ବାଲିରେ କଟକ ବାଲିଯାତ୍ରା କଥା ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ବାଲିରେ ଏକ ଭାରତୀୟ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକ ବାଲିଯାତ୍ରା ବିଷୟରେ କହିଛନ୍ତି ।
ନୂଆଦିଲ୍ଲୀ: ଆଜିଠୁ ଇଣ୍ଡୋନେସିଆରେ ଆରମ୍ଭ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ବାଲିରେ ଏକ ଭାରତୀୟ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକ ବାଲିଯାତ୍ରା ବିଷୟରେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, କଟକ ବାଲିଯାତ୍ରା ଇଣ୍ଡୋନେସିଆ ସହିତ ବାଣିଜ୍ୟ ସମ୍ପର୍କ ପାଳନ କରୁଛି । ସେ କହିଛନ୍ତି, "ମୁଁ ଯେତେବେଳେ ବାଲିରେ ତୁମ ସହିତ କଥାବାର୍ତ୍ତା କରେ ଏବଂ ଆମେ ଇଣ୍ଡୋନେସିଆର ପରମ୍ପରାର ଗୀତ ଗାଉ । ତେବେ ଏଠାରୁ 1500 କିଲୋମିଟର ଦୂରରେ ଭାରତର କଟକ ସହରରେ ବାଲିଯାତ୍ରା ମହୋତ୍ସବ ଚାଲିଛି । ଏହି ମହୋତ୍ସବ ହଜାର ହଜାର ବର୍ଷ ପୁରୁଣା ଭାରତ-ଇଣ୍ଡୋନେସିଆ ବାଣିଜ୍ୟ ସମ୍ପର୍କକୁ ପାଳନ କରିଥାଏ। "
ସେ ଆହୁରି କହିଛନ୍ତି "ଯେତେବେଳେ ଇଣ୍ଡୋନେସିଆର ଲୋକମାନେ ଇଣ୍ଟରନେଟରେ ଏହି ବର୍ଷର ବାଲିଯାତ୍ରା ଫଟୋ ଦେଖିବେ, ସେମାନେ ଗର୍ବିତ ଓ ଖୁସି ହେବେ । କୋଭିଡ କାରଣରୁ ଉପୁଜିଥିବା ସମସ୍ୟା ହେତୁ କିଛି ବାଧା ଉପୁଜିଥିଲା । ଅନେକ ବର୍ଷ ପରେ ବାଲିଯାତ୍ରା ମହୋତ୍ସବକୁ ଓଡିଶାରେ ଜାକଜମକରେ ତଥା ଏକ ବୃହତ ସ୍ତରରେ ପାଳନ କରାଯାଉଛି। "
ଉଲ୍ଲେଖଥାଉ କି, ଗତ ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା କଟକ ବାଲିଯାତ୍ରା ମହୋତ୍ସବ । ଦୁଇ ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ବୃଦ୍ଧି ପାଇଛି । ବାଲିଯାତ୍ରା ବୁଲିବାରେ ଲୋକଙ୍କ ଆଗ୍ରହ, ଉତ୍ସାହକୁ ଦୃଷ୍ଟିରେ ରଖି ଆଉ ଗୋଟିଏ ଦିନ ବଢିଛି କଟକର ଐତିହାସିକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଗୋଟିଏ ଦିନ ବୃଦ୍ଧି ହୋଇଛି ବାଲିଯାତ୍ରା । ଆସନ୍ତା ଗୁରୁବାର ପର୍ଯ୍ଯନ୍ତ ଚାଲିବ ଏହି ଯାତ୍ରା ।
ଅନ୍ୟପଟେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଥମଥର ପାଇଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରୁଷି ସୁନକ ଓ ମୋଦିଙ୍କ ଭେଟ୍ଘାଟ ହୋଇଛି। ଭାରତୀୟ ବଂଶୋଦ୍ଭବ ରୁଷି ସୁନକ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ସହ ଏହା ହେଉଛି ମୋଦିଙ୍କ ପ୍ରଥମ ସାକ୍ଷାତ। ଏହି ଭେଟ୍ଘାଟ ବେଳେ ଦୁହେଁ ବେଶ୍ କିଛି ସମୟ ଧରି ଆଲୋଚନା କରିଥିଲେ।












Click it and Unblock the Notifications