ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା ମାମଲା : ଆସିଲା ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ
ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା ମାମଲା : ଆସିଲା ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ ,
ପୁରୀ: ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା ମାମଲା । ପୁରୀ ଜିଲ୍ଲା ନିମାପଡ଼ା ୧୧ ନଂ ଜୋନର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି । ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ର ସାହୁଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ ହୋଇଛି । ଶରୀରର ଅନ୍ୟ କୌଣସି ସ୍ଥାନରେ ଆଘାତ ଚିହ୍ନଟ ହୋଇ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ସୂଚନାଥାଉ କି, ଭୁବନେଶ୍ୱର ଶିଶୁପାଳ ସ୍ଥିତ ବାସଭବନରୁ ଶନିବାର ଦିନ ସକାଳୁ ଝୁଲନ୍ତା ଅବସ୍ଥାରେ ଧର୍ମେନ୍ଦ୍ର ସାହୁଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଫେସବୁକରେ ଲେଖିଥିବା ତଥ୍ୟକୁ ନେଇ ସସପେନ୍ସ ଲାଗି ରହିଛି ଯେଉଁଥିରେ ସେ ଲେଖିଥିଲେ ଯେ' ମୋ ଫୋନ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ ' । ତେବେ ଏ ପର୍ଯ୍ୟନ୍ତ ମୋବାଇଲରେ ରହିଥିବା ଭିଡିଓ ବିଷୟରେ କିଛି ସୂଚନା ମିଳିନାହିଁ । ଧର୍ମେନ୍ଦ୍ର ସାହୁଙ୍କର ଦୁଇଟି ମୋବାଇଲକୁ ପୋଲିସ ଜବତ କରିବା ସହ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଇଛି ।
ସେହିପରି ମୃତ୍ୟୁର କିଛି ଦିନ ପୂର୍ବରୁ ମଧ୍ୟ ଧର୍ମେନ୍ଦ୍ର ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେବେ ପାରିବାରିକ କଳହରୁ ସେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି ସନ୍ଦେହ କରାଯାଉଛି ।












Click it and Unblock the Notifications