Get Updates
Get notified of breaking news, exclusive insights, and must-see stories!
Live

Lok Sabha Election 2024: କାହାର ହେବ ବାଲେଶ୍ଵର ଲୋକସଭା ଆସନ ?

୨୦୨୪ ନିର୍ବାଚନରେ କାହାର ହେବ ବାଲେଶ୍ୱର ଲୋକସଭା ଆସନ? କିଏ ହାତେଇବ ଉତ୍ତର ଓଡ଼ିଶାର ଏହି ହାଇପ୍ରୋଫାଇଲ୍ ସିଟ୍? ବିଜେଡି, ବିଜେପି, ନା କଂଗ୍ରେସ? ତାକୁ ନେଇ ଚାଲିଛି ଜୋରଦାର୍ କଳ୍ପନା ଜଳ୍ପନା । ବାଲେଶ୍ୱର ଲୋକସଭା କ୍ଷେତ୍ରରେ ଏଥର ଦେଖିବାକୁ ମିଳିବ କଡ଼ା ଟକ୍କର। ହାଇପ୍ରୋଫାଇଲ୍ ନେତାମାନେ ଏଥର ପରସ୍ପର ବିରୋଧରେ ନିର୍ବାଚନ ମଇଦନାକୁ ଓହ୍ଲାଇଛନ୍ତି। ବିଜେପିରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହି ଦୁଇ ଅଭିଜ୍ଞ ନେତାଙ୍କୁ ଚେକ୍ ଦେବା ପାଇଁ ବିଜେଡି ମହିଳା କାର୍ଡ ଖେଳିଛି। ବିଜେପି ଛାଡ଼ି ବିଜେଡି ଆସିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଏଥର ବିଜେଡି ପ୍ରାର୍ଥୀ କରିଛି। ତେଣୁ ବାଲେଶ୍ୱର ଆସନରେ ଏଥର ତ୍ରିମୁଖୀ ଲଢ଼େଇ ହେବା ସ୍ପଷ୍ଟ ଜଣାପଡୁଛି।

ବାଲେଶ୍ୱର ଆସନରେ ଏହି ତିନି ପ୍ରାର୍ଥୀଙ୍କ ମଧ୍ୟରୁ ଉଭୟ ପ୍ରତାପ ଓ ଶ୍ରୀକାନ୍ତଙ୍କ ପୂର୍ବରୁ ନିର୍ବାଚନ ଲଢ଼ିବା ନେଇ ବହୁତ ଅଭିଜ୍ଞତା ରହିଛି। ପ୍ରତାପ ନିଳଗିରିରେ ୨୦୦୪ରେ ବିଜେପିରୁ, ୨୦୦୯ରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୪ରେ ପ୍ରତାପଙ୍କୁ ବିଜେପି ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ସେ ବିଜେଡିର ରବୀନ୍ଦ୍ର ଜେନାଙ୍କଠାରୁ ପରାଜିତ ହୋଇଥିଲେ। ରବୀନ୍ଦ୍ର ୪ ଲକ୍ଷ ୩୩ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ।

୨୦୧୯ ନିର୍ବାଚନରେ ପ୍ରତାପ ପୁଣି ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ଓ କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କୁ ପରାଜିତ କରି ପ୍ରତାପ ଲୋକସଭାକୁ ଯାଇଥିଲେ। ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ଅଢ଼େଇ ବର୍ଷ ସେ ପ୍ରାଣୀ, ଗୋସମ୍ପଦ, ମତ୍ସ୍ୟ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ। ଏଥର ସେ ତୃତୀୟଥର ପାଇଁ ସାଂସଦ ଭାବେ ନିର୍ବାଚନ ଲଢୁଥିବାରୁ ସବୁ ନିର୍ବାଚନ ମଣ୍ଡଳୀରେ ତାଙ୍କ ସଂଗଠନ ରହିଥିବା କୁହାଯାଉଛି। ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ଯୋଜନାକୁ ଆଧାରକରି ଏଥର ପ୍ରତାପ ନିର୍ବାଚନ ମଇଦାନକୁ ଯିବେ ବୋଲି କୁହାଯାଉଛି। ତେବେ ପ୍ରତାପ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ କେମିତି ମୁକାବିଲା କରୁଛନ୍ତି ତାହା ଦେଖିବାର କଥା।

ଶ୍ରୀକାନ୍ତ ଜେନା ରାଜ୍ୟ ତଥା ଜାତୀୟ ରାଜନୀତିର ଜଣେ ପରିଚିତ ଚେହେରା। ପୂର୍ବରୁ ସେ ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ୧୯୭୭ରୁ ୧୯୮୯ ପର୍ଯ୍ୟନ୍ତ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଶ୍ରୀକାନ୍ତ। ୧୯୭୯-୮୦ରେ ସେ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଥିଲେ। ପୂର୍ବରୁ ବାଲେଶ୍ୱର ଲୋକସଭା ଆସନରୁ ଦୁଇଥର ନିର୍ବାଚନ ଲଢ଼ିସାରିଛନ୍ତି। ବାଲେଶ୍ୱରର ତାଙ୍କର ନିଜସ୍ୱ ସଂଗଠନ ରହିଛି ଏବଂ ତାଙ୍କ ପ୍ରାର୍ଥୀ ହେବା ପରେ ବାଲେଶ୍ୱରର କଂଗ୍ରେସ ଶିବିର ମଧ୍ୟ ଚଳଚଞ୍ଚଳ ହୋଇଛି। ଅଭିଜ୍ଞତାକୁ ଆଧାର କରି ସେ ଏଥର ବିଜେଡି ଓ ବିଜେପିକୁ ଚେକ୍ ଦେବା ଲକ୍ଷ୍ୟରେ ରହିଛନ୍ତି। ତେବେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ସଂଗଠନ ଶ୍ରୀକାନ୍ତଙ୍କୁ କେତେ ସହଯୋଗ କରିବେ ତାହା ଦେଖିବାକୁ ବାକି ରହିଲା।

ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଲାଗି ବିଜେଡିର ଲୋକପ୍ରିୟତା ମୁଖ୍ୟ ଅସ୍ତ୍ର ହେବ। 'ମା'ଙ୍କୁ ସମ୍ମାନ' ନାରା ଦେଉଥିବା ବିଜେଡି ମହିଳା କାର୍ଡ ଖେଳି ଦୁଇ ଅଭିଜ୍ଞଙ୍କ ସାମ୍ନାରେ ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିଛି। ଆଗରୁ ଲେଖାଶ୍ରୀଙ୍କର ନିର୍ବାଚନ ଲଢ଼ିବାର ଅଭିଜ୍ଞତା ନାହିଁ। କିନ୍ତୁ ବିଭିନ୍ନ ନିର୍ବାଚନକୁ ସେ ଅତି ପାଖରୁ ଦେଖିଛନ୍ତି ଏବଂ ମଇଦାନରେ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିଛନ୍ତି। ତା'ଛଡ଼ା ଲେଖାଶ୍ରୀ ବିଜେଡିରେ ନୂଆ ଚେହେରା। ବିଜେପିରୁ ସେ ବିଜେଡିକୁ ଆସିଛନ୍ତି। ନିଳଗିରିର ସେ ବୋହୂ ହୋଇଥିବାରୁ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ସେ ଚେକ୍ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିପରି ଲେଖାଶ୍ରୀ ବିଜେପି ସହ ଦୀର୍ଘ ବର୍ଷ ହେଲା ଯୋଡ଼ି ହୋଇ ରହିଥିବାରୁ ସେ ବିଜେପି ଭୋଟ ଭାଗ ଭାଗ କରିବାରେ ସହାୟକ ହୋଇପାରନ୍ତି ବୋଲି ଆଲୋଚନା ହେଉଛି।

ବାଲେଶ୍ୱର ଲୋକସଭା ଆସନ ଦେଖିଲେ ଏଠାରେ ଭୋଗରାଇ, ଜଳେଶ୍ୱର, ବାଲେଶ୍ୱର, ବସ୍ତା, ବଡ଼ସାହି, ରେମୁଣା ଓ ନିଳଗିରି ସାମିଲ୍ ରହିଛି। ବିଧାନସଭା କ୍ଷେତ୍ରରେ ବିଜେଡିର ଭାଗ ୫ ଓ ବିଜେପିର ଭାଗ ୨। ୨୦୧୯ରେ ବଡ଼ସାହି ଓ ନିଳଗିରିରେ ବିଜେପି ବିଧାୟକ ରହିଥିଲେ। ଏଠାରେ ବିଜେପିର ସଂଗଠନ ମଧ୍ୟ ମଜଭୁତ୍। ତେଣୁ ଏହି ଦୁଇ ଆସନରୁ ବିଜେପିର ଭୋଟ୍ ଭାଗ ଅଧିକ ରହିବ ବୋଲି ଆକଳନ କରାଯାଉଛି। ଦେଖାଯାଉ ଏହି ହାଇପ୍ରୋଫାଇଲ୍ ସିଟରେ କିଏ ବାଜି ମାରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+