ପୋଷା କୁକୁର ରଖିବା ଉପରେ କଟକଣା ଲଗାଇଲା ବିଏମସି
ଅନୁମତି ନିଅ । କୁକୁର ରଖ । ବିଏମସି ଆଣିବା ନୂଆ ନିୟମ । ଏଣିକି ରାଜଧାନୀରେ ଘରେ ପୋଷା କୁକୁର ରଖିବାକୁ ଚାହୁଁଥିଲେ ପ୍ରଥମେ ବିଏମସି ପାଖରେ ପଞ୍ଜୀକରଣ କରିବାକୁ ହେବ । ନଚେତ୍ କୁକୁର ରଖିବାକୁ ଅନୁମତି ମିଳିବନି ।
ଭୁବନେଶ୍ୱର: ଅନୁମତି ନିଅ । କୁକୁର ରଖ । ବିଏମସି ଆଣିବା ନୂଆ ନିୟମ । ଏଣିକି ରାଜଧାନୀରେ ଘରେ ପୋଷା କୁକୁର ରଖିବାକୁ ଚାହୁଁଥିଲେ ପ୍ରଥମେ ବିଏମସି ପାଖରେ ପଞ୍ଜୀକରଣ କରିବାକୁ ହେବ । ନଚେତ୍ କୁକୁର ରଖିବାକୁ ଅନୁମତି ମିଳିବନି । ଖୁବଶୀଘ୍ର ଏ ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର (ଏସ୍ଓପି) ଆସିବ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । କହିରଖୁ କି, ପୋଷା କୁକୁର ରଖିବାକୁ ନେଇ ଇନଫୋସିଟି ଅଞ୍ଚଳରେ ତୁମୁଳକାଣ୍ଡ ହେବା ପରେ ବିଏମସି ନୂଆ ଗାଇଡଲାଇନ ଆଣିବାକୁ ଯାଉଛି ।

ପୋଷା କୁକୁର ରଖିବା ପାଇଁ ପଞ୍ଜିକରଣ ଠାରୁ ନେଇ କୁକୁରଙ୍କ ମଳତ୍ୟାଗ, ସେମାନଙ୍କୁ ବାହାରେ ବୁଲାଇବା ପାଇଁ ଆବଶ୍ୟକ ନିୟମ ଧାର୍ଯ୍ୟ କରାଯିବ । କୁକୁରଙ୍କୁ ନିୟମିତ ଟିକାକରଣ ସହ ସେମାନଙ୍କ ଖାଦ୍ୟପେୟ ଓ ସ୍ୱାସ୍ଥ୍ୟଗତଦିଗକୁ ମଧ୍ୟ ବିଚାରକୁ ନେଇ ଗାଇଡଲାଇନରେ ବ୍ୟବସ୍ଥା ରହିବ । କେଉଁ କେଉଁ ସର୍ବସାଧାରଣ ସ୍ଥାନକୁ ପୋଷା କୁକୁରଙ୍କୁ ନେଇହେବ ଓ ଏଥିପାଇଁ କ'ଣ ସବୁ ନିୟମ ରହିବ ତାହା ବି ଏସଓପିରେ ରଖାଯିବ ।
ବିଏମସି କମିସନର୍ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ଯେଉଁମାନେ କୁକୁର, ଗାଈ ସମେତ ଗୃହପାଳିତ ପଶୁ ପାଳିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ବିଏମସି ଖୁବ୍ ଶୀଘ୍ର ଏକ ଗାଇଡଲାଇନ୍ ଆଣିବ । ଗୃହପାଳିତ ପଶୁ ପାଳିବା ପାଇଁ ଘର ଭିତରେ ପର୍ଯାପ୍ତ ସ୍ଥାନ ରହିବା ଦରକାର । ଯେପରି ପଡୋଶୀ କିମ୍ବା ଆଉ କାହାରି ଅସୁବିଧା ସୃଷ୍ଟି କରୁନଥିବ ବୋଲି ସେ କହିଛନ୍ତି । ବିଏମସିର ଟିମ୍ ଏ ନେଇ ଆବଶ୍ୟକ ପଡିଲେ ଅଚାନକ ଯାଞ୍ଚ କରିବେ । ଯେଉଁମାନେ ଏହି ନୂଆ ଗାଇଡଲାଇନକୁ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଲାଙ୍ଗେ କହିଛନ୍ତି ।
ତେବେ ଆନିମଲ ୱେଲଫେୟାର ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ, ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ଼, ବେଙ୍ଗାଲୁରୁ ଏବଂ କୋଚିନ ଭଳି ବିଭିନ୍ନ ସହରରେ ପୋଶା ପଶୁଙ୍କ ପାଇଁ ଗାଇଡଲାଇନ ରହିଛି। ଏହି ଶୈଳୀରେ ରାଜଧାନୀରେ ମଧ୍ୟ ଏକ ଗାଇଡଲାଇନ୍ ବିଏମସି ଆଣିବ ବୋଲି ସୂଚନା ରହିଛି ।












Click it and Unblock the Notifications