କରୋନା ଜନିତ ଦୁର୍ଦ୍ଦଶା ପାଇଁ ବିଜେପି ଓ ମୋଦି-ଶାହା ଦାୟୀ: କଂଗ୍ରେସ
କରୋନା ଜନିତ ଦୁର୍ଦ୍ଦଶା ପାଇଁ ବିଜେପି ଓ ମୋଦି-ଶାହା ଦାୟୀ: କଂଗ୍ରେସ
ଭୁବନେଶ୍ୱର: ଦେଶରେ କରୋନା ଜନିତ ସ୍ଥିତି ଭୟଙ୍କର । ସଂକ୍ରମଣ ଦିନକୁ ୩ ଲକ୍ଷ ଟପିଲା ଓ ମୃତ୍ୟୁ ସଂଖ୍ୟା ୨୫୦୦ ହୋଇଛି । ରାଜ୍ୟର ସ୍ଥିତି ମଧ୍ୟ ଭୟଙ୍କର । ପୂର୍ବଥର ଅପେକ୍ଷା ସଂକ୍ରମଣ ଖୁବ୍ ଅଧିକ । ଦିନକୁ ୫ ହଜାରରୁ ଅଧିକ ଆକ୍ରାନ୍ତ । ଦେଶରେ ଅମ୍ଳଜାନ ଅଭାବରୁ ଶତାଧିକ ରୋଗୀ ମରୁଛନ୍ତି । ଦେଶର ଅର୍ଥନୀତି ଗତବର୍ଷ ଅପେକ୍ଷା ଆହୁରି ଅଧିକ ଖରାପ ହେବ ଓ ବେରୋଜଗାରୀ ବଢ଼ିବ ।

ଏପରି ସ୍ଥିତିରେ ସରକାରରେ ଥିବା ଅହଂକାରୀ ବାହାଦୁରିଆ ଶାସକ ଶ୍ରେଣୀ ଅନ୍ତତଃ ଆତଙ୍କ ସୃଷ୍ଟି ନକରି ଚୁପ୍ ରହିବା ଉଚିତ୍ ବୋଲି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ ନେତା ମନୋରଞ୍ଜନ ଦାଶ ଓ ମୁଖପାତ୍ର ପ୍ରଶାନ୍ତ ଶତପଥୀଙ୍କ ଉପସ୍ଥିତିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଦେଶର ଏହି ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ସେ ଦାୟୀ କରିଛନ୍ତି । ସେରମ୍ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ କୋଭିସିଲ୍ ଟିକାର ମୂଲ୍ୟ କେନ୍ଦ୍ର ସରକାରଙ୍କ ପାଇଁ ୧୫୦ ଟଙ୍କା ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ୪୦୦ ଓ ପ୍ରାଇଭେଟ୍ ହସ୍ପିଟାଲ ପାଇଁ ୬୦୦ ଟଙ୍କା ଭଳି ତାରତମ୍ୟ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଦେଶର ତିନିଜଣ ବିଶିଷ୍ଟ ଚିକିତ୍ସକ ଏମ୍ସ୍ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ଡାକ୍ତର ଦେବୀ ସେଟ୍ଟୀ, ଡାକ୍ତର ନରେଶ ତ୍ରେହାନ୍ ଖୋଲାଖୋଲି ଭାବେ କହିଛନ୍ତି ଯେ ବ୍ୟବହୃତ ରେମ୍ଡେସିଭର୍ ଆଦୌ ରାମବାଣ ନୁହେଁ ବରଂ ମାସ୍କ ଓ ସାମାଜିକ ଦୂରତା ହିଁ ସଂକ୍ରମଣରୁ ରକ୍ଷାର ବଡ ବିକଳ୍ପ । ମୋଦି-ଶାହା ଏହା ଉପରେ ଗୁରୁତ୍ୱ ଦେଇ ଅନ୍ତତଃ ତାଙ୍କ ଦଳର ନେତାନେତ୍ରୀମାନଙ୍କୁ ମୁହଁରେ ମୁଖା ବାନ୍ଧିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କଂଗ୍ରେସ କହିଛି ।












Click it and Unblock the Notifications