Bhubaneswar Lok Sabha Election 2024: ଭୋଟ ଦେଲେ ଭୁବନେଶ୍ଵର ସାଂସଦ ତଥା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ
ଭୋଟ ଦେଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଓ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ସେ ନିଜର ମତ ସାବ୍ୟସ୍ତ କରିଛନ୍ତି ।
ଭୁବନେଶ୍ୱରରୁ ବିଜେପି ପ୍ରାର୍ଥୀ ଆପରାଜିତା ଷଡ଼ଙ୍ଗୀ କହିଛନ୍ତି "... ମୁଁ ସମସ୍ତଙ୍କୁ ନିବେଦନ କରିଛି ଯେ, ପ୍ରାର୍ଥୀଙ୍କୁ ଦେଖିଲା ପରେ ଭୋଟ୍ ଦିଅନ୍ତୁ । ମୁଁ ବହୁତ ଖୁସି ଯେ ଲୋକମାନେ ହ୍ୱିଲ ଚେୟାରରେ ଭୋଟ୍ ଦେବାକୁ ଆସୁଛନ୍ତି । ମୁଁ ଆଶା କରୁଛି ଯେ ମୁଁ ଲୋକଙ୍କ ଆଶୀର୍ବାଦ ପାଇବି। ... "
ବିଜେଡ଼ି ଭୁବନେଶ୍ୱରରୁ ମନ୍ମଥ ରାଉତରାୟ ଓ କଂଗ୍ରେସ ୟାସିର୍ ନୱାଜଙ୍କୁ ପ୍ରାର୍ଥୀ କରିଛି ।
୨୦୧୯ ନିର୍ବାଚନ ପୂର୍ବରୁ ଆଇଏଏସ୍ ଚାକିରି ଛାଡ଼ି ପଦ୍ମ ଧରିଥିଲେ ଅପରାଜିତା ଷଡ଼ଙ୍ଗୀ। ପଦ୍ମ ଧରୁ ଧରୁ ଏହି ଫାୟାରବ୍ରାଣ୍ଡ ନେତ୍ରୀଙ୍କୁ ବିଜେପି ଭୁବନେଶ୍ୱର ଭଳି ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନରୁ ଟିକେଟ ଦେଇଥିଲା। ଆଉ ଅପରାଜିତା ବିଜୟୀ ହୋଇଥିଲେ। ବିଜେଡିର ଅଭେଦ୍ୟ ଦୁର୍ଗକୁ ଭାଙ୍ଗି ସେ ପଦ୍ମ ଫୁଟାଇଥିଲେ। ଏଥର ତାଙ୍କ ଉପରେ ପୁଣି ଭରସା କରିଛି ବିଜେପି। ତେବେ ଗତ ଥର ଭଳି ଏଥର ଅପରାଜିତା ବାଜି ମାରିପାରିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

କାରଣ ଅରାଜିତାଙ୍କ ଆଗରେ ଏବେ ଅନେକ ଆହ୍ୱାନ ରହିଛି। ଗତ ପାଞ୍ଚ ବର୍ଷରେ ଅପରାଜିତା କେତେ ପ୍ରତିଶ୍ରୁତି ପୂରଣ କରିଛନ୍ତି ଭୋଟରମାନେ ତା'ର ଏବେ ହିସାବ କରୁଛନ୍ତି। ତା'ଛଡ଼ା ଭୁବନେଶ୍ୱର ଉତ୍ତର, ଜୟଦେବ, ଖୋର୍ଦ୍ଧା ଏବଂ ବୋଲଗଡ଼-ବେଗୁନିଆ ନିର୍ବାଚନମଣ୍ଡଳୀରେ ବିଜେପି ନୂଆ ପ୍ରାର୍ଥୀ ଦେଇଛି। ତେଣୁ ଏହି ବିଧାୟକ ପ୍ରାର୍ଥୀମାନଙ୍କ ବଳ ଉପରେ ଅପରାଜିତାଙ୍କ ଭାଗ୍ୟ ନିର୍ଭର କରୁଛି।
ଭୁବନେଶ୍ୱର ଲୋକସଭା ଆସନରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ଚେକ୍ ଦେବା ପାଇଁ କଂଗ୍ରେସ ନୂଆ ତଥା ଯୁବ ଚେହେରାଙ୍କୁ ପ୍ରାର୍ଥୀ କରିଛି। ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଉପରେ ଦଳ ଭରସା କରିଛି। ସେ ଯୁବ ଭୋଟରଙ୍କ ମନ ଜିଣିବା ସହ ସଂଖ୍ୟାଲଘୁ ଭୋଟ ପାଇବେ ବୋଲି କଂଗ୍ରେସ ଆଶା ରଖିଛି।
ଭୁବନେଶ୍ୱର ଲୋକସଭା ଆସନ ଅଧୀନରେ ରହିଛି ୭ଟି ବିଧାନସଭା କ୍ଷେତ୍ର। ଏକାମ୍ର ଭୁବନେଶ୍ୱର, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଜୟଦେବ, ଜଟଣୀ, ବେଗୁନିଆ ଏବଂ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀକୁ ନେଇ ଗଠିତ ଏହି ଲୋକସଭା ଆସନ। ୨୦୧୯ରେ ୬ଟି ଆସନ ବିଜେଡି ଖାତାକୁ ଯାଇଥିଲା। କେବଳ ଜଟଣୀ ଆସନରେ କଂଗ୍ରେସ ନେତା ସୁରେଶ ରାଉତରାୟ ଜିତିଥିଲେ। ଏଥର ବିଜେଡି ଓ ବିଜେପି ଏହି ଆସନଗୁଡ଼ିକୁ ଦଖଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ କେତେକ ଆସନରେ ପ୍ରାର୍ଥୀ ଅଦଳ ବଦଳ କରିଛନ୍ତି ଉଭୟ ଦଳ।












Click it and Unblock the Notifications