ବାତ୍ୟା ‘ଦାନା’ ପାଇଁ କାଲିଠୁ ଭୁବନେଶ୍ବରରେ ବିମାନଚଳାଚଳ ବନ୍ଦ, ଏହି ସମୟରେ ବନ୍ଦ ରହିବ ବିମାନ ସେବା
ଭୁବନେଶ୍ବର: ସାମୁଦ୍ରିକ ଝଡ଼ 'ଦାନା' ପରିବହନ ବ୍ୟବସ୍ଥା ଉପରେ ବଡ଼ଧରଣର ପ୍ରଭାବ ପକାଇଛି। ବାତ୍ୟା ପାଇଁ ଭାରତୀୟ ରେଳବାଇ ଆଜି ଠାରୁ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୨୦୦ ଟ୍ରେନ୍ ଚଳାଚଳ ବନ୍ଦ ରଖିଛି। ଟ୍ରେନ୍ ସେବା ପରେ ଏବେ ବିମାନ ସେବା ପ୍ରଭାବିତ ହେଉଛି । ଆସନ୍ତା କାଲି ଅର୍ଥାତ ଗୁରୁବାର ଅପରାହ୍ନ ୫ଟା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ କୌଣସି ବିମାନ ଉଡି ପାରିବ ନାହିଁ। ଏପରିକି ଆସିପାରିବ ନାହିଁ। ଏହି ନିର୍ଦ୍ଦେଶନାମା ୨୫ ତାରିଖ ଅର୍ଥାତ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିଛି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ(AAI) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ବାତ୍ୟା 'ଦାନା' ପାଇଁ AAI ଏପରି ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ବାତ୍ୟା 'ଦାନା' ଧୀରେଧୀରେ ଉଗ୍ରରୂପ ଧାରଣ କରୁଛି। ପାରାଦୀପଠାରୁ ଏହା ୪୫୦ କିମି ଦୂରରେ ରହିଛି ଏବଂ ଘଣ୍ଟା ପିଛା ୧୨କିମି ବେଗରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଗୁରୁବାର ସନ୍ଧ୍ୟା ପରଠାରୁ ଏବଂ ଶୁକ୍ରବାର ସକାଳ ପୂର୍ବରୁ ବାତ୍ୟା ଭଦ୍ରକ ଜିଲ୍ଲା ଧାମରାରୁ କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଦେଇ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ରହିପାରେ। ତେଣୁ ପ୍ରଶାସନ ତରଫରୁ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି।












Click it and Unblock the Notifications