୫ ପୁଲିସ ଅଧିକାରୀଙ୍କର ଆଜି ପଲିଗ୍ରାଫ ଟେଷ୍ଟ; ଧରା ପଡ଼ିବ କିଏ କହୁଛି ମିଛ ?
ଭରତଥପୁର ଥାନା ମାମାଲାରେ ଆଜି ହେବ ପଲିଗ୍ରାଫ୍ ଟେଷ୍ଟ । ନିଲମ୍ବିତ ଥାନା ଅଧିକାରୀଙ୍କ ସମେତ ୫ ପୁଲିସ କର୍ମଚାରୀଙ୍କୁ ନେଇ ଗୁଜରାଟରେ ପହଁଚିଛି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ । କ୍ରାଇମବ୍ରାଞ୍ଚର ଦୁଇଜଣ ଡିଏସପିଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ଟିମ ସମସ୍ତଙ୍କୁ ଧରି ଗୁଜରାଟରେ ପହଁଚିଛି ।
ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ସୋମବାର ଗୁଜରାଟ ଗାନ୍ଧୀନଗରସ୍ଥିତ ଷ୍ଟେଟ୍ ଫୋରେନସିକ୍ ସାଇନ୍ସ ଲାବୋରେଟୋରି (ଏସ୍ଏଫ୍ଏସ୍ଏଲ୍)ରେ ୫ ପୋଲିସ ଅଧିକାରୀଙ୍କ ମିଛଧରା ପରୀକ୍ଷା ହେବ । ଏଥିପାଇଁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍ଆଇ ବୈଶାଳିନୀ ପଣ୍ଡା, ଏଏସ୍ଆଇ ସାଗରିକା ରଥ, ଏଏସ୍ଆଇ ସଲିଳମୟୀ ସାହୁ ଏବଂ ଘଟଣା ଦିନ ଥାନାରେ ପ୍ରତ୍ୟକ୍ଷଦର୍ଶୀ ଭାବେ ଉପସ୍ଥିତ ଥିବା କାର୍ଯ୍ୟରତ ଏସ୍ଆଇ ପ୍ରଶାନ୍ତ ମହାରଣା ରବିବାର ଗୁଜରାଟ ଯାଇଛନ୍ତି । ଏଥିସହ କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ନରେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ୩ଜଣିଆ ଟିମ୍ ମଧ୍ୟ ସେଠାକୁ ଯାଇଛି । ତେବେ ଦୀନକୃଷ୍ଣଙ୍କର ପଲିଗ୍ରାଫ ଟେଷ୍ଟ, ନାର୍କୋ-ଆନାଲିସିସ୍ ଓ ବ୍ରେନ୍ ଫିଙ୍ଗର ପ୍ରିଣ୍ଟିଙ୍ଗ୍ ଟେଷ୍ଟ ହେବାକୁ ଥିବାବେଳେ ଅନ୍ୟ ୪ ପୋଲିସ ଅଧିକାରୀଙ୍କ କେବଳ ପଲିଗ୍ରାଫ୍ ଟେଷ୍ଟ କରାଯିବ ।

ଜଣଙ୍କ ପରେ ଜଣଙ୍କୁ ଏସବୁ ଟେଷ୍ଟ କରାଇବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଛି। ଟେଷ୍ଟ ସରିବା ପରେ ସମସ୍ତ ପୋଲିସ ଅଧିକାରୀଙ୍କୁ ଧରି କ୍ରାଇମବ୍ରାଞ୍ଚ ଟିମ୍ ଓଡ଼ିଶା ଫେରିଆସିବ। ଉକ୍ତ ରାତିରେ ପ୍ରକୃତରେ କ'ଣ ଘଟିଥିଲା। କାହା ବୟାନରେ ସତ ରହିଛି ।
ଏସବୁ ଜାଣିବାକୁ କ୍ରାଇମ୍ବ୍ରାଞ୍ଚ ପାଖରେ ଶେଷ ବିକଳ୍ପ ରହିଛି ସାଇଣ୍ଟିଫିକ୍ ଟେଷ୍ଟ। ରିପୋର୍ଟ ଆସିବା ପରେ ପ୍ରକୃତ ସତ ପଦାକୁ ଆସିବ ବୋଲି ତଦନ୍ତକାରୀ ଟିମ୍ ଆଶା ରଖିଛି । ଏସବୁ ଟେଷ୍ଟ କରାଇବାକୁ କ୍ରାଇମ୍ବ୍ରାଞ୍ଚ କୋର୍ଟଙ୍କ ନିକଟରେ ଆବେଦନ କରିଥିବାବେଳେ ପୋଲିସ ଅଧିକାରୀମାନେ ସହମତି ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ, କ୍ରାଇମ୍ବ୍ରାଞ୍ଚ ଟିମ୍ ଦିନରେ ଓ ଟେଷ୍ଟ ହେବାକୁ ଥିବା ୫ ପୋଲିସ ଅଧିକାରୀ ରାତିରେ ବିମାନଯୋଗେ ଗୁଜରାଟ ଗସ୍ତ କରିଥିବା ଜଣାପଡିଛି ।












Click it and Unblock the Notifications