ବ୍ରଜରାଜନଗର ଉପନିର୍ବାଚନ: ୨୭୯ ବୁଥରେ ଭୋଟ୍ ଦେବେ ୨.୧୪ ଲକ୍ଷ ମତଦାତା
ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ । ଆଜି ରାଜନୈତିକ ଦଳମାନଙ୍କର ପ୍ରଚାର ଶେଷ ହୋଇଛି । ମେ’ ୩୦ ତାରିଖ ସନ୍ଧ୍ୟା ସୁଦ୍ଧା ପୋଲି ପାର୍ଟି ଗୁଡ଼ିକ ସେମାନଙ୍କର ନିର୍ଦ୍ଧାରିତ ବୁଥ୍ରେ ପହଞ୍ଚିବେ। ବୁଥ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ । ଆଜି ରାଜନୈତିକ ଦଳମାନଙ୍କର ପ୍ରଚାର ଶେଷ ହୋଇଛି । ମେ' ୩୦ ତାରିଖ ସନ୍ଧ୍ୟା ସୁଦ୍ଧା ପୋଲି ପାର୍ଟି ଗୁଡ଼ିକ ସେମାନଙ୍କର ନିର୍ଦ୍ଧାରିତ ବୁଥ୍ରେ ପହଞ୍ଚିବେ। ବୁଥ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ତେବେ ଉପନିର୍ବାଚନ ପାଇଁ ୧୨ ଶହ ୨୮ ଜଣ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଆଇନ୍ ଶୃଙ୍ଖଳା ପାଇଁ ୧ ହଜାର ପୋଲିସ କର୍ମଚାରୀ, ୩ କମ୍ପାନୀ ସେଣ୍ଟ୍ରାଲ ଆର୍ମ ଫୋର୍ସ ମୁତୟନ କରାଯାଇଛି । ୨ ଲକ୍ଷ ୧୪ ହଜାର ୮୭୮ ମତଦାତା ୨୭୯ ବୁଥରେ ମତଦାନ କରିବେ । ୨୨ଟି ନୂଆ ବୁଥ୍ କରାଯାଇଛି । ୬୦ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଥିବା ବେଳେ ମାଇକ୍ରୋ ଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ । ୫୦ ପ୍ରତିଶତ ବୁଥରେ ୱେବକାଷ୍ଟିଂ କରାଯିବ । ସେହିପରି ୩୦ଟି ମଡେଲ ବୁଥ୍ ଓ ୫ଟି ପିଙ୍କ୍ ବୁଥ୍ କରାଯାଉଛି।
ସୂଚନାଯୋଗ୍ୟ, ବ୍ରଜରାଜନଗର ଉପନିର୍ବାଚନ ପାଇଁ ମେ' ୩୧ ତାରିଖ ପୂର୍ବାହ୍ନ ୭ଟାରୁ ମତଦାନ ଆରମ୍ଭ ହେବ। ଏହା ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ। ମତଦାନର ଗଣତି ଓ ନିର୍ବାଚନ ଫଳାଫଳ ଜୁନ୍ ୩ ତାରିଖରେ ପ୍ରକାଶ ପାଇବ। କୋଭିଡ୍ ନଥିଲେ ବି ନିୟମ ମାନିବାକୁ କୁହାଯାଇଛି । ମାସ୍କ, ସାନିଟାଇଜର ରଖାଯିବ । ଏଥିସହ ଗ୍ରୀଷ୍ମ ପ୍ରବାହ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।
ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ରହିବ । ୧୨ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ଭୋଟ୍ ଦେଇ ପାରିବେ ଭୋଟର । ଟୋଲ୍ ଫ୍ରି ନମ୍ବର- ୧୯୫୦ ଜାରି କରାଯାଇଛି । ସବୁ ବୁଥରେ ଭୋଟର ସହାୟତା କେନ୍ଦ୍ର ଖୋଲା ଯାଇଛି । ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଘରୁ ଆଣିବା ପାଇଁ ସ୍ୱତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।












Click it and Unblock the Notifications