ଓଡିଶା ଆସିବ ବିଜୁ ବାବୁଙ୍କ 'ଡାକୋଟା', ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର
ଡାକୋଟା ଫେରାଇ ଆଣିବାକୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ବିଜୁ ବାବୁଙ୍କ ଡାକୋଟା । ପ୍ରାୟ ୪ ବର୍ଷ ତଳେ ଏହାର ଚର୍ଚ୍ଚା ଜୋର ଧରିଥିଲା। ଆଉ ଏବେ ପୁଣି ସେହି ଆଶା ଉଦ୍ଦଜୀବତ କରିଛନ୍ତି ରାଜ୍ୟ ସରକାର । ଡାକୋଟା ଫେରାଇ ଆଣିବାକୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଏନେଇ ଟେଣ୍ଡର ପ୍ରକ୍ରିୟା ବି ଆରମ୍ଭ ହୋଇସାରିଲାଣି । ବାଣିଜ୍ୟ ଓ ପରିବହନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରର ଅଗମ୍ୟ କୋଣରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା ଏହି ଐତିହାସିକ ବିମାନକୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଆଣି ସେଠାରେ ସ୍ମାରକୀ ରୂପେ ସ୍ଥାପନ କରିବା ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ବିଭାଗ ଦ୍ୱାରା ପ୍ରସ୍ତୁତ 'ପ୍ରସ୍ତାବ ଆହ୍ବାନ'ର ଅନୁମୋଦନ ନିମନ୍ତେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ମୁଖ୍ୟଙ୍କ ନିକଟକୁ ପଠାଯାଇଛି। ଆରପିଏଫରେ ଥିବା ସର୍ତ୍ତାବଳୀର ଆନୁଷ୍ଠାନିକ ଅନୁମୋଦନ ପରେ ବିଧିବଦ୍ଧ ଟେଣ୍ତର ଆହ୍ୱାନ କରାଯିବ ବୋଲି ଜଣାପଡ଼ିଛି। ତେବେ ଡାକୋଟା ବିମାନ ଆସିଲେ ଏହାକୁ ଏୟାରପୋର୍ଟ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ରଖାଯିବା ପାଇଁ ଭାରତ ସରକାରଙ୍କ ଅନୁମତି ମଗାଯାଇଛି । ଏହାକୁ ବିଜୁ ବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ରଖାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଇଣ୍ତୋନେସିଆ ଓ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଐତିହାସିକ ସ୍ୱାକ୍ଷର ବହନ କରେ ଦୁର୍ଦ୍ଧର୍ଷ ବିମାନ ତଥା ବିଜୁ ପଟ୍ଟନାୟକଙ୍କ ପ୍ରିୟ 'ଡାକୋଟା । ପୂର୍ବରୁ ମଧ୍ୟ ଅନେକ ଥର ଡାକୋଟା ବିମାନକୁ ଓଡ଼ିଶା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଚେଷ୍ଟା କରାଯାଉଥିବା ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି । ବିଜୁଙ୍କ ଜନ୍ମ ଶତବାର୍ଷିକୀରେ ଏହି ସ୍ମାରକୀ ଲୋକଲୋଚନକୁ ଆସିବ ବୋଲି ଆଶା ସଞ୍ଚାର ହୋଇଥିଲା। ମାତ୍ର କିଛି ଦିନ ପୂର୍ବେ ଇହଲୀଳା ତ୍ୟାଗ କରିଥିବା ଆଇଏଏସ୍ ଅଫିସର ଗୁରୁପ୍ରସାଦ ମହାପାତ୍ର ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ଥିବା ବେଳେ ଡାକୋଟା ବିମାନଙ୍କୁ ଓଡ଼ିଶା ଆଣିବା ଲାଗି ବିଶେଷ ଉଦ୍ୟମ ଆରମ୍ଭ କରିଥିଲେ। ଆବଶ୍ୟକ ପଦକ୍ଷେପ ତ୍ୱରାନିତ୍ୱ ନିମନ୍ତେ ସେ ଭୁବନେଶ୍ବର ଓ କୋଲକାତା ବିମାନ ବନ୍ଦର କତ୍ତୃର୍ପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହ ଓଡ଼ିଶା ସରକାରଙ୍କୁ ବାରମ୍ବାର ଚିଠି ଲେଖିଥିଲେ। ଏପରିକି ଡାକୋଟା ବିମାନକୁ ଓଡ଼ିଶା ସ୍ଥାନାନ୍ତର ପାଇଁ ଆବଶ୍ୟକ ପରିବହନ ଖର୍ଚ୍ଚ ବିମାନ ବନ୍ଦର ପ୍ରାଧିକରଣ ବହନ କରିବ ବୋଲି ସେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏସବୁ ସତ୍ତ୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ ତତ୍ପରତା ପରିଲକ୍ଷିତ ହୋଇନଥିଲା।
୬୪ ଫୁଟ ୮ ଇଞ୍ଚ ଲମ୍ବ ଡାକୋଟାର ଉଭୟ ଡେଣାର ଦୈର୍ଘ୍ୟ ୯୫ ଫୁଟ୍ ୨ ଇଞ୍ଚ ଓ ଏହାର ଉଚ୍ଚତା ୧୬ ଫୁଟ୍ ୧୧ ଇଞ୍ଚ। ତେଣୁ ପରିବହନ ପୂର୍ବରୁ ଏହାର କିଛି ଅ˚ଶକୁ ପୃଥ କରାଯାଇ ସଡ଼କ ପରିବହନ ଯୋଗ୍ୟ କରାଯିବ। ଏଠାରେ ପହଞ୍ଚିବା ପରେ ପ୍ରସ୍ତାବିତ ସ୍ମାରକୀସ୍ଥଳରେ ପୁରୁଣା ଡାକୋଟାର ବାହ୍ୟ ଅ˚ଶକୁ ପୁନରୁଦ୍ଧାର କରାଯାଇ ରଙ୍ଗ କରାଯିବ। ଏ ଦିଗରେ ଅନୁଭୂତି ଥିବା ସ˚ସ୍ଥାକୁ ଟେଣ୍ତର ଜରିଆରେ ଚୟନ କରାଯିବା ପ୍ରସ୍ତାବ ଅଛି। ସଦ୍ୟ ପ୍ରୟାସ ଯଦି ବାସ୍ତବ ରୂପ ନିଏ, ତେବେ ବିଜୁଙ୍କ ପାଇଁ ଏହା ଅନ୍ୟତମ ଶ୍ରଦ୍ଧାଞ୍ଜଳି ହେବ।












Click it and Unblock the Notifications