ଭଦ୍ରକ-ନୟାଗଡ଼କୁ ଗଡିଲା ମେମୁ ଟ୍ରେନ୍, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

କଟକ: ପବିତ୍ର ରାମ ନବମୀରେ ଭଦ୍ରକ-ନୟାଗଡ଼ ମେମୁ ଟ୍ରେନର ଶୁଭାରମ୍ଭ ହୋଇ ଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଏହି ଟ୍ରେନ୍ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ର ଶୁଭାରମ୍ଭ ହେବା ଦ୍ବାରା ଦୈନିକ ହଜାର ହଜାର ଲୋକ ଉପକୃତ ହେବେ।
କମ ଖର୍ଚ୍ଚରେ ଲୋକେ ଭଦ୍ରକରୁ ନୟାଗଡ଼ ମଧ୍ୟରେ ଲୋକେ ଯାତାୟତ କରିପାରିବେ। ଏହି ଟ୍ରେନରେ ୧୨ ଟି କୋଚ ଥିବା ବେଳେ ୨୬୪୬ ଜଣ ଯାତ୍ରୀ ଯାତ୍ରା କରି ପାରିବେ। ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ୪୦ ଟି ହଲଟ ଥିବାବେଳେ ଏହି ସମସ୍ତ ଜିଲ୍ଲାର ଲାଇଫ ଲାଇନ ହୋଇ ପାରିବ ।
ଏହି ଟ୍ରେନ୍ ଭଦ୍ରକରୁ ସକାଳ ୫ ଟା ୪୫ ମିନିଟରେ ଛାଡି ପୂର୍ବାହ୍ନ ୧୧ଟା ୪୫ ମିନିଟରେ ନୟାଗଡ଼ ଟାଉନରେ ପହଞ୍ଚିବ। ଫେରିବା ମାର୍ଗରେ ନୟାଗଡ଼ ଟାଉନରୁ ଏହି ଟ୍ରେନ୍ ଅପରାହ୍ନ ୫ଟା ୫ ମିନିଟରେ ଛାଡି ଭଦ୍ରକ ଠାରେ ରାତ୍ରି ୧୦ ଟା ୪୫ ମିନିଟରର ପହଞ୍ଚିବ। ଏହି ଟ୍ରେନ୍ ଉଭୟ ଦିଗରୁ ଭଦ୍ରକ ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଥିବା ସମସ୍ତ ଷ୍ଟେସନ୍ ଏବଂ ପାସେଞ୍ଜର ହଲ୍ଟ ଗୁଡ଼ିକରେ ରହଣି କରିବ।
ତେବେ ଏହି ଅବସରରେ କଟକ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବା ନେଇ ପ୍ରକଳ୍ପର ଆରମ୍ଭ ହୋଇଥିବା ବେଳେ ଏବେ ଓଡ଼ିଶା ର ୫୭ଟି ରେଳ ଷ୍ଟେସନର ଉନ୍ନତୀକରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
କଟକ ଷ୍ଟେସନର ନବୀକରଣ ପାଇଁ ୩୩୦ କୋଟି ଟଙ୍କା ମଂଜୁର ହୋଇଛି। ୧୦ ହଜାର କୋଟି ଟଙ୍କା ରେଳବାଇ ପାଇଁ କେନ୍ଦ୍ର ସରକାର ଓଡିଶାକୁ ଦେଇଛନ୍ତି। ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଓଡିଶାରେ ବର୍ଷକୁ ୫୦ କିଲୋମିଟର ରେଳ ଲାଇନ ତିଆରି ହେଉଥିଲା । ୨୦୨୨-୨୩ ବର୍ଷରେ ଓଡିଶାରେ ୪୫୦ କିଲୋମିଟର ରେଳ ଲାଇନ ତିଆରି ହୋଇଛି। ଯାହା ୭୫ ବର୍ଷରେ ହୋଇ ନ ଥିଲା ତାହା ଗୋଟିଏ ବର୍ଷରେ ହୋଇଛି। ଓଡିଶାର ୫୭ଟି ଷ୍ଟେସନର ନବୀକରଣ କରା ଯାଉଥିବା କହିଛନ୍ତି ରେଳ ମନ୍ତ୍ରୀ ।
ଏହି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପ୍ରତାପ ଷଡଙ୍ଗୀ ମଧ୍ୟ ସାମିଲ ହୋଇଥିଲେ ।












Click it and Unblock the Notifications