ଚିଲିକା ନଳଘାସରେ ଲାଗିଲା ନିଆଁ
ଚିଲିକା : ଚିଲିକା ନଳଘାସରେ ଲାଗିଛି ନିଆଁ । ହୁତୁ ହୁତୁ ହୋଇ ଜଳୁଛି ନଳଘାସ । ଅସହ୍ୟ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ନିଆଁ ଅସ୍ତବ୍ୟସ୍ତ କରି ପକାଉଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବନାଞ୍ଚଳ ଇଲାକା କାଳୁପଡାଘାଟ ସ୍ଥିତ ଚିଲିକା କୂଳଠାରୁ ଅନତି ଦୂରରେ ଲାଗିଛି ନିଆଁ । ସୂଚନା ଅନୁସାରେ ନଳଘାସରେ ଖରାଦିନେ କେତେକ ବ୍ୟକ୍ତି ଅଭ୍ୟାସଗତ ଭାବେ ନିଆଁ ଲଗାଇଦେଇଥାନ୍ତି । ଚଳିତ ଗ୍ରୀଷ୍ମ ଋତୁରେ ଏହା ମଧ୍ୟ ଦ୍ୱିତୀୟ ଘଟଣା । ଶନିବାର ଦିନ ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୩ଟା ଭିତରେ ନିଆଁ ଲାଗିଥିଲା ।
ଘଟଣା ସଂପର୍କରେ ଏପରି ଖବର ପ୍ରଚାରିତ ହୋଇଗଲା ଯେ, ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଲା । ଖବର ପାଇ ଚିଲିକା ବନଖଣ୍ଡ ବନ୍ୟପ୍ରାଣୀ ଅଧିକାରୀ ଅମ୍ଳାନ ନାୟକ ସଦଳବଳେ ଘଟଣାସ୍ଥଳରେ ପହଁଚି ଅବସ୍ଥାର ଅନୁଧ୍ୟାନ କରିଥିବା ଜଣାପଡ଼ିଛିା ଡଙ୍ଗା ସାହାଯ୍ୟରେ ସେ ମଧ୍ୟ ଚିଲିକା ଭିତରକୁ ଯାଇ ସ୍ୱଚକ୍ଷୁରେ ସମସ୍ତ ଘଟଣା ଦେଖିଥିଲେ ।
ନଳଘାସ ରେ ନିଆଁ ଲାଗିବା ଦ୍ୱାରା ବିପଦରେ ପଡିଛନ୍ତି ଜଳଚର ଜୀବ , ପକ୍ଷୀ , ଜଳଜ ଉଦ୍ଭିଦ , ବାଘାଡୀ ଇତ୍ୟାଦି । ଚିଲିକା ରେ ନିଆଁ ଲାଗିଲେ ତାକୁ ଲିଭାଇବା ମୁସ୍କିଲ । ହେଲେ ଏହି ନିଆଁ କିଭଳି ଲାଗିଲା ତାହା ମଧ୍ୟ କେହି ଜାଣି ନାହାନ୍ତି ।

ଚିଲିକାକୁ ବିପଦ ନଳଘାସ । କେଇଟା ବର୍ଷ ତଳେ ଚିଲିକାରେ ଆବିର୍ଭାବ ହୋଇଥିବା ଏ ଘାସ ବଂଶଟି କେବଳ ଚିଲିକାର ମତ୍ସ୍ୟଜୀବୀଙ୍କ ପାଇଁ ବିପଦ ଠିଆ କରିନାହିଁ, ବରଂ ଗ୍ରୀଷ୍ଣ ଦିନେ ନଳଘାସରେ ନିଆଁର ସଂଯୋଗ ଏମିତି ହୁତ୍ହୁତ୍ ହୋଇ ଜଳିଲାଣି ଯେ, ନଳଘାସ ମୂଳେ ନିଜର ବଂଶ ବଢ଼ାଉଥିବା ବାଘାଡ଼ି ବଂଶ ପାଇଁ ବି ବିପଦ ଘନେଇଲାଣି ।
ଚିଲିକାର ଏହି ମୂଲ୍ୟବାନ ଜୀବଟି ପାଇଁ ନଳର ନିଆଁ ବିପଦପୂର୍ଣ୍ଣ ହୋଇନାହିଁ, ତା' ସହିତ କଉ, ମାଗୁର, ଗଡ଼ିଶା ଏବଂ ତୋଡ଼ି ଭଳି ମୂଲ୍ୟବାନ ମାଛକୁ ବିପଦ ଘନେଇଲାଣି । ଚିଲିକା ହ୍ରଦ ସାରା ଆସ୍ଥାନ ଜମାଇ ଥିବା ନଳଘାସର କୌଣସି ସ୍ଥାୟୀ ସମାଧାନ କରା ନଗଲେ, ଆଗକୁ ପରିବେଶ ପାଇଁ ଏକ ବଡ଼ ବିପଦ ଠିଆ କରିବ, ଏବେଠୁ ତାହା ଜଳଜଳ ଦିଶିଲାଣି ।












Click it and Unblock the Notifications