ଭୁବନେଶ୍ୱର ବାୟୁ ଏବେ ବିଷାକ୍ତ, AQI ୧୭୬ ପାର୍
ଶୁକ୍ରବାର ସଂଧ୍ୟା ସୁଦ୍ଧା ଭୁବନେଶ୍ୱରର ବାୟୁର ଏକ୍ୟୁଆଇ(ବାୟୁ ଗୁଣାତ୍ମକ ମାନକ) ୧୭୬ ପାର୍ । ଏତିକିରେ ବି ସ୍ଥିତି ଅସମ୍ଭାଳ । ଖୋଲା ସ୍ଥାନରେ ଠିଆ ହେବାକୁ କଷ୍ଟ ଲାଗୁଥିଲା । ଯେଉଁଠି ଠିଆ ହେଲେ ବି ଅଣନିଶ୍ୱାସୀ ଭଳି ଅନୁଭବ ହେଉଥିଲା । ପୁଣି ବିଗିଡ଼ିଛି ବାୟୁର ମାନ । ସ୍ୱଚ୍ଛ ବାୟୁ ଟିକେ ମିଳିବା ଏବେ ସ୍ୱପ୍ନ । ସକାଳ କି ସଂଧ୍ୟା, ଗାଡ଼ିରେ, ଅବା ଚାଲିକି ଯାଅ ଧୂଳିରୁ ତ୍ରାହି ନାହିଁ । ଘରୁ ଗୋଡ଼ କାମିଲେ ଖୋଜାପଡ଼ୁଛି ରୁମାଲ । ନଚେତ ବାଟରେ ଦୋକାନ ଦେଖି ମାସ୍କ କିଣାଯାଉଛି । ଆଜି କି କାଲି ନୁହେଁ, ଦୀର୍ଘଦିନ ଧରି ପ୍ରଦୂଷଣ ସ୍ଥିତି ଲୋକଙ୍କ ପିଛା ଛାଡ଼ୁନି । ପଳାଶୁଣିରୁ ନେଇ ଜୟଦେବ ବିହାର, ଆଚାର୍ଯ୍ୟବିହାରରୁ ଖଣ୍ଡଗିରି, ପାତ୍ରପଡ଼ା, ପଟିଆରୁ ନେଇ ଚନ୍ଦ୍ରଶେଖରପୁର, କଳ୍ପନାରୁ ନେଇ ପୁରୀ-କଟକ ରୋଡ୍ ପର୍ଯ୍ୟନ୍ତ ସବୁଠି ବିଷାକ୍ତ ଧୂଳି । ଏମିତି ସେମିତି ଧୂଳି ନୁହେଁ, କଳା ଓ ନାଲି ମଚମଚ ପାଉଡର ଭଳି ଦେଖାଯାଉଛି । ଯାହା ଶରୀରରେ ଲାଗିଲେ, କୁଣ୍ଡେଇ ହେଉଛି । ଆଖିରୁ ପାଣି ଗଡ଼ୁଛି । କେବଳ ସହର ନୁହେଁ, ଉପକଣ୍ଠ ଧଉଳି, ବାଲିଅନ୍ତା, ବାଳକାଟି ସହ ବାଙ୍କୁଆଳ ଯାଏ ବି ଧୂଳି ପ୍ରଦୂଷଣ ଲୋକଙ୍କୁ ଆକ୍ତାମାକ୍ତା କରିପକାଉଛି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ, ଶୁକ୍ରବାର ଭୁବନେଶ୍ୱରରେ ବାୟୁର ଏକ୍ୟୁଆଇ ୧୭୬ ଥିଲା । ଯାହା ମଧ୍ୟମ ତଥାପି ଚିନ୍ତାଜନକ । ସାଧାରଣତଃ ଏକ୍ୟୁଆଇ ଶୂନ୍ରୁ ୫୦ ମଧ୍ୟରେ ରହିବା କଥା, ହେଲେ ଏବେ ଏକ୍ୟୁଆଇ ତିନିଗୁଣରୁ ଅଧିକ ହୋଇଯାଉଛି । ଯାହା ହୃଦରୋଗ, ଆସ୍ଥମା(ଶ୍ୱାସ) ଓ ଯକ୍ଷ୍ମା ଭଳି ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା ଆଣିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଚେତାଇ ଦେଇଛନ୍ତି । ରାଜଧାନୀରେ ଧୂଳି ପ୍ରଦୂଷଣ ହେବାର ଅନେକ କାରଣ ରହିଛି । ଗୋଟିଏ ପଟେ ପ୍ରକଳ୍ପ ପାଇଁ ଗଛ କଟାଯାଉଛି । ଏବେ ଯେଉଁଠି ଦେଖିବ ମନଇଚ୍ଛା ଖୋଳାତଡ଼ା ଚାଲିଛି । ନୂଆ କୋଠା ଓ ଆପାର୍ଟମେଣ୍ଟ ନିର୍ମାଣ ସାଙ୍ଗକୁ ରାସ୍ତା ଖୋଳି ଦେଇ ମାଟିକୁ ରାସ୍ତା ଉପରେ ପକାଇ ଦେଇ ନିର୍ମାଣ ସଂସ୍ଥା ଛୁ' । ସେହି ମାଟି ଯାନବାହନ ଯାତାୟାତ ବେଳେ ରାସ୍ତାରେ ଉଡ଼ୁଛି । ଭୁବନେଶ୍ୱରର ୟୁନିଟ୍-୮ ଡିଏଭିରୁ ନେଇ ପାୱାର ହାଉସ୍, ଗଣ୍ଡମୁଣ୍ଡା ବ୍ୟତୀତ ଅନେକ ଅଞ୍ଚଳରେ ଏଭଳି ନଜିର ରହିଛି । ସେହିପରି ଏକାମ୍ର କାନନ ପଛପଟ ତଥା ସାଲିଆ ସାହି ବସ୍ତି ଉଚ୍ଛେଦ ପରେ ନିର୍ମାଣାଧୀନ ରାସ୍ତାର ସ୍ଥିତି ସାଂଘାତିକ । ସେଠାରେ ଭୟଙ୍କର ଧୂଳି ଉଡ଼ୁଛି ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK






Click it and Unblock the Notifications