ବିଜେପି ସରକାରକୁ ପୁରିଲା ବର୍ଷେ: କେତେ ସଫଳ ହୋଇଛି ମୋହନ ସରକାର ?
ମୋହନ ସରକାରଙ୍କୁ ବର୍ଷେ । ଆଜି ଜୁନ ୧୨ ୨୦୨୫ । ଠିକ୍ ବର୍ଷେ ତଳେ ଆଜିର ଦିନରେ ୨୦୨୪ ଜୁନ ୧୨ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜିଠୁ ଆରମ୍ଭ ହେବ ସରକାରଙ୍କ ଦ୍ୱିତୀୟ ବର୍ଷର କାର୍ଯ୍ୟ ।
ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି କିଛି ପୂରଣ ହୋଇଛି, ଆଉ କିଛି ବାକି ରହିଛି । ସରକାର ଗଠନର ପ୍ରଥମ ଦିନରେ କ୍ୟାବିନେଟ ବୈଠକ ଡାକି ୪ଟି ବଡ଼ ଯୋଜନା ଉପରେ ମୋହର ମାରିଥିଲେ ମୁଖ୍ୟମନ୍ତ୍ରୀ । ନିର୍ବାଚନ ପ୍ରତିଶ୍ରୁତି ପୂରଣର ଏହା ଥିଲା ଏକ ବଡ଼ ପଦକ୍ଷେପ ।
ପ୍ରଥମ କ୍ୟାବିନେଟ ବୈଠକରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ନିଷ୍ପତ୍ତି ନେଇଥିଲେ ସରକାର । ଏହାରି ଭିତରେ ସୁଭଦ୍ରା ଯୋଜନାରେ ଦୁଇଟି କିସ୍ତିରେ ମହିଳାଙ୍କୁ ଟଙ୍କା ଦିଆସରିଲାଣି । ପୁଣି ଧାନର ଏମଏସପି ଉପରେ ୮୦୦ ଟଙ୍କାର ବୋନସ ବି ଦିଆଯାଇଛି । ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ବଜେଟରେ ବ୍ୟୟବରାଦ କରାଯାଇଛି । ସରକାରଙ୍କ ସଫଳତା ତାଲିକାରେ ଏହି ପ୍ରସଙ୍ଗ ଆଗରେ ରହିଛି । ଏହାବାଦ ମୋହନ ସରକାର ପ୍ରଥମ ବର୍ଷ କାର୍ଯ୍ୟକାଳ ଭିତରେ ସରକାର ଓ ଲୋକଙ୍କ ମଧ୍ୟରେ ବ୍ୟବଧାନ ଦୂର ହୋଇଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏକପ୍ରକାର ବନ୍ଦ ଥିଲା ବେଳେ ଏବେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବସି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ବହୁ ଆଶା ନେଇ ଆସୁଥିବା ସାଧାରଣ ଲୋକଟିଏ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣାଇ ଆବେଦନପତ୍ରଟି ହସ୍ତାନ୍ତର କରିପାରୁଛି। ଫଳରେ ରାଜ୍ୟରେ ଶାସନର ସର୍ବୋଚ୍ଚ କର୍ତ୍ତା ଓ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟବଧାନ ଦୂର ହୋଇପାରିଛି। କେବଳ ଭୁବନେଶ୍ବର ନୁହେଁ, ସମ୍ବଲପୁରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କରାଯାଇଛି। ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ଏହା ଏକ ବଡ଼ ଉପଲବ୍ଧି ବୋଲି ରାଜନୈତିକ ସମୀକ୍ଷକମାନେ ବିଚାର କରୁଛନ୍ତି। ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ଏହାକୁ ଜୋର୍ଦାର ପ୍ରଚାର କରାଯାଉଛି। ନିଜେ ମୁଖ୍ୟମନ୍ତ୍ରୀ ଶାସନର ପ୍ରଥମ ବର୍ଷରେ ସବୁ ଜିଲ୍ଲାକୁ ଗସ୍ତ କରିସାରିଛନ୍ତି। ଏହି ଗସ୍ତ ସମୟରେ ସେ ଜିଲ୍ଲାର ସବୁ ବିକାଶମୂଳକ ପ୍ରକଳ୍ପର ସିଧାସଳଖ ସମୀକ୍ଷା କରୁଛନ୍ତି। କିଛି ଜିଲ୍ଲାରେ ବିରୋଧୀ ବିଧାୟକ ବି ସମୀକ୍ଷା ବୈଠକରେ ବସୁଥିବାର ଦେଖିବାକୁ ମିଳୁଛି। ଏହା ବାଦ୍ ସରକାରଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟକୁ ବି ପ୍ରଶଂସା ମିଳିଛି। ବର୍ଷକ ମଧ୍ୟରେ କିରାଣିଙ୍କଠାରୁ ଆରମ୍ଭ କରି ଯନ୍ତ୍ରୀ, ଓଏଏସ୍ ଓ ଆଇଏଏସ୍ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଓଡ଼ିଆ ଅସ୍ମିତାର ନାରା ଦେଇ ବିଜେପି କ୍ଷମତାକୁ ଆସିଛି। ତେଣୁ ଓଡ଼ିଆ ଅସ୍ମିତାର ସୁରକ୍ଷା ହିଁ ଦଳ ପାଇଁ ବଡ଼ ଆହ୍ବାନ। ଏ ଦିଗରେ ପ୍ରଥମ ବର୍ଷରେ କିଛିଟା ପଦକ୍ଷେପ ନିଆଯାଇଛି। ମହାପୁରୁଷଙ୍କ ସ୍ମୃତିରକ୍ଷା ଉଦ୍ୟମ, ଅସ୍ମିତା ଭବନ ପାଇଁ ବଜେଟ୍ ବ୍ୟବସ୍ଥା, ସଂସ୍କୃତି ବିଭାଗର ବଜେଟ୍ ପରିମାଣ ବୃଦ୍ଧି, ଓଡ଼ିଆ ପକ୍ଷ ପାଳନ, ଶାସନରେ ଓଡ଼ିଆ ଭାଷା ବ୍ୟବହାର ଆଦି ପଦକ୍ଷେପ ନିଆଯାଇଛି। ଏ ଦିଗରେ ସରକାରଙ୍କୁ ଆହୁରି ଯୋଜନାବଦ୍ଧ ଉଦ୍ୟମ କରିବା ଦରକାର ବୋଲି କୁହାଯାଉଛି। ବର୍ଷକ ଭିତରେ ସରକାରଙ୍କ ବିରୋଧରେ ବିରୋଧୀ ଦଳ ପକ୍ଷରୁ କୌଣସି ବଡ଼ଧରଣର ଆନ୍ଦୋଳନ ହୋଇ ନାହିଁ। ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନଙ୍କୁ ଅଡ଼ୁଆରେ ପକାଇଲା ପରେ କୌଣସି ବଡ଼ ପ୍ରସଙ୍ଗ ବିରୋଧୀ ଦଳ ଉଠାଇ ନାହାନ୍ତି। ମୁଖ୍ୟ ବିରୋଧୀ ଦଳ ବିଜେଡି ଏବେ ଦୋଛକିରେ ରହିଛି। ଦଳ ଭିତରେ ଆଭ୍ୟନ୍ତରୀଣ ବିବାଦ ବଢ଼ିଛି ଓ ଦିଶାହୀନ ହୋଇ ଚାଲିଛି। କଂଗ୍ରେସ ଆଗ ଅପେକ୍ଷା ସକ୍ରିୟ ହୋଇଛି ସତ, କିନ୍ତୁ ପୂରା ଦମ୍ରେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇନି।












Click it and Unblock the Notifications