ପୀତବାସ ପଣ୍ଡା ହତ୍ୟାକାଣ୍ଡର ବଡ଼ ଟ୍ୱିଷ୍ଟ : ପୀତବାସଙ୍କ ସିକ୍ରେଟ୍ ଚାମ୍ବରରେ ଥିଲା ଆପତ୍ତିଜନକ ଜିନିଷ ଓ ପେନ୍ ଡ୍ରାଇଭ୍
ପୀତବାସ ପଣ୍ଡା ହତ୍ୟା ଘଟଣା ଚାର୍ଜସିଟ୍ରେ ଟ୍ୱିଷ୍ଟ୍ । ହତ୍ୟା ପଛରେ ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତା ରହିଥିବା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସମୟରେ ଦର୍ଶାଇଥିଲା । ତେବେ ଚାର୍ଜସିଟ୍ରେ ଆଉ ଗୋଟିଏ କାରଣ ଯୋଡ଼ାଯାଇଛି । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କିଛି ଆପତ୍ତିଜନକ ଫଟୋ ରଖି ସର୍ବଜନୀନ କରିବାକୁ ପରୋକ୍ଷରେ ଧମକାଉଥିଲେ ପୀତବାସ । ତେଣୁ ଏହି କାରଣରୁ ମଧ୍ୟ ତାଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିବା ପୁଲିସ ଚାର୍ଜସିଟ୍ରେ ଦର୍ଶାଇଛି ।

ପୁଲିସ ତଦନ୍ତ ଅନୁସାରେ ପୀତବାସ ପଣ୍ଡାଙ୍କ ଗୋଟିଏ ପେନ୍ଡ୍ରାଇଭ୍ ମିଳିଥିଲା । ସେହି ପେନ୍ ଡ୍ରାଇଭ୍ରେ କିଛି ଆପତ୍ତିଜନକ ଫଟୋ ଥିଲା । ସେହି ଫଟୋ ସର୍ବସାଧାରଣ କରିବାକୁ ପୀତବାସ ପଣ୍ଡା ଧମକ ଦେଉଥିଲେ ବୋଲି ପୁଲିସ ଚାର୍ଜସିଟ୍ରେ ଉଲ୍ଲେଖ କରିଛି । ସେପଟେ ପୀତବାସଙ୍କ ସ୍ତ୍ରୀ ପୁଲିସ ନିକଟରେ ଦେଇଥିବା ବୟାନ ଅନୁସାରେ ପୀତବାସଙ୍କ ପଇତାରେ ଲାଗିଥିବା ଗୋଟିଏ ଚାବି ପୁଲିସ ଦେଇଥିଲା । ସେହି ଚାବି ପୀତବାସଙ୍କ ଆଲମାରୀର ସିକ୍ରେଟ୍ ଚାମ୍ବରର ଥିଲା । ସିକ୍ରେଟ୍ ଚାମ୍ବର ଖୋଲି ତାହାର ତଲାସି ନେବା ସମୟରେ ଗୋଟିଏ ଲଫାଫା ଭିତରେ ବିକ୍ରମଙ୍କର ଚାରୋଟି ଆପତ୍ତିଜନକ ଫଟୋ ସହ ଏକ ପେନ୍ଡ୍ରାଇଭ୍ ମିଳିଥିଲା । ପେନ୍ଡ୍ରାଇଭ୍ରେ ମଧ୍ୟ ସେହି ଚାରୋଟି ଫଟୋ ରହିଥିଲା । ପୀତବାସ ସର୍ବସାଧାରଣ ସ୍ଥାନରେ ବିକ୍ରମଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଉଥିଲେ ବୋଲି ଜଣେ ଆଇନଜୀବୀ ପୁଲିସ ନିକଟରେ ବୟାନ ଦେଇଛନ୍ତି । ଏହାସହ ପୀତବାସ ଏବଂ ବିକ୍ରମ ପଣ୍ଡା, ମଳୟ ଓ ମଦନ ଦଳେଇ ମଧ୍ୟରେ କେମିତି ଶତ୍ରୁତା ଲାଗି ରହିଥିଲା ସେ ପୁଲିସ ନିକଟରେ ପ୍ରକାଶ କରିଥିବା ଚାର୍ଜସିଟ୍ରେ ଉଲ୍ଲେଖ ରହିଛି ।
ସୂଚନାଯୋଗ୍ୟ ଯେ, ଜାନୁଆରୀ ଚାରି ତାରିଖରେ ଏହି ମାମଲାରେ ୧୬ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତି ୧୦ରେ ବୈକୁଣ୍ଠନଗର ଛକରେ ଘର ଆଗରେ ପୀତବାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୁଲିସ ଚାର୍ଜସିଟ୍ ଅନୁସାରେ ଏହା ପୂର୍ବରୁ ସେପ୍ଟେମ୍ବର ୧୦ ଏବଂ ୧୪ ତାରିଖରେ ପୀତବାସଙ୍କୁ ହତ୍ୟା କରିବାକୁ ଆସି ଅଭିଯୁକ୍ତମାନେ ନିରାଶ ହୋଇଥିଲେ । ଚାର୍ଜସିଟ୍ରେ ଆଉ ଏକ ନୂଆ କାରଣ ଯୋଡ଼ିବା ପରେ ଚର୍ଚ୍ଚାର ବିଷୟ ହୋଇଛି । ସେପଟେ ଆଇନଜୀବୀ ଦୀପକ କୁମାର ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ପୁଲିସ ଯେଉଁ ସ୍କ୍ରିପ୍ଟ ଲେଖିଛି ତାହା ସତ କି ମିଛ କୋର୍ଟ ବିଚାର କରିବେ । ପୀତବାସ ପଣ୍ଡା କିଛି ଆପତ୍ତିଜନକ ଫଟୋ ସାର୍ବଜନୀନ କରିବାକୁ ଧମକାଉଥିଲେ ବୋଲି ପୁଲିସ ଚାର୍ଜସିଟ୍ରେ ଦର୍ଶାଇଛି । ତେବେ ଏହାର ସତ୍ୟତା କୋର୍ଟରେ ବିଚାରଣା ସମୟରେ ଜଣାପଡିବ ।












Click it and Unblock the Notifications