ଚିଲିକାରେ ପକ୍ଷୀ ଗଣନା ଆରମ୍ଭ; ୫ଟି ରେଞ୍ଜରେ ୨୧ଟି ଟିମ୍ ନିୟୋଜିତ
ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୫ଟି ରେଞ୍ଜରେ ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ବାଲୁଗାଁ, ସାତପଡ଼ା, ନୂଆପଡ଼ା, ଟାଙ୍ଗୀ ଓ ରମ୍ଭା ରେଞ୍ଜରେ ଗଣନା ହୋଇଛି ।
ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ ଯୋଗଦେଇଛନ୍ତି । ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ ପକ୍ଷୀଗଣନାରେ ନିୟୋଜିତ ହେବେ ।
୨୧ଟି ଟିମରୁ ସର୍ବାଧିକ ୮ଟି ଟିମ୍ ଚିଲିକାର ଟାଙ୍ଗୀ ଜୋନରେ ନିୟୋଜିତ ରହିବେ । ସେହିପରି ବାଲୁଗାଁରେ ୫ଟି, ସାତପଡ଼ାରେ ୩ଟି ଟିମ୍ ନିୟୋଜିତ ହେବାକୁଥିବାବେଳେ ବାକି ୫ଟି ଟିମ୍ ରମ୍ଭା ଓ କୃଷ୍ଣପ୍ରସାଦ ଜୋନରେ ପକ୍ଷୀ ଗଣନାରେ ସାମିଲ ହେବେ ।
ପ୍ରତିଦିନ ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହେବ। ଏହି ଗଣନା କାର୍ଯ୍ୟରେ ଚିଲିକା ବନ୍ୟପ୍ରାଣୀ ବିଭାଗର ଅଧିକାରୀ, ଚିଲିକା ଉନ୍ନୟନ ପରିଷଦ, ରାଜ୍ୟ ପକ୍ଷୀ ସୁରକ୍ଷା ସମିତିର କର୍ମଚାରୀ ଓ ସ୍ଵେଚ୍ଛାସେବୀମାନେ ନିୟୋଜିତ ରହିବେ। ଏଥିପାଇଁ ଚିଲିକାର ସମ୍ପୂର୍ଣ୍ଣ ଅଞ୍ଚଳକୁ ୫ଟି ଜୋନରେ ବିଭକ୍ତ କରାଯାଇଛି।
ପ୍ରତିବର୍ଷ ଭଳି ଚଳିତବର୍ଷ ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ୱାକି ଟକି, କ୍ୟାମେରା ବ୍ୟବହାର କରାଯିବ। ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ଓ୍ବାଇଲଡ ଓଡ଼ିଶା ଏବଂ ଓ୍ବାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ୩ଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟ ସାମିଲ ହୋଇଛନ୍ତି l

ଗତବର୍ଷ ସମୁଦାୟ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୦୫ ପ୍ରଜାତିର ୧୦ ଲକ୍ଷ ୯୩ ହଜାର ୪୯ ଗୋଟି ବିଦେଶୀ ପକ୍ଷୀ ଏବଂ ୭୯ ପ୍ରଜାତିର ୩୮ ହଜାର ୮ ଶହ ୮୦ ଗୋଟି ସ୍ଥାନୀୟ ପକ୍ଷୀ ଓ ନଳବଣରେ ସର୍ବାଧିକ ୩ ଲକ୍ଷ ୪୨ ହଜାର ପକ୍ଷୀ ଥିଲେ । ସର୍ବନିମ୍ନ ୨ଟି ପକ୍ଷୀ ଲଭର ଲପଡିଙ୍ଗ ଦେଖା ଯାଇଥିଲା ।
ପ୍ରତିବର୍ଷ ଶୀତ ଋତୁରେ ଚିଲିକାକୁ ବିଭିନ୍ନ ପ୍ରଜାତିର ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀ ଆସିଥାନ୍ତି । ୨୦୨୨ରେ ଚିଲିକାକୁ ୧୦ ଲକ୍ଷ ୭୪ ହଜାର ୧୭୩ ବିଦେଶୀ ପକ୍ଷୀ ଆସିଥିଲେ। ସେହିପରି ୨୦୨୧ରେ ମୋଟ ୧୨ ଲକ୍ଷ ୪୨ ହଜାର ୮୨୬ ପକ୍ଷୀ ଆସିଥିଲେ ।












Click it and Unblock the Notifications