ଭିଜିଲାନ୍ସ ଜାଲରେ ପଡ଼ିଲେ ବିଞ୍ଝାରପୁର ଥାନା ଏସ୍ଆଇ
ଯାଜପୁର: ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନା ଏସ. ଆଇ । ଭିଜିଲାନ୍ସ ଜାଲରେ ଫସିଗଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଏସ୍ଆଇ କେଶବ ଚନ୍ଦ୍ର ଦାସ । ପୋଷ୍ଟମଟର୍ମ ରିପୋର୍ଟରେ ହେରଫେର ପାଇଁ ଶ୍ରୀ ଦାସ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଆଜି ଅପରାହ୍ଣରେ ମାଡ଼ି ବସିଛନ୍ତି । ଶ୍ରୀ ଦାସ ବିଞ୍ଝାରପୁରସ୍ଥିତ ସରକାରୀ କ୍ୱାଟରେ ଲାଞ୍ଚ ନେଉଥିବା ସୂଚନା ରହିଛି ।
ସୂଚନା ଅନୁସାରେ ଗତ ମାସ ୨୦ ତାରିଖରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କାଳୀନ ସହାୟତା ପାଇବା ପାଇଁ ତାଙ୍କର ପୁଅ ବ୍ୟବଚ୍ଛେଦ ରିପୋର୍ଟ ଆଣିବାକୁ ଥାନାକୁ ଯାଇଥିଲା । ତେବେ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଦାଶ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାପରେ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଏନେଇ ଖବର ଦେଇଥିଲେ ।

ଯାହାପରେ ଭିଜିଲାନ୍ସ ଏହାର ଜାଲ ବିଛାଇଥିଲା । ଯୋଜନା ଅନୁସାରେ ଆଜି ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଡେପୁଟି ସୁପରିଟେଣ୍ଡ ସୁଶୀଲ ଏକ୍କାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରୁ ଏସ୍ଆଇ କେଶବ ଚନ୍ଦ୍ର ଦାସଙ୍କୁ ଗିରଫ କରି ନିଜ ହେପାଜତକୁ ନେଇଛି । ଅନ୍ୟପଟେ କଟକ ଜଗତପୁରର ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ ଚାଲିଛି ।












Click it and Unblock the Notifications