ଆସନ୍ତାକାଲି ବିଜେପିର ବିଧାୟକ ଦଳ ବୈଠକ; ମୁଖ୍ୟମନ୍ତ୍ରୀ ନେଇ ଚିତ୍ର ସ୍ପଷ୍ଟ ହୋଇପାରେ
ଆସନ୍ତାକାଲି ବିଜେପିର ବିଧାୟକ ଦଳ ବୈଠକ । ନିର୍ବାଚିତ ବିଧାୟକଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ । ବୈଠକରେ ମୁଖ୍ୟମନ୍ତ୍ରୀ ବାଛିବେ ନେତା ।
କେନ୍ଦ୍ରରୁ ଅନୁମୋଦିତ ହୋଇଥିବା ମୁଖ୍ୟମନ୍ତ୍ରୀ ନାଁ ଉପରେ ବିଧାୟକ ଦଳ ବୈଠକରେ ଚୂଡାନ୍ତ ସହମତି ଦେଇ ମୁଖ୍ୟମନ୍ତ୍ରୀ ବାଛିବେ । ଏନେଇ ସୂଚନା ଦେଇଛନ୍ତି କୁଚିଣ୍ଡା ବିଧାୟକ ରବି ନାୟକ ।

ରାଜ୍ୟରେ ବିଜେପି ସଂଖ୍ୟା ଗରିଷ୍ଠତା ହାତେଇଥିବାବେଳେ ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନେକ ଚେହେରା ଉପରେ ନଜର ରହିଛି । ତେବେ ବିଧାୟକ ବୈଠକରେ ଏନେଇ ଘୋଷଣା ହୋଇପାରେ ।
ଜୁନ୍ ୧୦ତାରିଖରେ ଜନତା ମଇଦାନରେ ପ୍ରାୟ ୩୦ହଜାରରୁ ଅଧିକ ଜନତାଙ୍କ ଗହଣରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ହେଲେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ସଂପର୍କରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇ ନ ଥିବାରୁ କେଉଁ ଦିନ ଶପଥ ଗ୍ରହଣ ଉତ୍ସବ ହେବ ସେ ନେଇ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ କିଛି ଅବଗତ କରାଯାଇନି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ ଜୁନ୍ ୧୦ତାରିଖରେ ଓଡ଼ିଶାର ଓଡ଼ିଆ ପୁଅ/ଝିଅ ଶପଥ ନେବେ ବୋଲି ଘୋଷଣା କରିଥିବାରୁ ଏହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ନଜରରେ ରଖି ମୁଖ୍ୟ ସଚିବ ପି.କେ ଜେନାଙ୍କ ଅଧ୍ୟକ୍ଷତାରେ ଶପଥ ଗ୍ରହଣ ଉତ୍ସବ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ଏଥିରେ କେଉଁ ବିଭାଗ କ'ଣ କରିବେ ସେନେଇ ଦାୟିତ୍ବ ବଣ୍ଟାଯାଇଛି । ନିଷ୍ପତ୍ତି ହୋଇଛି ଯେ ଜନତା ମଇଦାନରେ ଶପଥ ଗ୍ରହଣ ଉତ୍ସବ ହେବ । ଏଥିରେ ପ୍ରାୟ ୩୦ହଜାର ଲୋକଙ୍କ ସମାବେଶ ହେବାକୁ ଥିବାରୁ ଏହାକୁ ନଜରରେ ରଖି ହ୍ୟାଙ୍ଗର ନିର୍ମାଣ ହେବ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ, ପ୍ରାୟ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାକୁ ଥିବାରୁ ସ୍ବତନ୍ତ୍ର ଭିଆଇପି ଲାଉଞ୍ଜ ହେବ।












Click it and Unblock the Notifications