ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ; ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କଲେ ନବୀନ ପଟ୍ଟନାୟକ
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୧୦୯ ତମ ଜୟନ୍ତୀ । ନୂଆ ଓଡ଼ିଶା ଗଠନ କରିବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା ।
ସାହସୀ ଓ ନିର୍ଭିକ ବ୍ୟକ୍ତିତ୍ବ ଭାବେ ପ୍ରତିଟି ଓଡ଼ିଆଙ୍କ ମନରେ ସେ ରହିଛନ୍ତି। ବିଜୁ ବାବୁ ଥିଲେ ଏକ ଅଦ୍ୱିତୀୟ ବ୍ୟକ୍ତିତ୍ୱ, ଏକ ମହାନ ଜନନାୟକ। ଏହି ଅବସରରେ ସାରା ରାଜ୍ୟରେ ପାଳନ ହେଉଛି ବିଜୁ ଜୟନ୍ତୀ । ଭୁବନେଶ୍ବର ଫରେଷ୍ଟପାର୍କରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରି ସ୍ମୃତିଚାରଣ କରିଛନ୍ତି ନବୀନ ପଟ୍ଟନାୟକ। ନବୀନଙ୍କ ସମେତ ବିଜେଡି ବହୁ ବରିଷ୍ଠ ନେତା ଓ ଭୁବନେଶ୍ୱର ମେୟର ମଧ୍ୟ ଉପସ୍ଥିତ ଥିଲେ।

ସ୍ୱାଧୀନତା ପରେ ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସେ ଦେଖିଥିଲେ ସ୍ୱପ୍ନ । ୧୯୫୨ରେ ଜଗନ୍ନାଥପ୍ରସାଦ ଓ ୧୯୫୭ରେ ସୋରଡ଼ା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୬୦ ଦଶକ ଆରମ୍ଭରେ ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିଲେ ବିଜୁବାବୁ । ବିଜୁବାବୁଙ୍କ ନେତୃତ୍ୱରେ ୧୪୦ ଆସନରୁ ୮୨ ଆସନ ଜିତିଥିଲା କଂଗ୍ରେସ । ୧୯୬୧ରେ ମାତ୍ର ୪୫ ବର୍ଷ ବୟସରେ ବିଜୁ ପଟ୍ଟନାୟକ ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଆଧୁନିକ ଓଡ଼ିଶା ନିର୍ମାଣର ନିଅଁ ପଡ଼ିଥିଲା ବିଜୁଙ୍କ ହାତରେ। ଓଡ଼ିଶାରେ ମୁଣ୍ଡ ଟେକିଥିଲା ବହୁ ଶିଳ୍ପ, କଳ କାରଖାନା । ଗାଁର ବିକାଶ ସହ ଘରେ ଘରେ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଓ ମହିଳା ସଶକ୍ତୀକରଣ ପାଇଁ ସ୍ବପ୍ନ ଦେଖିଥିଲେ ବିଜୁ ପଟ୍ଟନାୟକ। ବିଜୁବାବୁଙ୍କର ସ୍ବପ୍ନକୁ ପୂରଣ କରିବାକୁ ବିଜୁ ଜନତା ଦଳ ପକ୍ଷରୁ ପ୍ରୟାସ ଜାରି ରହିଛି। ମା'କୁ ସମ୍ମାନ, ଗାଁକୁ କାମ କଥା କହିଥିଲେ ସ୍ଵର୍ଗତ ବିଜୁ ପଟ୍ଟନାୟକ। ଏହି ନୀତି ଆଦର୍ଶକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ବିକାଶ ଲାଗି ସର୍ବଦା ପ୍ରୟାସ ଜାରି ରହିଛି।
ବିଜୁ ବାବୁ ଥିଲେ କଳିଙ୍ଗ ମାଟିର ଦ ଟଲ୍ ମ୍ୟାନ। ନବ ଉତ୍କଳର ଅନ୍ୟତମ ପୁରୋଧା । କିଏ କହେ 'ମାଟିର ବରପୁତ୍ର' କିଏ କହେ 'ଝଡ଼ର ଇଗଲ' । ରୋକଠୋକ୍ କଥା । ସ୍ପଷ୍ଟ, ଶାଣିତ ଓ ସାହସିକ ସ୍ବର । ତାଙ୍କର ଅଭିନବ ଉଦ୍ୟମ, ସାହସ ଏବଂ କ୍ରାନ୍ତିକାରୀ ପଦକ୍ଷେପ ଯୋଗୁଁ ସେ ସମସ୍ତଙ୍କ ମନର ମହାନାୟକ। ତାଙ୍କ ବ୍ୟକ୍ତିତ୍ୱ ଓଡିଶାବାସୀଙ୍କୁ ସବୁବେଳେ ଉଦବୁଦ୍ଧ କରିଆସିଛି, ପ୍ରେରଣା ଯୋଗାଇ ଆସିଛି। ବିଜୟାନନ୍ଦ ପଟ୍ଟନାୟକ, ସମସ୍ତଙ୍କ ପ୍ରିୟ ବିଜୁ ବାବୁ । ଏହି ମହାନ ଦୂରଦୃଷ୍ଟି ସମ୍ପନ୍ନ ତଥା ଟାଣୁଆ ନେତା ୧୯୧୬ ମାର୍ଚ୍ଚ ୫ରେ କଟକ ଅନ୍ତର୍ଗତ ତୁଳସୀପୁର ଆନନ୍ଦ ଭବନରେ ଏକ ସ୍ୱାଧୀନତା ସଂଗ୍ରାମୀ ପରିବାରରେ ଜନ୍ମଗ୍ରହଣ କରିଥିଲେ
ଅନ୍ୟପଟେ ବିଜେଡି ନେତା ସଞ୍ଜୟ ଦାସ ବର୍ମା ଆଜି କହିଛନ୍ତି ଯେ ଆଜି ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ତାଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ର ନବୀନ ନିବାସରେ ପହଞ୍ଚିବା ପୂର୍ବରୁ ସୋସିଆଲ ମିଡ଼ିଆରେ କେମିତି ବୁଲିଲା ବୋଲି ପ୍ରଶ୍ନ କରିଛନ୍ତି ।
ଏଥିସହିତ ମାହାଙ୍ଗାରେ ଯେଉଁ ଭଳି ଭାବେ ବିଜୁ ବାବୁଙ୍କ ପ୍ରତି ମୂର୍ତ୍ତିର ମୁଣ୍ଡକୁ ଅଲଗା କରାଗଲା ଏବଂ ବିଜୁ ବାବୁ ଭଳି ପ୍ରବାଦ ପୁରୁଷଙ୍କୁ ନେଇ ରାଜନୀତି କରାଗଲା ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ବିଜେଡି ରାଜ୍ୟସଭା ସାଂସଦ ସୁଳତା ଦେଓ କହିଛନ୍ତି ।












Click it and Unblock the Notifications