Bird Flu: ରାଜ୍ୟରେ ବାର୍ଡ ଫ୍ଲୁ ଟେନସନ, ସ୍ଥିତି ଯାଞ୍ଚ ପାଇଁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍
ରାଜ୍ୟରେ ଚିନ୍ତା ବଢାଇଛି ବାର୍ଡ ଫ୍ଲୁ । ରାଜ୍ୟରେ କଣ ରହିଛି ସ୍ଥିତି ଯାଞ୍ଚ ପାଇଁ ଆଜି କେନ୍ଦ୍ରରୁ ଏକ ଟିମ୍ ଓଡ଼ିଶା ଆସି ବାର୍ଡ ଫ୍ଲୁ ଅଞ୍ଚଳରେ ସମୀକ୍ଷା କରିବେ । ଏହି ବିଶେଷଜ୍ଞ ଦଳ ପୁରୀ ଜିଲ୍ଲାର ସତ୍ୟବାଦୀ, ପିପିଲି, ନିମାପଡା ଓ ଡେଲାଙ୍ଗ ବ୍ଲକରେ ସ୍ଥିତି ଯାଞ୍ଚ କରିବେ । ଯେଉଁ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପିଛି ସେହି ସ୍ଥାନକୁ ଯାଇ ଆଲୋଚନା କରିବା ସହ କେନ୍ଦ୍ରକୁ ରିପୋର୍ଟ ଦେବେ । ଆସନ୍ତାକାଲି(ଗୁରୁବାର) ମଧ୍ୟ ସ୍ଥିତି ସମୀକ୍ଷା କରିବେ ।
କୁକୁଡ଼ା ମରା ଅଭିଯାନ:
"ରାଜ୍ୟରେ କେବଳ ପୁରୀ ଜିଲ୍ଲାର ପିପିଲି, ସତ୍ୟବାଦୀ, ନିମାପଡା ଏବଂ ଡେଲାଙ୍ଗ ବ୍ଲକର 4 ଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ କରାଯାଇଛି । ଭାରତ ସରକାରଙ୍କ ନିର୍ଦ୍ଦେଶିତ କାର୍ଯ୍ୟ ଯୋଜନା ଅନୁଯାୟୀ, ଏହି ରୋଗର ନିୟନ୍ତ୍ରଣ ଏବଂ ନିରାକରଣ କାର୍ଯ୍ୟକ୍ରମ ଚାଲୁଛି। ପିପିଲି ଏବଂ ସତ୍ୟବାଦୀ ବ୍ଲକରେ ସଂକ୍ରମିତ କୁକୁଡ଼ାଗୁଡିକୁ ମରାଯାଇଥିବାବେଳେ ଡେଲାଙ୍ଗ ଏବଂ ନିମାପଡା ବ୍ଲକରେ ଏହି ପ୍ରକ୍ରିୟା ଜାରି ରହିଛି" ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

୫୧ ଟି ରାପିଡ ରେସପନ୍ସ ଟିମ୍ ନିୟୋଜିତ
ବାର୍ଡ ଫ୍ଲୁ ରୋଗ ସଂକ୍ରମଣ ରୋକିବା ପାଇଁ ୫୧ଟି ରାପିଡ୍ ରେସପନ୍ସ ଟିମ୍ (RRT) ପକ୍ଷୀମାନଙ୍କୁ ମାରିବା ଏବଂ କୁକୁଡ଼ା ଫାର୍ମଗୁଡ଼ିକର ବିଶୋଧନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୩୫ ହଜାର ୩୨୯ ଟି କୁକୁଡ଼ା ମରାଯାଇଥିବା ବେଳେ ୮୪ଟି ଅଣ୍ଡା ଏବଂ ୧୫ ହଜାର ୩୮୦ କିଲୋଗ୍ରାମ କୁକୁଡ଼ା ଦାନା ନଷ୍ଟ କରାଯାଇଅଛି। ଏପର୍ଯ୍ୟନ୍ତ ୧୦ ଲକ୍ଷ ୯୪ ହଜାର ୫୭୨ ଟଙ୍କା କ୍ଷତିପୂରଣ ଅର୍ଥ ଭାବରେ କୃଷକମାନଙ୍କୁ ପ୍ରଦାନ କରାଯାଇଛି" ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। 'ବାର୍ଡ ଫ୍ଲୁକୁ ନେଇ ଭୟଭୀତ ହୁଅନ୍ତୁନି'"ରାଜ୍ୟରେ ଥିବା ପ୍ରମୁଖ ଜଳ ଉତ୍ସ ଏବଂ ପୂର୍ବରୁ ବାର୍ଡ ଫ୍ଲୁ ହୋଇଥିବା ଜିଲ୍ଲାମାନଙ୍କରେ ନମୁନା ସଂଗ୍ରହ ପ୍ରକ୍ରିୟା ତଥା ରୋଗର ଅନୁସନ୍ଧାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହିତ ଜନ ସଚେତନତା କାର୍ଯ୍ୟକ୍ରମ କରିବା ଆବଶ୍ୟକ। ରୋଗ ଚିହ୍ନଟ ପାଇଁ ଅଧିକ ନମୁନା ପଠାଇବା ସହିତ କୁକୁଡ଼ା ତଥା କୁକୁଡ଼ା ଚାଷ ସହ ଜଡିତ ଦାନା ଏବଂ ଅନ୍ୟାନ୍ୟ ସାମଗ୍ରୀ, ସଂକ୍ରମିତ ଅଞ୍ଚଳକୁ ନେବା ଆଣିବାକୁ ନିୟନ୍ତ୍ରଣ କରାଯିବ। ଜନସାଧାରଣ ଏଥିପାଇଁ ଭୟଭୀତ ନହେବାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଭୁବନେଶ୍ବର ମହାନଗର ନିଗମକୁ ଏ ଦିଗରେ ସଚେତନତା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି" ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା।
ଭାରତ ସରକାରଙ୍କର ପଶୁପାଳନ ଏବଂ ଦୁଗ୍ଧ ବିଭାଗର ସଚିବ ଏହି ରୋଗର ନିୟନ୍ତ୍ରଣ ତଥା ନିରାକରଣ ପାଇଁ ରାଜ୍ୟକୁ ସମସ୍ତ ପ୍ରକାରର ସହାୟତା ପାଇଁ ନିଶ୍ଚିତ କରିଛନ୍ତି । ପରବର୍ତ୍ତୀ ତଦାରଖ ପାଇଁ ଏକ କେନ୍ଦ୍ରୀୟ ଦଳ ଖୁବଶୀଘ୍ର ରାଜ୍ୟକୁ ଆସନ୍ତା ୪ ଓ ୫ ତାରିଖ (ସେପ୍ଟେମ୍ବର)ରେ ପରିଦର୍ଶନ କରିବେ । ସମସ୍ତ ବ୍ୟବସାୟିକ କୁକୁଡ଼ା ଫାର୍ମ ଗୁଡିକର ପଞ୍ଜୀକରଣ ଏବଂ ଅବସ୍ଥିତିର ସଠିକ ତଥ୍ୟ ସଂଗ୍ରହ କରାଯିବ । ଏହାସହ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହ ଉତ୍ତମ ସମନ୍ଵୟ ରକ୍ଷା ପାଇଁ ପରାମର୍ଶ ଦେଇଛନ୍ତି ଭାରତ ସରକାରଙ୍କର ପଶୁପାଳନ ଏବଂ ଦୁଗ୍ଧ ବିଭାଗର ସଚିବ ସୁଶ୍ରୀ ଅଳକା ଉପାଧ୍ୟାୟ।
ବୈଠକରେ କିଏ ଉପସ୍ଥିତ ଥିଲେ?
ଏହି ବୈଠକରେ ବିଶେଷ ଭାବରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଭାରତ ସରକାରଙ୍କ ପଶୁପାଳନ ଏବଂ ଦୁଗ୍ଧ ବିଭାଗର ସଚିବ ସୁଶ୍ରୀ ଅଳକା ଉପାଧ୍ୟାୟ, ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଭୁବନେଶ୍ବର ମହାନଗର ନିଗମର ଉଚ୍ଚପଦସ୍ଥ ଅଧିକାରୀଙ୍କ ସମେତ ପୁରୀ, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ପ୍ରମୁଖ ଏହି ବୈଠକରେ ରହିଥିଲେ ।












Click it and Unblock the Notifications