ବାରବାଟୀ-କଟକ ବିଧାନସଭା ନିର୍ବାଚନ ଅନିୟମିତତା ମାମଲା: ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ
କଟକ: ବାରବାଟୀ-କଟକ ବିଧାନସଭା ନିର୍ବାଚନ ଅନିୟମିତତା ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ । ନିର୍ବାଚନକୁ ଅସିଦ୍ଧ ପାଇଁ ଦେବାଶିଷ ସାମନ୍ତରାୟ ପିଟିସନ୍ କରିଥିଲେ । ସତ୍ୟପାଠରେ ଭୁଲ ତଥ୍ୟ, ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ପିଟିସନ କରିଥିଲେ ।
ବିଧାୟକ ମହମ୍ମଦ ମୋକିମ୍ଙ୍କ ନିର୍ବାଚନର ବୈଧତାକୁ ଚ୍ୟାଲେଞ୍ଜ କରି ମାମଲା ଦାୟର ହୋଇଛି । ମାମଲାର ଆବେଦନକାରୀ ତଥା ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ବୁଧବାର ଯୁକ୍ତି ଉପସ୍ଥାପନ ଶେଷ ହେବା ପରେ ମାମଲାର ଶୁଣାଣି ପ୍ରକ୍ରିୟା ଶେଷ ହୋଇଛି ।
ସୂଚନାଯୋଗ୍ୟ ଯେ, ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ବାରବାଟୀ-କଟକ ଆସନରୁ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ବିଜୟ ଲାଭ କରିଥିଲେ । କିନ୍ତୁ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାର ଅଭିଯୋଗ ହୋଇଥିଲା । ଜନ ପ୍ରତିନିଧି ଆଇନର ଫର୍ମ (୨) ମୁତାବକ ସେ ଆବଶ୍ୟକୀୟ ତଥ୍ୟ ଦାଖଲ କରିନଥିଲେ ବୋଲି ଅଭିଯୋଗ କରି, ପରାଜିତ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

୨୦୧୯ ମସିହାରେ ମାମଲା ଦାୟର ହୋଇଥିଲା । ବୁଧବାର ସୁଦ୍ଧା ପ୍ରାୟ ୧୩୬ଟି କାର୍ଯ୍ୟ ଦିବସରେ ଏହି ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ତେବେ ଶୁଣାଣି ପ୍ରକ୍ରିୟା ଚାଲିଥିବା ବେଳେ ବିଧାୟକ ମୋକିମ୍ଙ୍କୁ ଦୁଇ ଥର ଅର୍ଥଦଣ୍ତରେ ଦଣ୍ତିତ କରିଛନ୍ତି ହାଇକୋର୍ଟ । ଉଭୟ ପକ୍ଷରୁ ମୋଟ୍ ୮ ଜଣ ହାଇକୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି । ଜଷ୍ଟିସ ସଙ୍ଗମ ସାହୁଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ହେଉଥିଲା । ଯାହା ବୁଧବାର ଶେଷ ହୋଇଛି ।












Click it and Unblock the Notifications