ଭରତପୁର ଥାନା ଘଟଣା; ଜାତୀୟ ମହିଳା କମିଶନଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କଲା କ୍ରାଇମବ୍ରାଞ୍ଚ
ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ଯାତନା ଘଟଣାକୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହି ସଙ୍ଗୀନ ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଜାତୀୟ ମହିଳା କମିଶନ(NCW) ନିଜ ଆଡ଼ୁ ମାମଲା ରୁଜୁ କରିଥିଲେ। ଏଥିସହ ମାମଲାର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚକୁ ରିପୋର୍ଟ ମାଗିଥିଲେ। ଏହି ମାମଲାରେ ହୋଇଥିବା ତଦନ୍ତ ରିପୋର୍ଟ ଆଜି ଜାତୀୟ ମହିଳା କମିଶନଙ୍କୁ ହସ୍ତାନ୍ତର କରିଛି କ୍ରାଇମବ୍ରାଞ୍ଚ । ତେବେ ରିପୋର୍ଟରେ କ'ଣ ଉଲ୍ଲେଖ ଅଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି।

ଭରତପୁର ଥାନାରେ ସେପ୍ଟେମ୍ବର ୧୫ତାରିଖ ରାତିରେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହ ପୁଲିସର ଅମାନବୀୟ ଅତ୍ୟାଚାର ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସେପ୍ଟେମ୍ବର ୧୭ତାରିଖରେ ଜାତୀୟ ମହିଳା କମିଶନ ଆକ୍ସନ ମୋଡକୁ ଆସିଥିଲେ । ନିଜଆଡ଼ୁ ମାମଲା ରୁଜୁ କରି ରାଜ୍ୟ ପୁଲିସ ଡିଜିଙ୍କୁ ଚିଠି ଲେଖି ୩ଦିନ ମଧ୍ୟରେ(୨୦ତାରିଖ ସୁଦ୍ଧା) କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସମ୍ପୃକ୍ତ ପୁଲିସ ଅଫିସରମାନଙ୍କ ବିରୁଦ୍ଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କମିଶନ ଆଶାବ୍ୟକ୍ତ କରିଥିଲେ। ଏହାପରେ ଆଜି ଏହି ମାମଲାର ରିପୋର୍ଟ କ୍ରାଇମବ୍ରାଞ୍ଚ NCWଙ୍କୁ ହସ୍ତାନ୍ତର କରିଛି ।
ଏହି ଘଟଣାରେ NCWଙ୍କ ଏଭଳି ତତ୍ପରତା ଓ ଭାରତୀୟ ସେନା ପକ୍ଷରୁ ତୀବ୍ର ଆପତ୍ତି ଉଠାଯିବା ପରେ ଭରତପୁର ଥାନା ଆଇଆଇସିଙ୍କ ସମେତ ମୋଟ ୫ଜଣ ପୁଲିସ କର୍ମଚାରୀଙ୍କୁ ରାଜ୍ୟ ପୁଲିସ ଡିଜି ତତ୍କାଳ ପ୍ରଭାବରୁ ନିଲମ୍ବନ କରିଥିଲେ । ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ମାଡ଼ ଘଟଣାକୁ ଏନସିଡବ୍ଲ୍ୟୁ ଗମ୍ଭୀରତାର ସହ ନେଇଥିବା ବେଳେ ଭାରତୀୟ ସେନା ପକ୍ଷରୁ ମଧ୍ୟ ତୀବ୍ର ଆପତ୍ତି ଉଠା ଯାଇଥିଲା।
ସେନାର ଅବସରପ୍ରାପ୍ତ ଅଫିସର ଓ କର୍ମଚାରୀମାନେ ମଧ୍ୟ କମିଶନରେଟ ପୁଲିସ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସହ ନ୍ୟାୟ ଦାବି କରିଥିଲେ । ଏପରିକି ୧୯ତାରିଖରେ ସେନା ଅଫିସରଙ୍କ ବାନ୍ଧବୀ ନିଜେ ଗଣମାଧ୍ୟମ ସମ୍ମୁଖକୁ ଆସି ତାଙ୍କ ସହ ପୁଲିସର ଅମାନବୀୟ ଓ ବର୍ବର କାର୍ଯ୍ୟ ସମ୍ପର୍କରେ ବଖାଣିଥିଲେ । କ୍ରାଇମବ୍ରାଞ୍ଚ ଟିମ୍ ଆର୍ମି ମେଜର୍ ଗୁରୁବଂଶଙ୍କୁ ବୟାନ ରେକର୍ଡ କରିଥିବା ବେଳେ ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଘନ ଘନ ଜେରା କରିଛି।












Click it and Unblock the Notifications