ପାଣ୍ଡିଆନଙ୍କ ପାଇଁ ଟିକେଟ କାଟିଲା ବିଜେପି, ଜାଣନ୍ତୁ ଦଳ ଏଭଳି କାହିଁକି କରିଲା
ଭୁବନେଶ୍ୱର: ଦେଶରେ ପଂଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ସୋମବାରଦିନ ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୯ଟି ଲୋକସଭା ଆସନରେ ଭୋଟଗ୍ରହଣ ହେବ । ବିଶେଷ କରି ଓଡ଼ିଶାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଜାରି ରହିଥିଲା ବେଳେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି । ଏହାରି ମଧ୍ୟରେ ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପାଇଁ ଭୁବନେଶ୍ୱରରୁ ଚେନ୍ନାଇ ନକଲ ଫ୍ଲାଇଟ ଟିକେଟ କାଟି କଟାକ୍ଷ କରିଛି ଭାରତିୟ ଜନତା ପାର୍ଟି ।
ଶନିବାର ଆସାମ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ସତ୍ୟବାଦୀ ସଭାରେ ଲୋକମାନଙ୍କୁ ଟଙ୍କାଏ, ଦୁଇଟଙ୍କା ଚାନ୍ଦା କରି ପାଣ୍ଡିଆନଙ୍କ ପାଇଁ ତାମିଲନାଡୁକୁ ପ୍ଲେନ ଟିକେଟ କିଣିବାକୁ ଅପିଲ କରିଥିଲେ ଏବଂ ଏମିତି କଲେ ରାଜ୍ୟ ବଞ୍ଚିଯିବ ବୋଲି କହିଥିଲେ । ଆସାମ ମୁଖ୍ୟମନ୍ତ୍ରୀଙ୍କ ଏହି କଥା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଭାଜପାର ଏକ ପୋଷ୍ଟ ଏହି କଥାକୁ ଆଉ ଟିକିଏ ଚର୍ଚ୍ଚିତ କରିଛି ।

ବିଜେପି ଓଡ଼ିଶା ଶାଖା ନିଜର 'ଏକ୍ସ' ହ୍ୟାଣ୍ଡଲରେ(ଟ୍ୱିଟର) ' #ByeByePandian ' 'ବାଏବାଏପାଣ୍ଡିଆନ' ହ୍ୟାସଟ୍ୟାଗ୍ ସହ ଏକ ଡେମୋ ବିମାନ ଟିକେଟ୍ ଅପଲୋଡ୍ କରିଛି । ଯାହାକି ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ରହିଛି । ୨୦୨୪ ଜୁନ୍ ୪ତାରିଖରେ ଭୁବନେଶ୍ୱରରୁ ଚେନ୍ନାଇ ଯିବା ପାଇଁ ଇକୋନୋମି କ୍ଲାସରେ ଏହି ବିମାନ ଟିକେଟ୍ ପ୍ରସ୍ତୁତ କରାଯାଇଛି ।
ପାଣ୍ଡିଆନଙ୍କୁ ଟାର୍ଗେଟ ପାଇଁ ବିଜେପି ଆପଣାଇଥିବା ଏହି କୌଶଳକୁ ନେଇ ବିଜେଡି ଓ ବିଜେପି ସମର୍ଥକମାନଙ୍କ ମଧ୍ୟରେ ସୋସିଆଲ ମିଡିଆୱାର ଆରମ୍ଭ ହୋଇଛି ।












Click it and Unblock the Notifications