ବାତ୍ୟାକୁ ନେଇ ଆସିଲା ବଡ ଖବର ; ସି-ବିଚ୍ରେ ଲାଗୁ ହେଲା ୧୪୪ ଧାରା
ବାତ୍ୟା ଦାନା ଭିତରକନିକା-ଧାମରା ମଧ୍ୟରେ କରିବ ଲ୍ୟାଣ୍ଡଫଲ୍ । ଆସନ୍ତାକାଲି ରାତି ଓ ୨୫ ତାରିଖ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା। ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ରହିବ ୧୦୦-୧୨୦ କିମି । ତେବେ 'ଦାନା'ର କୋପ ଜଗତସିଂହପୁର ଜିଲ୍ଲାରେ ବି ଦେଖିବାକୁ ମିଳିବ ।

ଏହା ପୂର୍ବରୁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସି-ବିଚ୍ରେ ଲାଗୁ ହୋଇଛି ୧୪୪ ଧାରା। ଏଥିସହ ପାରାଦୀପରୁ ଏରସମା ସିଆଳି ପର୍ଯ୍ୟନ୍ତ ସମୁଦ୍ର ତଟରେ ଲାଗୁ ହେବ କଟକଣା । ପାରାଦୀପରୁ ସିଆଳି ପର୍ଯ୍ୟନ୍ତ ଆଜି ସନ୍ଧ୍ୟାରୁ ୧୬୩ ଲାଗୁ ହେବ କହିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।
'ଦାନା' ପ୍ରକୋପ ଆରମ୍ଭ ହେଲେ ସମୁଦ୍ର ଅଶାନ୍ତ ହେବା ସହ ଜୁଆର ମାଡ଼ି ଆସିବ । ଏହି ସମୟରେ ପବନର ବେଗ ବି ଶହେ କିମି ଉପରେ ରହିବ । ତେଣୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାରାଦୀପ, ଶିଆଳି, ବାଲିକୁଦା ସି-ବିଚ୍ରେ ୧୪୪ ଧାରା ଲାଗୁ କରାଯାଇଥିବା କହିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ୍ ।
ଏଥିସହ ସେ କହିଛନ୍ତି, ବାତ୍ୟା 'ଦାନା' ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ବିଭିନ୍ନ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହେଲାଣି। ତଳ, ଅଞ୍ଚଳରେ ରହୁଥିବା ଲୋକ ତଥା ମାଟି ଘରେ ରହୁଥିବା ଲୋକଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯାଉଛି। ଏଥିସହ ସି-ବିଚ୍ରେ ୧୪୪ ଧାରା ଲାଗୁ ହୋଇଛି। ଏହି ନିୟମ ଲାଗୁ ହେବା ଫଳରେ କୌଣସି ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକ ଉକ୍ତ ସ୍ଥାନକୁ ଯାଇ ପାରିବେନି।
ଏହାବାଦ ଆଜି ଅପରାହ୍ନରୁ ଆଉ ଏକ ନିୟମ ଲାଗୁ ହେବ । ଏହି ନିୟମ ଫଳରେ ସମୁଦ୍ରକୁ ସଂଯୋଗ କରୁଥିବା ନଦୀ ବନ୍ଧରେ ଭାରିଯାନ ଚଳାଚଳକୁ ବାରଣ କରାଯିବ । ଉକ୍ତ ରାସ୍ତା ଦେଇ କେବଳ ରିଲିଫ ସାମଗ୍ରୀ ଗାଡ଼ି ଯାଇପାରିବ ବୋଲି କହିଛନ୍ତି ଜେ. ସୋନାଲ୍ ।












Click it and Unblock the Notifications