ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ବିଦ୍ୟୁତ୍ କାଟ୍ ସମସ୍ୟାରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ
ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ମାର୍ଚ୍ଚ ଅଧାରୁ ତାତି ଏମିତି ବଢିଲାଣି ଯେ, ସ୍ଥିତି ଅସମ୍ଭାଳ । ଆଗକୁ ତାତି ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି । ଏହାରି ଭିତରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ ।

ବଦଳିଛି ଅଙ୍ଗନବାଡ଼ି ଆସିବା ସମୟ ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ଉଭୟ ନିଜସ୍ୱ ଗୃହ ଏବଂ ବିଦ୍ୟାଳୟ ଗୃହରେ ଚାଲୁଥିବା ଅଙ୍ଗନବାଡିଗୁଡିକର ସମୟକୁ ସକାଳ ୭ଟାରୁ ସକାଳ ୯ଟା ପର୍ଯ୍ୟନ୍ତ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଖରା ଦିନେ ବିଦ୍ୟୁତ୍ କାଟ୍ ସମସ୍ୟାରେ ଯେପରି ଲୋକ ହଇରାଣ ନହେବେ ସେନେଇ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଦିନ ୧୧ଟାରୁ ୫ଟା ଏବଂ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଯେପରି ବିଦ୍ୟୁତ୍ କାଟ୍ ନ ହୁଏ, ସେଥିପ୍ରତି ଶକ୍ତିି ବିଭାଗ ଦୃଷ୍ଟି ଦେବ। ବିଶେଷକରି ଅଘୋଷିତ ବିଦ୍ୟୁତ୍ କାଟ୍ ଯେପରି ନ ହୁଏ, ସେଥିପ୍ରତି ଧ୍ୟାନ ଦେବେ। କାଳବୈଶାଖୀ ସମୟରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ନ ହେବା ପାଇଁ ଆଗୁଆ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସଭାସମିତିଗୁଡ଼ିକୁ ପିକ୍ ଟାଇମ୍ରେ ଅନୁମତି ନଦେଇ ସକାଳେ ଓ ମଧ୍ୟାହ୍ନରେ କରିବା ପାଇଁ କୁହାଯାଇଛି। ଏନେଇ ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ଅବଗତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଖରାଦିନେ ଗ୍ରାମାଞ୍ଚଳରେ ନିଆଁ ଲାଗିବାର ସମ୍ଭାବନା ଥିବାରୁ ଅଗ୍ନିଶମ ବିଭାଗ ସଜାଗ ରହିବାକୁ କୁହାଯାଇଛି। ଗ୍ରାମାଞ୍ଚଳରେ ଗ୍ରୀଷ୍ମଜନିତ ସମସ୍ୟାର ନିରାକରଣ ପାଇଁ ସରକାରୀ ଅଧିକାରୀଙ୍କୁ କ୍ଷେତ୍ରକୁ ପଠାଇବା ସହିତ ଜିଲ୍ଲାପାଳମାନେ ନିଜେ ମଧ୍ୟ ଏ କ୍ଷେତ୍ରରେ ସଂଶ୍ଳିଷ୍ଟ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି, ଜିଲ୍ଲାସ୍ତରରେ ହେଉଥିବା ଅଭିଯୋଗ ପ୍ରକୋଷ୍ଠର ଶୁଣାଣି ସମୟ ପରିବର୍ତ୍ତନ କରି ସକାଳ ୭ଟାରୁ ୧୦ଟା ମଧ୍ୟରେ ଶେଷ କରିବାକୁ କୁହାଯାଇଛି।












Click it and Unblock the Notifications