ପଦାରେ ବୁଲୁଛି ବିଜେଡି କନ୍ଦଳ; ଲେଲିଙ୍କ ବୟାନ ପରେ ଅମର କହିଲେ ମୁଁ ସ୍ଵାଧୀନ
ବିଜେଡି କନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ଏହି କନ୍ଦଳରେ ନିଆଁ ଲଗାଇ ଦେଇଛି ଲେନିନ ମହାନ୍ତିଙ୍କ ବିସ୍ଫୋରକ ବୟାନ। ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ କଡ଼ା ଆକ୍ରମଣ କରିଛନ୍ତି ଲେନିନ। ସେ କହିଛନ୍ତି, ଅମର ଦଳ ଛାଡ଼ି ପଳାନ୍ତୁ। ଯାହାଙ୍କୁ ଦଳରେ ଅଣନିଃଶ୍ବାସୀ ଲାଗୁଛି, ସେ ଛାଡ଼ି ପଳାଇଲେ ଭଲହୁଅନ୍ତା ବୋଲି ଲେନିନ କହିଛନ୍ତି।

ସେ ତ ନିଜ ପୁତୁରାଙ୍କୁ ଆଗରୁ ଭାଜପାକୁ ଛାଡ଼ିଛନ୍ତି, ଏବେ ନିଜେ ପଳାନ୍ତୁ। ଦଳ ତାଙ୍କୁ ୬ ଥର ବିଧାୟକ କରିଛି, ବିଭିନ୍ନ ପଦ ପଦବୀ ଦେଇଛି। ତା' ପରେ ଯଦି ତାଙ୍କୁ ଅଣନିଃଶ୍ବାସୀ ଲାଗୁଛି, ସେ ଦଳ ଛାଡ଼ି ପଳାଇଲେ ଭଲ ହେବ ବୋଲି ଲେନିନ କହିବା ପରେ ଦଳରେ ହଲଚଲ ସୃଷ୍ଟି ହୋଇଛି। ସେ ଚାଲିଗଲେ ଦଳର ପଇସାଟିଏର କ୍ଷତି ହେବ ନାହିଁ। ଯେଉଁମାନେ ଦଳରୁ ଡେଇଁଛନ୍ତି, ସେମାନେ ଭାଜପା ସମ୍ପର୍କରେ ଥିଲେ।
ସେ ଭାଜପାକୁ ଯାଉନାହାନ୍ତି, କି ଭାଜପା ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ କରିଦେବନି। ଯେଉଁମାନେ ଦଳ ଛାଡ଼ି ଭାଜପାକୁ ଯାଇଛନ୍ତି ସେମାନେ ସେଠି କ'ଣ ପାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲେନିନ। ଯେଉଁମାନେ ଯିବାକୁ ଚାହୁଁଛନ୍ତି ସେମାନେ ଯାଆନ୍ତୁ, ବିଜେଡି ଆହୁରି ସୁଦୃଢ଼ ହେବ ବୋଲି କହିଛନ୍ତି ଲେନିନ।
ଏପଟେ ଲେଲିନଙ୍କ ପ୍ରଶ୍ନର କଡା ଉତ୍ତର ଦେଇଛନ୍ତି ଅମର । ସେ କହିଛନ୍ତି, 'ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ ମୁଁ ଦଳରେ ନାହିଁ। ମୁଁ ଏବେ ସ୍ବାଧୀନ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ' ସଭ୍ୟପଦ ନବୀକରଣ ବି କରିନି।
କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି। ଲେନିନ୍ଙ୍କ ଅପରିପକ୍ବତା ପ୍ରତି ମୋର ଦୟା ଆସୁଛି। ମୋ ପୁତୁରା କେହି ଭାଜପାକୁ ଯାଇନାହାନ୍ତି, ସେ ନାଁ କହିଲେ ଭଲ ହେବ। ଭାଜପା ସହ ଅନେକ ଦଳ ଏବେ ବି ମୋ' ସହ ଯୋଗାଯୋଗରେ ଅଛନ୍ତି। କିନ୍ତୁ ମୁଁ ଏବେ ସକ୍ରିୟ ରାଜନୀତିରୁ ନିବୃତ୍ତ ରହିଛି।'












Click it and Unblock the Notifications