ହଟିବ ନୟାପଲ୍ଲୀ ରାସ୍ତାକଡ କାନ୍ଥରେ ଅଙ୍କା ଯାଇଥିବା ଏହି କରୋନା ସଚେତନତା ଚିତ୍ର
ଖବର ପ୍ରସାରଣ ପରେ ତତ୍ପର ହେଲେ ବିଏମସି କତୃପକ୍ଷ । ଏବେ ହଟିବ ଏହି ଅଶ୍ଲୀଳ ଇଙ୍ଗିତ କରୁଥିବା ଚିତ୍ର । ଏହି ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର ସଂଜୟ ସିଂହ ।
ଭୁବନେଶ୍ବର: ଖବର ପ୍ରସାରଣ ପରେ ତତ୍ପର ହେଲେ ବିଏମସି କତୃପକ୍ଷ । ଏବେ ହଟିବ ଏହି ଅଶ୍ଲୀଳ ଇଙ୍ଗିତ କରୁଥିବା ଚିତ୍ର । ଏହି ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର ସଂଜୟ ସିଂହ । ସେ କହିଛନ୍ତି, ତୁରନ୍ତ କାନ୍ଥ ବାଡରୁ ଏହି ଚିତ୍ର ସବୁ ହଟାଇ ଦିଆଯିବ । ଏହାର ତଦନ୍ତ ପାଇଁ ସିଟି ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଏଭଳି ଚିତ୍ର କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର ପ୍ରତିଶ୍ରୁତି ଦେଇଛନ୍ତି ।

ସଚେତନତା ନାଁରେ ଅଙ୍କା ଯାଇଥିବା ଚିତ୍ରକୁ ନେଇ ସୋସିଆଲ ମିଡିଆ ଅସନ୍ତୋଷ ପ୍ରକାଶ ପାଇଛି । ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ତରଫରୁ ଅଙ୍କା ଯାଇଥିବା ଏହି ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । କରୋନାକୁ ସ୍ୱାସ୍ଥ୍ୟକର୍ମୀମାନେ କେମିତି ମାତ୍ ଦେଉଛନ୍ତି, ସେ ବିଷୟରେ ଦର୍ଶାଇବାକୁ ଯାଇ ବିଏମସିର ଚିତ୍ରକରମାନେ ଅଶ୍ଳୀଳ ଚିତ୍ର ଆଙ୍କିଛନ୍ତି । ଫେସବୁକ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଏମସିର ଏହି କାମକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ଚିତ୍ରଟି ନୟାପଲ୍ଲୀ ବ୍ରିଟ କଲୋନୀ ପାଖରେ ଥିବା ରାସ୍ତାକଡ ପାଚେରୀରେ ଅଙ୍କାଯାଇଛି । ଯେଉଁଥିରେ କରୋନା ଭୂତାଣୁର ସାଂକେତିକ ଚିତ୍ର କରାଯାଇଥିବା ବେଳେ ଆଗଧାଡିର ଯୋଦ୍ଧା କୁହାଯାଉଥିବା ଡାକ୍ତର ଓ ନର୍ସଙ୍କର ଚିତ୍ର ରହିଛି । ଯେଉଁମାନେ କାନ୍ଥରେ ଚିତ୍ରିତ ଥିବା ଭୂତାଣୁ ଆଡକୁ ମଝି ଆଙ୍ଗୁଠି ଦେଖାଉଥିବାର ଦେଖିବାକୁ ମିଳିଛି । କିନ୍ତୁ ଏଭଳି ଇଙ୍ଗିତକୁ ଅଶ୍ଲୀଳ ବୋଲି ଧରାଯାଏ । ଯାହା ପିଲାଙ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇବ ।












Click it and Unblock the Notifications