ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଭିତରକନିକା; ୩ ମାସ ଧରି ବନ୍ଦ ରହିଥିଲା
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଭିତରକନିକା । କୁମ୍ଭୀର ପ୍ରଜନନ ପାଇଁ ୩ ମାସ ଧରି ବନ୍ଦ ରହିଥିଲା ଭିତରକନିକା ଜାତୀୟ ଉଦ୍ୟାନ । ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ କାରଣରୁ ଭିତରକନିକାକୁ ବନ୍ଦ ରଖାଯାଇଥିଲା।
ଦୀର୍ଘ ମାସ ପରେ ଭିତରକନିକା ଖୋଲିଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କରାଯାଇଛି। ଚଳିତ ଥର ଭିତରକନିକାରେ ପର୍ଯ୍ୟଟକଙ୍କ ପାଇଁ ତିଆରି ହୋଇଛି ସ୍କାଏ ୱାକ୍ ।
ପର୍ଯ୍ୟଟକମାନଙ୍କୁ ନିଆରା ଅନୁଭୂତି ଦେବାପାଇଁ ଚଳିତବର୍ଷ ଡାଙ୍ଗମାଳ ଠାରେ ୧୫ ଫୁଟ ଉଚ୍ଚରେ ବନ ବିଭାଗ କରିଛି ସ୍କାଏ ୱlକ୍। ଏହାର ଲମ୍ବ ୬୦୦ ମିଟର ରହିଛି। ଏହା ଉପର ଦେଇ ଯିବା ବେଳେ ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବା ସହ ଜାତିଜାତିକା ପକ୍ଷୀ, ହରିଣ ଓ ସରୀସୃପମାନଙ୍କୁ ଦେଖିବାକୁ ପାଇବେ। ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ଙ୍କ ସହ ଭିତରକନିକା ଉପରେ ନିର୍ଭରକରୁଥିବା ବୋଟ , ହୋଟେଲ , ଟ୍ରାଭେଲ୍ ଏଜେନ୍ସି , ଛୋଟ ବ୍ୟବସାୟ , ଟୁରିଷ୍ଟ ଗାଇଡ ଚଳଚଞ୍ଚଳ ହୋଇ ଉଠିଛନ୍ତି ।

ଏହା ବ୍ୟତୀତ ଭିତରକନିକାରେ ପ୍ରବାହିତ ନଦୀ ମଧ୍ୟରେ ରହଣି ପାଇଁ ମଧ୍ୟ ଚଳିତବର୍ଷ ୪ଟି କାଟା ମେରାଇନ ବୋଟର ସୁବିଧା ରହିଛି। ଫଳରେ ନଦୀ ଭିତରେ ସୌଖିନ ବୋଟରେ ପଞ୍ଚତାରକା ହୋଟେଲର ମଜା ନେଇପାରିବେ ପର୍ଯ୍ୟଟକ। ଭିତରକନିକାକୁ ପ୍ରବେଶ ପାଇଁ ଦୁଇଟି ଜଳପଥ ଓ ଗୋଟିଏ ସ୍ଥଳ ପଥ ରହିଛି। ଜଳ ପଥ ପାଇଁ ବୋଟ୍ ଯୋଗେ ପର୍ଯ୍ୟଟକ ଆସିବା ପାଇଁ ସୁବିଧା ଥିବା ବେଳେ, ସ୍ଥଳପଥରେ ସିଧା ଡାଙ୍ଗମାଳ ଜାତୀୟ ଉଦ୍ୟାନ ପାଖରେ ପହଞ୍ଚିବା ପାଇଁ ସୁବିଧା ରହିଛି।
ସେହିପରି ଭିତରକନିକାକୁ ଭିତରକୁ ପ୍ଲାଷ୍ଟିକ୍ ପଲିଥିନ ମୁକ୍ତ କରିବାକୁ ମଧ୍ୟ ପର୍ଯ୍ୟଟକମାନଙ୍କୁ ସଚେତନ କରାଯିବ । ଭିତରକନିକା ଜୈବ ବିବିଧତାର ସୁରକ୍ଷା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଭିତରକୁ ପଲିଥିନ୍ ନେବା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ପ୍ଲାଷ୍ଟିକ ମୁକ୍ତ ଭିତରକନିକା ଗଢିବା ପାଇଁ ପର୍ଯ୍ୟଟକମାନଙ୍କୁ ସଚେତନ କରିବା ସହ କପଡ଼ା ବ୍ୟାଗ୍, କାଗଜ ବ୍ୟାଗ୍ ,ଝୋଟରେ ପ୍ରସ୍ତୁତ ବ୍ୟାଗ୍ ଏହି ଜାତୀୟ ଉଦ୍ୟାନ ଭିତରେ ବ୍ୟବହାର କରିବା ପାଇଁ ବନ ବିଭାଗ ପକ୍ଷରୁ ନିବେଦନ କରାଯାଇଛି ।












Click it and Unblock the Notifications