ବିଏମ୍ସି ପକ୍ଷରୁ ଉଦ୍ଘାଟିତ ହେଲା ଶ୍ଵାନ ବନ୍ଧ୍ୟାକରଣ କେନ୍ଦ୍ର
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ପକ୍ଷରୁ ଆଜି ଶ୍ଵାନ ବନ୍ଧ୍ୟାକରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଭୁବନେଶ୍ୱର ମହାନଗର ନିଗମର ବହୁ ଦିନର ପ୍ରାଣୀ ମଙ୍ଗଳ ଲକ୍ଷ୍ୟ ଆଜି ପୂରଣ ହୋଇଛି । ସରକାର ଏବଂ ମାନ୍ୟବର ଅଦାଲତଙ୍କ ନିର୍ଦେଶକୁ ମାନି ଏବଂ ଜନସାଧାରଣଙ୍କର ଆବଶ୍ୟକତାକୁ ପ୍ରାଥମିକତା ଦେଇ ନିର୍ମିତ ହୋଇଥିବା ସ୍ୱତନ୍ତ୍ର ଭିତିଭୂମି ଶ୍ଵାନ ବନ୍ଧ୍ୟାକରଣ କେନ୍ଦ୍ର ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ପୂର୍ବରୁ ସହିଦ ନଗରଠାରେ ଅଳ୍ପ ସଂଖ୍ୟକ କୁକୁରଙ୍କର ବନ୍ଧ୍ୟା କରଣ ହେଉଥିଲା ।
ଏହି ନୂତନ ବନ୍ଧ୍ୟାକରଣ କେନ୍ଦ୍ରରେ ୨୪୦ଟି କୁକୁର ରହିବାର କ୍ଷମତା ରହିଛି । ୪୮ଟି ଶ୍ଵାନ ଗୃହ ରହିଥିବା ବେଳେ ୨ଟି ଅପରେସନ ଥିଏଟରରେ ୫ଟି ଅପରେସନ ଟେବୁଲ ରହିଛି । କୁକୁରମାନଙ୍କୁ ଆଣିବା ଓ ଛାଡିବା ପାଇଁ ୨ଟି ଶ୍ଵାନ ସ୍ଥାନ ରହିଛି । ଆବଶ୍ୟକ ଡାକ୍ତର, ଚିକିତ୍ସା ସହାୟକ ଏବଂ କର୍ମଚାରୀ ମଧ୍ୟ ରହିଛନ୍ତି । ଯେଉଁ ଅଂଚଳରୁ କୁକୁରମାନଙ୍କୁ ବନ୍ଧ୍ୟାକରଣ ଓ ଆଂଟି ରାବିସ୍ ଟିକା ଦେବା ପାଇଁ ଏଠାକୁ ଅଣାଯିବ, ସେମାନେ ସୁସ୍ଥ ହେବା ପରେ ପୁଣି ସେହି ଅଂଚଳରେ ଛାଡି ଦିଆଯିବ ।

ବୁଲା କୁକୁରଙ୍କୁ ଶ୍ଵାନ ଯାନଯୋଗେ ଏଠାକୁ ଆଣି, ସରକାରୀ ନିୟମ ଏବଂ ସୁପ୍ରିମ କୋର୍ଟଙ୍କ ଗାଇଡ ଲାଇନ ଅନୁସାରେ ସେମାନଙ୍କୁ ପୃଥକ ଭାବେ ରଖାଯିବ । । ସେମାନଙ୍କର ଖାଇବା, ପିଇବା ଏବଂ ଯତ୍ନ ନିଆଯିବ । ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ବନ୍ଧ୍ୟାକରଣ ଓ ଟିକାକରଣ କରାଯାଇ ସେମାନଙ୍କ ଚିକିତ୍ସା କରାଯିବ । ଅସ୍ତ୍ରୋପଚାର ବରବର୍ତୀ ଯତ୍ନ ମଧ୍ୟ ନିଆଯିବ । ବନ୍ଧ୍ୟାକରଣ ଅବଧି ପରେ ସେମାନଙ୍କୁ ନିଜସ୍ଥାନରେ ସୁରକ୍ଷିତ ଭାବେ ଛାଡିଦିଆଯିବାର ସମସ୍ତ ବ୍ୟବସ୍ଥା ହୋଇଛି । କୌଣସି ବୁଲା କୁକୁରଙ୍କୁ ସ୍ଥାନାନ୍ତର ନ କରିବା ପାଇଁ ମାନ୍ୟବର ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି ।
ତେଣୁ ଏଠାରେ ଯେଉଁସବୁ କାମ ହେଉଛି ବା ଆଗାମୀ ଦିନରେ ହେବ, ତାହା ସବୁ ସରକାରୀ ନିୟମ ଅନୁଯାୟୀ କରାଯିବ । ବର୍ତମାନ ସୁଦ୍ଧା ବିଏମ୍ସି ୨୦୦୮ଟି ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିଛି । ଖାଲି ବନ୍ଧ୍ୟାକରଣ ନୁହେଁ, ସେମାନଙ୍କୁ ଜଳାତଙ୍କ ପ୍ରତିରୋଧି ବା ଆଂଟି ରାବିସ୍ ଟିକା ମଧ୍ୟ ଦିଆଯାଉଛି । ଭୁବନେଶ୍ୱରକୁ ଜଳାତଙ୍କ ରୋଗ ମୁକ୍ତ କରିବା ପାଇଁ ବିଏମ୍ସିର ଏହା ଏକ ପ୍ରୟାସ ।
କୌଣସି ଅଂଚଳରେ ବୁଲା କୁକୁରଙ୍କର ଦୌରାତ୍ମ୍ୟ ବୃଦ୍ଧି ପାଇଲେ ନାଗରିକମାନେ ୧୯୨୯କୁ ଫୋନ୍ କରି ଜଣାଇ ପାରିବେ କିମ୍ବା ସଫା ଭୁବନେଶ୍ୱର ଆପ୍ରେ ଜଣାଇ ପାରିବେ ବୋଲି କୁହାଯାଇଛି ।












Click it and Unblock the Notifications