ସରକାରଙ୍କ ବଡ ନିଷ୍ପତ୍ତି ; ମଣ୍ଡି ଜଗିବାକୁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍
ରାଜ୍ୟରେ ଗତ ୨୦ ତାରିଖରୁ ଖୋଲିଛି ଧାନମଣ୍ଡି । ତେବେ ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ପ୍ରସ୍ତୁତ କରିଛନ୍ତି ରୋଡମ୍ୟାପ୍ । ଏହି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ନିମନ୍ତେ ସରକାର ଖୋଲିଛନ୍ତି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍।

କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସବୁ ମଣ୍ଡି ଉପରେ ନଜର ରଖିବ ଯୋଗାଣ ବିଭାଗ। କଣ୍ଟ୍ରୋଲ ସେଣ୍ଟର ଦ୍ୱାରା ସବୁ ମଣ୍ଡିର ସିସିଟିଭି ଅନୁଧ୍ୟାନ ହେବ। ଯୋଗାଣ ବିଭାଗ ଏହା ଉପରେ ୨୪ ଘଣ୍ଟା କାଳ ନଜର ରଖିବ । ଏଥିସହ ଧାନମଣ୍ଡିରେ ହେଉଥିବା ଅବ୍ୟବସ୍ଥା ରୋକିବାକୁ ତୁରନ୍ତ କଠୋର ପଦକ୍ଷେପ ନିଆଯିବ ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍କୁ ଉଦ୍ଘାଟନ କରିଛନ୍ତି। ମଣ୍ଡି ସଂପର୍କିତ ଅସୁବିଧା ନେଇ ଟୋଲ୍ ଫ୍ରି ନମ୍ବର ୧୯୬୭ରେ କଲ୍ କରିପାରିବେ ଚାଷୀ। ଅଭିଯୋଗ ଆସିଲେ ନୋଡାଲ ଅଧିକାରୀ ତୁରନ୍ତ ଘଟଣାସ୍ଥଳକୁ ଯିବେ। ସୁରୁଖୁରୁରେ ଧାନ ଉଠିବା ଏବଂ ମଣ୍ଡି ଜନିତ ସମସ୍ୟା ଦୂର କରିବାକୁ ଯୋଗାଣ ବିଭାଗ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
ଏନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, କୌଣସି କଟନିଛଟନି ବିନା କିପରି ମଧ୍ୟସ୍ଥିଙ୍କ ପ୍ରଭାବ ରହିବ ନାହିଁ ସେହି ଉଦ୍ଦେଶ୍ୟରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ଏହାଦ୍ୱାରା କୃଷକମାନଙ୍କ ସହ ତଥା ମଣ୍ଡି ଅଫିସରଙ୍କ ସହ ସିଧାସଳଖ ଆଲୋଚନା କରାଯାଇ ପାରିବ । ପ୍ରତ୍ୟେକ ମଣ୍ଡି ପାଇଁ ଜଣେ ଲେଖା ନୋଡ଼ାଲ ଅଫିସର ଅଛନ୍ତି। ସେମାନେ ମଧ୍ୟ ଉକ୍ତ କ୍ୟାମେରାରେ ଆସୁଛନ୍ତି।












Click it and Unblock the Notifications