ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି; ସଂଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ
ଆଜି ଫାଲଗୁନ-ଶୁକ୍ଳ ତୃତୀୟା ତିଥି ହୋଇଥିବାରୁ ସନ୍ଧ୍ୟାରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଏହି ନୀତି ପାଇଁ ୪ ଘଣ୍ଟା ପର୍ୟ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ପୁରୀ: ଆଜି ଫାଲଗୁନ-ଶୁକ୍ଳ ତୃତୀୟା ତିଥି ହୋଇଥିବାରୁ ସନ୍ଧ୍ୟାରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଏହି ନୀତି ପାଇଁ ୪ ଘଣ୍ଟା ପର୍ୟ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ବୁଧବାର ଫାଲଗୁନ-ଶୁକ୍ଳ ତୃତୀୟା ତିଥି ହୋଇଥିବାରୁ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି କରାଯିବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ତେଣୁ ଏହି ସମୟରେ ସନ୍ଧ୍ୟା ୬ ଘଟିକାରୁ ରାତ୍ର ୧୦.୦୦ ଘଟିକା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ବନକଲାଗି ନୀତି ଗୁପ୍ତ ନୀତି ହୋଇଥିବାରୁ ବିଧି ଅନୁସାରେ ଦତ୍ତ ମହାପାତ୍ର ସେବାୟତଙ୍କୁ ହିଙ୍ଗୁଳ , ହର୍ତାଳ, କସ୍ତୁରୀ ଓ କେଶର ଯୋଗାଇ ଦିଆଯାଇଛି । ଏହାକୁ ମିଶ୍ରଣ କରି ସ୍ୱତନ୍ତ୍ର ରଙ୍ଗ ପ୍ରସ୍ତୁତ କରି ସେବକମାନେ ଅପରାହ୍ନରେ ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ରତ୍ନସିଂହାସନ ଉପରେ ଚଢ଼ି ଅଧର ପୋଛା କରି ତାପରେ ଶ୍ରୀମୁଖ ଶୃଙ୍ଗାର କରିବେ । ଏହି ସମୟରେ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଆଉ ଏହି ସେବାରେ ୫ ଜଣ ଦତ୍ତ ମହାପାତ୍ର ସେବାୟତ ରହିବେ ।
ସେପଟେ ମାର୍ଚ୍ଚ ୭ ରେ ଦୋଳ ନୀତି ଓ ଠାକୁରଙ୍କ ସୁନାବେଶ ରହୁଥିବାରୁ ଶ୍ରୀମୁଖ ସୁନ୍ଦର ଦେଖାଯିବା ପାଇଁ ବନକଲାଗି କରାଯିବ ବୋଲି କହିଛନ୍ତି ସେବାୟତ । ତେବେ ଲକ୍ଷାଧିକ ଭକ୍ତଙ୍କୁ କେବଳ ଚକା ଆଖି ଟାଣି ଅଣୁଥିବାରୁ ଏହି ନୀତି ବେଶ ଗୁରୁତ୍ୱପୂର୍ଣ୍ଣ । ସେପଟେ ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ବର ବେଶ ଅନୁଷ୍ଠିତ ହେବାକୁ ଥିବାରୁ ନୀତି କାନ୍ତିକୁ କିଭଳି ଶୃଙ୍ଖଳିତ କରାଯିବ ସେନେଇ ସେବାୟତ ପ୍ରତିନିଧିଙ୍କ ସହ ବୈଠକରେ ଆଲୋଚନା କରାଯାଇଛି ।












Click it and Unblock the Notifications