ବାରବାଟୀ-କଟକ ଆସନରେ ସବୁ ନୂଆ ଚେହେରା, କାହା ସପକ୍ଷରେ ରହିବେ ଭୋଟର
Assembly Election 2024: ମତଦାନ ତାରିଖ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତେ ସରଗରମ ହୋଇଉଠୁଛି । ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିବା ସହ ପ୍ରଚାର ହେଉଛି ଜୋରଦାର । ଏଥି ମଧ୍ୟରେ ଚଳିତ ନିର୍ବାଚନରେ ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀର ଫଳାଫଳ ବେଶ୍ ରୋଚକ ହେବା ନେଇ ଆଶା କରାଯାଉଛି ।

କିଛି ଦିନ ପୂର୍ବରୁ ବିଜେଡ଼ି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଦେଇ ସାରିଥିବା ବେଳେ ବିଜେପି ବିଳମ୍ବରେ ସାମିଲ ହୋଇଛି । ବିଜେପି ଏହି ଆସନରୁ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଟିକେଟ୍ ଦେଇଛି । ସେ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ । ସେହିପରି ବିଜେଡ଼ି ଆମଦାନୀ ନେତା ତଥା ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ପ୍ରାର୍ଥୀ କରିଛି । ଅପରପକ୍ଷରେ କଂଗ୍ରେସ ବର୍ତ୍ତମାନର ବିଧାୟକ ମହମ୍ମଦ ମୋକ୍କିମଙ୍କ ଝିଅ ସୋଫିଆ ଫିର୍ଦୋସଙ୍କୁ ଟିକେଟ୍ ଦେଇଛି । ଏହା ପରେ ଏହି ଆସନରେ ଏକ ଜୋରଦାର ଲଢେଇର ଆଭାସ ମିଳୁଛି ।
ସୋଫିଆ ଓ ଡାକ୍ତର ମହାପାତ୍ର ରାଜନୀତିରେ ସଂପୂର୍ଣ୍ଣ ନୂଆ ଚେହେରା । କିନ୍ତୁ ସୋଫିଆଙ୍କ ପାଇଁ ବିଧାୟକ ମହମ୍ମଦ ମୋକିମ ପ୍ରଚାର କରିବା ସହ ପରୋକ୍ଷରେ ନିର୍ବାଚନ ଲଢୁଥିବା ଦେଖିବାକୁ ମିଳୁଛି । ତେଣୁ ବାରବାଟୀ-କଟକ ଭୋଟର ଏଥର ସଂପୂର୍ଣ୍ଣ ଭାବେ ତିନି ନୂଆ ଚେହେରାଙ୍କ ମଧ୍ୟରୁ ନିଜର ନେତା ବାଛିବେ ।
ବିଜେଡ଼ି ପ୍ରାର୍ଥୀ ପ୍ରକାଶ ବେହେରା ଯଦିଓ ରାଜନୀତିରେ ପୁରୁଣା ଖେଳାଳି । ସେ ପୂର୍ବରୁ କଂଗ୍ରେସ ଆଉ ବିଜେପିରେ ରହି ସାଲେପୁରରେ ଭାଗ୍ୟ ପରୀକ୍ଷା କରୁଥିଲେ । ବାରବାଟୀ-କଟକ ସହ ବିଜେଡ଼ିରେ ସେ ନୂଆ ।
ଗତ କିଛି ବିଧାନସଭା ନିର୍ବାଚନକୁ ଦେଖିଲେ ଏହି ଆସନରେ ବିଜୟୀ ହୋଇଆସୁଥିବା ପ୍ରାର୍ଥୀ 50 ହଜାରରୁ ଅଧିକ ଭୋଟ୍ ହାସଲ କରିଛନ୍ତି । ମୁଖ୍ୟତଃ କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ହେଉଥିବା ଲଢେଇରେ ଏଥର ବିଜେପି କଡ଼ା ଟକ୍କର ଦେଇପାରେ ବୋଲି ମଧ୍ୟ କୁହାଯାଉଛି । ପ୍ରାର୍ଥୀ ନୂଆ ହେଲେ ବି ତିନି ଦଳର ନିଜ ନିଜର ଭୋଟ୍ ବ୍ୟାଙ୍କ ରହିଛି । ସେହି ଭୋଟ୍ କୁ ନେଇ କେଉଁ ପ୍ରାର୍ଥୀ କେମିତି ମ୍ୟାନେଜ୍ କରିବେ ତା ଉପରେ ନିର୍ବାଚନର ଫଳାଫଳ ନିର୍ଭର କରିବ ।
2009, 2014 ଓ 2019 ନିର୍ବାଚନକୁ ଦେଖିଲେ କଂଗ୍ରେସ ଲଗାତାର ଭାବେ ନିଜର ଭୋଟ ବୃଦ୍ଧି କରିଚାଲିଛି । 2009 ରେ 27 ହଜାର ଭୋଟରୁ ଆରମ୍ଭ କରି 2019 ରେ 50 ହଜାର ଭୋଟରେ ପହଞ୍ଚିଛି । କିନ୍ତୁ 2022 ପୌର ନିର୍ବାଚନରେ ବାରବାଟୀ-କଟକରେ କଂଗ୍ରେସର ଭୋଟ 36 ହଜାରରୁ ଅଳ୍ପ ଅଧିକ ରହିଥିଲା । ଗତ 3 ଟି ସାଧାରଣ ନିର୍ବାଚନରେ ବିଜେଡିର ଭୋଟ ସାମାନ୍ୟ ଉପରତଳ ହେଇଥିଲେ ବି 50 ହଜାର ପାଖାପାଖି ରହି ଆସିଛି। 2009 ରେ 52 ହଜାର, 2014 ରେ 57 ହଜାର ଓ 2019 ରେ 46 ହଜାର ଭୋଟ ପାଇଛି ବିଜେଡି । 2022 ପୌର ନିର୍ବାଚନରେ କିନ୍ତୁ ବାରବାଟୀ-କଟକରେ ବିଜେଡି ଭୋଟ 59 ହଜାର ଟପି ଯାଇଥିଲା ।
ଅନ୍ୟପଟେ ବିଜେପି 2009 ରେ ମାତ୍ର 15 ହଜାର ଭୋଟ ପାଇଥିବା ବେଳେ 2014 ରେ 20 ହଜାର ଓ 2019 ରେ 33 ହଜାରରୁ ଅଧିକ ଭୋଟ ପାଇଥିଲା । 2022 ପୌର ନିର୍ବାଚନରେ ବିଜେପି ଭୋଟ 23 ହଜାରରୁ ସାମାନ୍ୟ ଅଧିକ ରହିଥିଲା ।
ଏହି ବାରବାଟୀ-କଟକରେ 16 ପ୍ରତିଶତ ସଂଖ୍ୟାଲଘୁ ଭୋଟ୍ ରହିଛି । 2014 ଓ 2019 ରେ ଏହି ଭୋଟ୍ର ସିଂହଭାଗ ବିଧାୟକ ମହମ୍ମଦ ମୋକିମଙ୍କ ସହିତ ଯାଇଥିଲା । କିନ୍ତୁ ପୌର ନିର୍ବାଚନରେ ସେହି ଭୋଟ୍ର ସିଂହଭାଗ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ନ ଯାଇ ବିଜେଡି ସପକ୍ଷରେ ଯାଇଥିଲା । ନିର୍ବାଚନ ଆରମ୍ଭରୁ ମହମ୍ମଦ ମୋକିମ ସକ୍ରିୟ ରହିବା ସହିତ ଲଗାତାର ଭାବେ ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ସୋଫିଆ ବି ନୂଆ ଯୁବ ଚେହେରା ଭାବେ ପ୍ରଚାର ଅଭିଯାନକୁ ଅଧିକ ବଳ ଦେଇଛନ୍ତି । ବିଜେଡି ନିଜର ସଙ୍ଗଠନ ବଳରେ ପ୍ରକାଶଙ୍କୁ ନେଇ ପ୍ରଚାର ପ୍ରକ୍ରିୟାକୁ ତ୍ବରାନ୍ବିତ କରୁଛି ।
କିନ୍ତୁ ବିଜେପି ଟିକେଟ୍ ଦେବାରେ ବିଳମ୍ବ କରିବାରୁ ପ୍ରଚାର ଆରମ୍ଭ ହୋଇପାରିନି । କେବଳ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ କେତେକ କାର୍ଯ୍ୟକ୍ରମକୁ ବାଦ ଦେଲେ ବିଧିବଦ୍ଧ ଭାବେ ଏଯାଏ ପ୍ରଚାର ଅଭିଯାନ ଆରମ୍ଭ କରି ପାରିନି । ପୂର୍ଣ୍ଣ ମହାପାତ୍ର ନିଜର ପତିଆରା ଆଉ ପରିଚୟ ବଳରେ ତାହାକୁ କେତେ ଗତି ଦେଇ ପାରିବେ, ତାହା ହୁଏତ ଆଗକୁ ସ୍ପଷ୍ଟ ହେବ ।












Click it and Unblock the Notifications