସା ସୁବିଧା । ମାସକ ମଧ୍ୟରେ BSKYରେ ଚିକିତ୍ସା ଖର୍ଚ୍ଚ ୧୦୦ କୋଟି ଟଙ୍କା ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ମେ' ମାସରେ ସମୁଦାୟ ୪୩,୭୯୫ ଜଣ ହିତାଧିକାରୀ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି ଏବଂ ସେମାନଙ୍କ ଚିକିତ୍ସା ବାବଦରେ ରାଜ୍ୟ ସରକାର ୧୧୨ କୋଟି ଟଙ୍କା ବ୍ୟୟ କରିଛନ୍ତି। ହିତାଧିକାରୀଙ୍କ ମାଗଣା ଚିକିତ୍ସା ନିମନ୍ତେ ସରକାର ଦୈନିକ ୩.୭ କୋଟିରୁ ଅଧିକ ଟଙ୍କା ବ୍ୟୟ କରିଛନ୍ତି ।

ଚଳିତ ବର୍ଷ ଜାନୁଆରୀ ମାସରେ ଓଡ଼ିଶା ସରକାର ହିତାଧିକାରୀଙ୍କର ମାଗଣା ଚିକିତ୍ସା ପାଇଁ ଦୈନିକ ୧.୬ କୋଟି ଟଙ୍କା ବ୍ୟୟ କରୁଥିଲେ। ତେବେ ଏପ୍ରିଲ ମାସରେ ଦୈନିକ ଖର୍ଚ୍ଚ ୩.୧ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଫେବୃଆରୀ ଓ ମାର୍ଚ୍ଚ ମାସରେ ଦୈନିକ ଖର୍ଚ୍ଚ ଯଥାକ୍ରମେ ୨ କୋଟି ଏବଂ ୩ କୋଟି ଟଙ୍କା ରହିଥିଲା । ଜାନୁଆରୀ ମାସରେ ରାଜ୍ୟ ସରକାର BSKYରେ ହିତାଧିକାରୀଙ୍କ ଚିକିତ୍ସା ପାଇଁ ୪୭.୦୨ କୋଟି ଟଙ୍କା ଘରୋଇ ଡ଼ାକ୍ତରଖାନାକୁ ଦେଇଥିଲେ । ସେହିପରି ଫେବୃଆରୀ ମାସରେ ୬୦.୦୨ କୋଟି, ମାର୍ଚ୍ଚ ମାସରେ ୮୯.୨୭ କୋଟି ଏବଂ ଏପ୍ରିଲ ମାସରେ ୯୩.୮୬ କୋଟି ଟଙ୍କା ବ୍ୟୟ କରାଯାଇଥିଲା ।

ଏହି ଯୋଜନାରେ ହିତାଧିକାରୀଙ୍କୁ ମାଗଣା ଚିକିତ୍ସା ସହିତ ମାଗଣାରେ ଔଷଧ, କେମୋଥେରାପି, ଡାଏଲିସିସ୍, ମାଗଣାରେ ଓଟି, ଆଇସିୟୁ, ମାଗଣା ନିଦାନ ସୁବିଧା ପ୍ରଦାନ କରାଯାଉଛି । ସେହିପରି କିଡ୍ନୀ, କର୍କଟ, ହୃଦରୋଗ, ଟ୍ୟୁମର୍ ଭଳି ଜଟିଳ ରୋଗ ପାଇଁ ସୁପର ସ୍ପେଶାଲିଟି ଚିକିତ୍ସା ଉପଲବ୍ଧ କରାଯାଉଛି। ପ୍ରତ୍ୟେକ ଗରିବ ପରିବାରକୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ଓଡ଼ିଶା ସରକାର ୨୦୧୮ ଅଗଷ୍ଟ ୧୫ ତାରିଖରେ BSKY ଯୋଜନାର ଶୁଭାରମ୍ଭ କରିଥିଲେ । ପରେ ୨୦୨୧ରେ BSKYର ନବକଳେବର କରାଯାଇଥିଲା । ହିତାଧିକାରୀଙ୍କୁ କ୍ୟାସଲେସ୍ ସୁବିଧା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟକାର୍ଡ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଗୁରୁତ୍ୱପୂର୍ଣ୍ଣ ହେଉଛି ପୁରୁଷଙ୍କ ପାଇଁ ୫ ଲକ୍ଷ ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଇଛି ।












Click it and Unblock the Notifications