ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ ପାଇଁ ହ୍ୱିପ୍ ଜାରି କଲା ବିଜେଡି
ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ ପାଇଁ ହ୍ୱିପ୍ ଜାରି କଲା ବିଜେଡି । ଦଳର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ବିଜେଡ଼ିର ହ୍ୱିପ୍ । ମହିଳା ସଂରକ୍ଷଣ ବିଲ୍ ଉପରେ ଆଜି ରାଜ୍ୟସଭାରେ ହେବ ଆଲୋଚନା। ଗତକାଲି ଲମ୍ବା ବିତର୍କ ପରେ ଲୋକସଭାରେ ପାରିତ ହୋଇଛି ଐତିହାସିକ ମହିଳା ସଂରକ୍ଷଣ ବିଲ୍ ।
ନୂତନ ସଂସଦ ଗୃହରେ ଲୋକସଭାରେ 'ମହିଳା ସଂରକ୍ଷଣ ବିଲ୍' ପାରିତ ହୋଇଛି । ଲୋକସଭାରେ ମହିଳାଙ୍କ ପାଇଁ 33% ସିଟ୍ ସଂରକ୍ଷିତ ରହିବ । ଆପଣଙ୍କୁ କହି ରଖୁଛୁ, ଏହି ଆଇନ ଲୋକସଭା ଓ ରାଜ୍ୟସଭାର ଉଭୟ ଗୃହ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ହିଁ ଲାଗୁ ହେବ ।
ଏହା ପାରିତ ହେବା ମାତ୍ରେ ଲୋକସଭା ତଥା ରାଜ୍ୟ ବିଧାନସଭାରେ 33 ପ୍ରତିଶତ ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ । ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ 454 ଭୋଟ୍ ପଡ଼ିଛି । ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ଲୋକସଭାରେ ଏହି ବିଲ୍ ପାରିତ ହୋଇଛି । ଏହା ବିରୋଧରେ କେବଳ 2 ଟି ଭୋଟ୍ ମିଳିଛି ।

ମହିଳା ସଂରକ୍ଷଣ ବିଲ୍ ଉପରେ ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିବୃତି ରଖିଛନ୍ତି । ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ବେଳେ ସେ କହିଛନ୍ତି, କିଛି ଦଳ ପାଇଁ ମହିଳା ସଶକ୍ତିକରଣ ନିର୍ବାଚନରେ ଜିତିବା ପାଇଁ ଏକ ରାଜନୈତିକ ଏଜେଣ୍ଡା ଏବଂ ରାଜନୈତିକ ହତିଆର ହୋଇପାରେ, କିନ୍ତୁ ବିଜେପି ଏବଂ ନରେନ୍ଦ୍ର ମୋଦିଙ୍କ ପାଇଁ ଏହା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ।
କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମଧ୍ୟ ଏହି ବିଲକୁ ସମର୍ଥନ କରିଛନ୍ତି । ଯଦିଓ ଏହି ବିଲ୍ ଉପରେ ଆଲୋଚନା ସମୟରେ କିଛି ଲୋକ ଏହାକୁ ବିରୋଧ କରିଥିଲେ, କିନ୍ତୁ ଭୋଟ୍ ଦେବା ସମୟରେ ସମସ୍ତେ ଏହା ସହ ଠିଆ ହୋଇଥିବା ଦେଖାଯାଇଥିଲା ।












Click it and Unblock the Notifications