ମହଙ୍ଗା ପଡ଼ିଲା କ୍ୟାରି ବ୍ୟାଗ୍, ୧୬ ଟଙ୍କା ପାଇଁ ୩୩ ହଜାର ଟଙ୍କା ତଣ୍ଡ ଗଣିବ ସପିଂ ମଲ୍
ବଲାଙ୍ଗୀର: ମହଙ୍ଗା ପଡ଼ିଲା କ୍ୟାରି ବ୍ୟାଗ୍ । ମାତ୍ର ୧୬ ଟଙ୍କାର ବ୍ୟାଗ୍ ପାଇଁ ଏବେ ଦେବାକୁ ହେବ ୩୩ ହଜାର ଟଙ୍କା । ଜିଲ୍ଲା ଖାଉଟି ଅଦାଲତ ବିଶାଲ ମେଗା ମାର୍ଟ ଉପରେ ୩୩ ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି। ଜଣେ ଗ୍ରାହକଙ୍କ ଠାରୁ ବ୍ୟାଗ ପାଇଁ ୧୬ ଟଙ୍କା ଆଦାୟ ଅଭିଯୋଗରେ ଏକ ସପିଂ ମଲ ଉପରେ ୩୩ ହଜାର ଟଙ୍କା ଜୋରିମାନା କରାଯାଇଛି ।

ମିଳିଥିବା ସୂଚନାନୁସାରେ, ମଲ୍ରେ କିଛି ଜିନିଷ କିଣିବା ପରେ ଗ୍ରାହକଙ୍କୁ ବ୍ୟାଗ ପାଇଁ ୧୬ ଟଙ୍କା ଚାର୍ଜ କରିଥିଲା ଏହି ସପିଂ ମଲ୍ । ସୂର୍ଯ୍ୟକାନ୍ତ ବାଗ ନାମକ ଜଣେ ଗ୍ରାହକ ଗତ ସେପ୍ଟେମ୍ବର ମାସରେ ବିଶାଲ ମେଗା ମାର୍ଟକୁ ଡ୍ରେସ କିଣିବାକୁ ଯାଇଥିଲେ । ଡ୍ରେସ କିଣିବା ପରେ କ୍ୟାରି ବ୍ୟାଗ ମାଗଣାରେ ନଦେଇ ସେଥିପାଇଁ ଅତିରିକ୍ତ ୧୬ ଟଙ୍କା ନେଇଥିଲା ବିଶାଲ ମେଗା ମାର୍ଟ । ଏନେଇ ସୂର୍ଯ୍ୟକାନ୍ତ ବାଗ ଓରଫ ସୁଶାନ୍ତ, ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଅଦାଲତ ବିଶାଲ ମେଗା ମାର୍ଟକୁ ଦୋଷୀ ସାବ୍ୟସ୍ତ କରି ୩୩ ହଜାର ଟଙ୍କା ଜରିମାନା ଦେବା ପାଇଁ ନିର୍ଦେଶ ଦେଇଛନ୍ତି । ସେପଟେ ବଲାଙ୍ଗିର ବିଶାଲ ମେଗା ମାର୍ଟ କର୍ତ୍ତୃପକ୍ଷ କହିଛନ୍ତି, ଖାଉଟି ଅଦାଲତଙ୍କ ଆଦେଶ ଉପରେ ଉପରିସ୍ଥ ଅଧିକାରୀ ପଦକ୍ଷେପ ନେବେ ।
ସୂର୍ଯ୍ୟକାନ୍ତଙ୍କ କହିବାନୁଯାୟୀ, ପେମେଣ୍ଟ କାଉଣ୍ଟରରେ କର୍ମଚାରୀମାନେ ବିନା ବ୍ୟାଗରେ ସେମାନଙ୍କୁ ଜିନିଷ ଦେଇଥିଲେ ଏବଂ ବ୍ୟାଗ୍ ନେବାକୁ ଚାହୁଁଥିଲେ ୧୬ ଟଙ୍କା ଦେବାକୁ ପଡିବ ବୋଲି ତାଙ୍କୁ କୁହାଯାଇଥିଲା । ଯାହାକୁ ନେଇ ସେ ସପିଂ ମଲ ବିରୋଧରେ ଖାଉଟି ଫୋରମରେ ଏକ ପିଟିସନ ଦାଖଲ କରିଥିଲେ । ତେବେ ଫୋରମର ଏହି ନିଷ୍ପତ୍ତିରେ ସେ ଖୁସି ପ୍ରକାଶ କରିଛନ୍ତି ।












Click it and Unblock the Notifications