ଆସନ୍ତାକାଲିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା ଆରମ୍ଭ; ପ୍ରତି ପରିବାର ସହ ସମ୍ପର୍କ ଯୋଡ଼ିବ ବିଜେଡି
କାଲିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା । ଆସନ୍ତାକାଲିଠାରୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହି ଅଭିଯାନ ଜରିଆରେ ଦଳ ନିଜର ସ୍ଥିତି ପରଖିବା ସହ ସବୁ ଅଞ୍ଚଳରୁ ଜନତାଙ୍କ ମତାମତ ପାଇପାରିବ । ମାର୍ଚ୍ଚ ୫ ତାରିଖ ଯାଏଁ ଏହା ଚାଲିବ ।
ରାଜ୍ୟ ସରକାରଙ୍କ ସଫଳତା ଅବଗତ କରାଇବେ । ଲୋକଙ୍କ ଭଲମନ୍ଦ ବୁଝି ସହଯୋଗ କରିବେ ବିଜେଡି କର୍ମୀ । ଫେବୃଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ଘୋଷଣା ହେବାକୁ ଥିବାବେଳେ ଏହା ବିଜେଡି ପାଇଁ ଭୋଟ ବ୍ୟାଙ୍କ ତିଆରି କରିବ ।
ବିଜେଡି ପ୍ରତିଷ୍ଠା ଦିବସରେ ଜନସମ୍ପର୍କ ଅଭିଯାନ ପାଇଁ ନିଷ୍ପତ୍ତି ହେଇଥିଲା । ଏହି ଅଭିଯାନକୁ ସଫଳ କରିବା ପାଇଁ ତୃଣମୂଳ ସ୍ତରରେ ବିଧାୟକ, ସ୍ଥାନୀୟ ନେତା, ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ଏବଂ ଛାମୁଆ ସଂଗଠନ ନେତାମାନଙ୍କୁ ଦାୟିତ୍ଵ ଦିଆଯାଇଛି ।

ଜାନୁଆରୀ ୨୩ ତାରିଖ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀଠାରୁ ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏଁ ବିଜେଡିର ପରିବାର ସମ୍ପର୍କ ଯାତ୍ରା ଚାଲିବ। ପ୍ରତି ଘରକୁ ଯିବେ ଦଳର ନେତା ଓ କର୍ମୀ । ତୃଣମୂଳ ସ୍ତରରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବା ସହ ନିର୍ବାଚନ ପୂର୍ବରୁ ସଂଗଠନ ଆହୁରି ସକ୍ରିୟ ହେବ । ସ୍ଥାନୀୟ ପ୍ରସଙ୍ଗକୁ ଦଳ ଏହି ବିଶେଷ ଗୁରୁତ୍ୱ ଦେବ।
ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରତିବର୍ଷ ପରି ଗତବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏ ପଦଯାତ୍ରା କରାଯାଇଥିଲା। ତା'ପରେ ପ୍ରତି ନିର୍ବାଚନମଣ୍ଡଳୀର ୨ଶହ ପ୍ରତିନିଧିଙ୍କୁ ଶଙ୍ଖ ଭବନରେ ବିଭିନ୍ନ ପ୍ରସଙ୍ଗରେ ଟ୍ରେନିଂ ଦିଆଯାଇଥିଲା।
ପ୍ରତି ପରିବାର ସହ ସମ୍ପର୍କ ଯୋଡ଼ିବ ବିଜେଡି । ଏହା ପୂର୍ବରୁ ବିଜେଡି ରାଜ୍ୟବ୍ୟାପୀ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି । ଡିସେମ୍ବର ୨୫ ତାରିଖ ସୁଦ୍ଧା ଜୋନ ସ୍ତରୀୟ ଟ୍ରେନିଂ ସମ୍ପୂର୍ଣ୍ଣ ହୋଇଛି। ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଜନସେବା ସହ ବିଜେଡିର ସାଂଗଠନିକ କାର୍ଯ୍ୟକ୍ରମ ଜାରି ରହିଛି ।












Click it and Unblock the Notifications